ନୂଆଦିଲ୍ଲୀ,୧।୧୦: କୋଏମ୍ବାଟୁରର ଥୋଡାମୁଥୁର ସ୍ଥିତ ଇଶା ଫାଉଣ୍ଡେସନ୍ର ଆଶ୍ରମରେ ସୋମବାର ୧୫୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ଚଢାଉ କରିଛନ୍ତି। ଏହି ଅପରେସନ୍ର ନେତୃତ୍ବ ସହାୟକ ଉପ-ନିରୀକ୍ଷକ ରାଙ୍କର ଅଧିକାରୀ କରିଛନ୍ତି,ଯେଉଁଥିରେ ତିନିଜଣ ଡିଏସ୍ପି ମଧ୍ୟ ସାମିଲ ଥିଲେ। ଏହି କାର୍ଯ୍ୟାନୁଷ୍ଠାନ ମାଡ୍ରାସ ହାଇକୋର୍ଟ ପକ୍ଷରୁ ଫାଉଣ୍ଡେସନ୍ ବିରୋଧରେ ରୁଜୁ କରାଯାଇଥିବା ସମସ୍ତ ଅପରାଧିକ ମାମଲାରେ ରିପୋର୍ଟ ମଗାଯିବାର ଦିନକ ପରେ ଗ୍ରହଣ କରାଯାଇଛି।
ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଚଢାଉ ଆଶ୍ରମର ସବୁ ନିବାସୀଙ୍କ ରୁମ୍ରେ କରାଯାଉଛି। ଚଢାଉ ଆବେଦନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଏସ୍. କମରାଜ ଅଭିଯୋଗ କରିଛନ୍ତି, ତାଙ୍କର ଦୁଇ ଝିଅ, ଗୀତା କମରାଜ (୪୨) ଓ ଲତା କମରାଜ(୩୯) ଙ୍କୁ ଫାଉଣ୍ଡେସନ୍ ଭିତରେ ବଳପୂର୍ବକ ରଖାଯାଇଥିଲା। ପ୍ରଫେସର ଅଭିଯୋଗ କରିଥିଲେ ଇଶା ଫାଉଣ୍ଡେସନ୍ର ଲୋକ ତାଙ୍କୁ ସନ୍ୟାସୀ କରିବା ସହ ପରିବାର ଲୋକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି।
ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ ଇଶା ଫାଉଣ୍ଡେସନ୍ର ସଂସ୍ଥାପକ ଜଗ୍ଗି ବାସୁଦେବ(ସଦଗୁରୁ)ଙ୍କ ଜୀବନରେ ଆସିଥିବା ବିରୋଧାଭାସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ୍ ଏସ୍.ଏମ୍ ସୁବ୍ରମଣ୍ୟମ ଓ ଭି.ଶିବଗଣନମ ପଚାରିଛନ୍ତି ସଦଗୁରୁ, ଯିଏକି ନିଜ ଝିଅର ବିବାହ କରି ତାକୁ ସୁଖ ଜୀବନ ଦେଇଛନ୍ତି, ଅନ୍ୟ ଯୁବତୀଙ୍କୁ ଲଣ୍ଡା କରି ତାଙ୍କୁ ସନ୍ୟାସୀ ଜୀବନ ବଞ୍ଚିବାକୁ କାହିଁକି ପ୍ରେରିତ କରୁଛନ୍ତି ?
ପଫ୍ରେସର କାମରାଜ ଆବେଦନରେ ତାଙ୍କ ଦୁଇ ଝିଅଙ୍କ ପେଶାଗତ ସଫଳତା ମଧ୍ୟ ଉଲ୍ଲେଖ କରିଛନ୍ତି। ଆବେଦନ ଅନୁସାରେ, ତାଙ୍କ ବଡ ଝିଅ ୟୁକେର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ମେକ୍ଟୋନିକ୍ସରେ ପୋଷ୍ଟ ଗ୍ରାଜୁଏଣ୍ଟ କରିଛନ୍ତି। ସେ ୨୦୦୮ ରେ ନିଜ ସ୍ବାମୀ ଛାଡପତ୍ର ଦେଇ ଇଶା ଫାଉଣ୍ଡେସନ୍ରେ ଯୋଗ କ୍ଲାସ ନେବା ଆରମ୍ଭ କରିଥିଲେ। ତା ପରେ ତାଙ୍କ ସାନ ଝିଅ ଯିଏ ସଫ୍ଟଓ୍ବେର ଇଞ୍ଜିନିୟର ସେ ମଧ୍ୟ ଆଶ୍ରମରେ ରହିବା ଆରମ୍ଭ କରିଥିଲେ। ଆବେଦନରେ ଅଭିଯୋଗ ହୋଇଛି ଫାଉଣ୍ଡେସନ୍ ତାଙ୍କ ଝିଅଙ୍କୁ ଏଭଳି ଖାଦ୍ୟ ଓ ଔଷଧ ଦେଇଥିଲେ, ଯାହା ଦ୍ବାରା ତାଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇଗଲା ସେମାନେ ପରିବାର ସହ ସମ୍ପର୍କ ତୁଟାଇ ଦେଲେ। ଯଦିଓ କୋର୍ଟରେ ହାଜର ହୋଇ ତାଙ୍କର ଦୁଇ ଝିଅ କହିଥିଲେ, ସେମାନେ ନିଜ ଇଛା ଅନୁସାରେ ଆଶ୍ରମରେ ଅଛନ୍ତି, ତାଙ୍କ ଉପରେ କୌଣସି ଚାପ ନାହିଁ। ତେବ ବିଚାରପତି ଆଶ୍ରମର ଏଭଳି କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନରେ ଫାଉଣ୍ଡେସନ୍ର ଜଣେ ଡାକ୍ତରଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାରେ, ମାମଲା ରୁଜୁ ମଧ୍ୟ କରାଯାଇଛି। ଡାକ୍ତରଙ୍କ ଉପରେ ଆଦିବାସୀ ସରକାରୀ ସ୍କୁଲର ୧୨ ଝିଅଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ରହିଛି। ଅନ୍ୟପକ୍ଷେ ଇଶା ଫାଉଣ୍ଡୋର ଓକିଲ କହିଛନ୍ତି, କୋର୍ଟ ଏଭଳି କରି ବ୍ୟକ୍ତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରୁଛନ୍ତି। କାରଣ ତାଙ୍କର ଦୁଇ ଝିଅ ନିଜ ଇଛାରେ ଅଛନ୍ତି।