ଭୁବନେଶ୍ୱର,୧୮/୧୧: ବହୁଚର୍ଚ୍ଚିତ ପୁଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ପୁଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦ ମସିହାଠାରୁ ଓପିଆର୍ବି ଦାୟିତ୍ୱ ମୁଣ୍ଡାଇଥିବା ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇରେ ହାଜର ହେବା ପାଇଁ ସମନ ପଠାଯାଇଥିବା ସୂଚନା ମିଳିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଆଇପିଏସ୍ ଅଧିକାରୀଙ୍କ ତାଲିକାରେ ୨ଜଣ ବରିଷ୍ଠ ଓ ଜଣେ କନିଷ୍ଠ ଅଛନ୍ତି । ଉପରୋକ୍ତ ଏସ୍ଆଇ ସ୍କାମରେ ସେମାନେ ସିଧାସଳଖ ସମ୍ପୃକ୍ତ ନଥିଲେ ହେଁ ପୂର୍ବରୁ ଯେତେଥର ପୁଲିସ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିଛି । ସେସବୁ ବାବଦରେ ଆଇପିଏସ୍ ଅଧିକାରୀମାନଙ୍କୁ ପଚରାଉଚରା କରାଯାଇପାରେ । ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷା ପାଇଁ କେଉଁ ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିଲା? ବର୍ତ୍ତମାନର ଏସ୍ଆଇ ପରୀକ୍ଷା ସ୍କାମରେ ଏହାର କିଛି ଲିଙ୍କ୍ ଅଛି କି ? ସେନେଇ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ କରିବେ । ଏହାପରେ ଓପିଆର୍ବି ଅନ୍ୟ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଜେରା ପାଇଁ ଡକାଯାଇପାରେ ।
ଓପିଆର୍ବି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାର ଦାୟିତ୍ୱ କୋଲକାତାର ଆଇଟିଆଇ ଲିମିଟେଡ୍ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ଆଇଟିଆଇ ସଂସ୍ଥା ପରୀକ୍ଷା ପରିଚାଳନାର ଦାୟିତ୍ୱ ସିଲିକନ ଟେକଲ୍ୟାବ୍ ପ୍ରାଇଭେଟ ଲିମିଟେଡ୍କୁ ଦେଇଥିଲା । ଆଇଟିଆଇର କିଛି ଅଧିକାରୀଙ୍କୁ ସିବିଆଇ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି । ଏହାଛଡ଼ା କ୍ରାଇମ୍ବ୍ରାଞ୍ଚ ଓ ବ୍ରହ୍ମପୁର ପୁଲିସଠାରୁ ମାମଲା ସମ୍ପର୍କୀତ ସମସ୍ତ କାଗଜପତ୍ର ମିଳିସାରିଛି । ସିବିଆଇ ଅଧିକାରୀମାନେ ଏହାକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ଏହାସହ ଖୁବ୍ଶୀଘ୍ର ସିବିଆଇର ଏକ ଟିମ୍ ବ୍ରହ୍ମପୁର ଯାଇ ତନାଘନା କରିବ । ଅନ୍ୟ ଏକ ଟିମ୍ କୋଲକାତା ଯାଇପାରେ ।