ନୂଆଦିଲ୍ଲୀ ୨୨/୦୬: ଛୁଟି ବିତାଇବା ଲାଗି ଦୂର ସ୍ଥାନକୁ ଯାତ୍ରା କରିବା କିମ୍ବା କୌଣସି ସାମାଜିକ ଉତ୍ସବ ପାଇଁ ପରିବାର ସହିତ ସହର ବାହାରକୁ ଯିବା କଥା ଉଠିଲେ ପ୍ରଥମେ ଘରର ସୁରକ୍ଷା ଚିନ୍ତା ଲୋକଙ୍କ ମନକୁ ଆସିଥାଏ । ଏହି ସୁଯୋଗରେ ଚୋର କଳାକନା ବୁଲାଇ ଦେବାର ଆଶଙ୍କା ଥିବାରୁ ଘର କିଏ ଜଗିବ ସେ କଥା ଭାବି ବହୁ ସମୟରେ ଲୋକେ ଦୂର ଯାତ୍ରା ଯୋଜନାକୁ ବାତିଲ କରିଥାନ୍ତି । ଏଭଳିକ୍ଷେତ୍ରରେ ଉତ୍ତରପ୍ରଦେଶ ଗୋରଖପୁର ପୁଲିସ ଏହି ସମସ୍ୟାର ସମାଧାନ ଲାଗି ଏବେ ଏକ ଅଭିନବ ଅଭିଯାନ ଆରମ୍ଭ କରିଛି । ସେ ଅନୁସାରେ, ଚୋରି ରୋକିବା ଲାଗି ଖାଲି ପଡି଼ଥିବା ଘର ଉପରେ ଏବେ ପୁଲିସ ସ୍ୱତନ୍ତ୍ର ଭାବେ ନଜର ରଖିବ । ଲୋକଙ୍କୁ କେବଳ ଘର ବନ୍ଦ କରି ବାହାରକୁ ଯିବା ପୂର୍ବରୁ ନିକଟସ୍ଥ ଥାନାରେ ସେ ସଂପର୍କରେ ସୂଚନା ଦେବାକୁ ହେବ ।

ଏସ୍‌ପି ନିମିଶ ପାଟିଲ କହିଛନ୍ତି, ସାଧାରଣତଃ ଖାଲି ପଡି଼ଥିବା ଘରକୁ ଚୋର ଟାର୍ଗେଟ୍ କରିଥାନ୍ତି । ଦୀର୍ଘ ସମୟ ଧରି ରେକି କରିବା ପରେ ସୁଯୋଗ ଉଣ୍ଡି ସୁନା, ରୂପା ଗହଣା, ମୂଲ୍ୟବାନ ଜିନିଷ ଉଠାଇ ନେଇଥାନ୍ତି । ବିଗତ କିଛି ଦିନ ମଧ୍ୟରେ ସହରରେ ଘଟିଥିବା ଅନେକ ଚୋରି ଘଟଣାର ଯାଞ୍ଚରୁ ଏହି ପାଟର୍ନ ସାମ୍ନାକୁ ଆସିଛି । ସେହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ସମାଧାନ ଲାଗି ଜୁନ୍ ୧୬ରୁ ଏହି ଅଭିନବ ଅଭିଯାନ ଆରମ୍ଭ କରାଯାଇଛି । ଏଥିଲାଗି ପୁଲିସ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଅଟୋ ଏବଂ ଇ-ରିକ୍ସାରେ ବୁଲି ବୁଲି ଲାଉଡସ୍ପିକର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି । ଏହାଛଡ଼ା ଥାନାର ହ୍ୱାଟସଆପ୍ ଗ୍ରୁପ ଏବଂ ଅନ୍ୟ ଡିଜିଟାଲ ମାଧ୍ୟମ ଦ୍ୱାରା ଘର ଛାଡି଼ବା ପୂର୍ବରୁ ଥାନାକୁ ସେଥିନେଇ ସୂଚନା ଦେବାକୁ ଲୋକଙ୍କୁ ନିବେଦନ କରାଯାଉଛି । ଯଦି କେହି ପରିବାର ସହ କିଛି ଦିନ ଲାଗି ବାହାରକୁ ଯାଆନ୍ତି ତେବେ ସୂଚନା ପାଇବା ପରେ ତାଙ୍କ ଘର ନିକଟରେ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବ । ପାଟ୍ରୋଲିଂ ଟିମ୍ ନିୟମିତ ଭାବେ ସେହି ଘର ଉପରେ ନଜର ରଖିବେ । ଏହାଦ୍ୱାରା କୌଣସି ସନ୍ଦିଗ୍ଧ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ...Indian Railway : ଏଣିକି ରେଲୱେ ପ୍ଲାଟଫର୍ମରେ ବିକି ପାରିବେନି ବୁଲା ବିକାଳି, ଭିକ୍ଷାବୃତ୍ତି ଉପରେ ରୋକ୍, ନିୟମ ନମାନିଲେ ଜେଲ୍

 

ସ୍ଥାନୀୟ ଲୋକଙ୍କ ଅନୁସାରେ, ଗୋରଖପୁର ପୁଲିସର ଏହି ଅଭିଯାନ କେବଳ ଚୋରି ଘଟଣାକୁ ରୋକିବାରେ ସହାୟକ ହେବନାହିଁ । ଲୋକଙ୍କର ପୁଲିସ ଉପରେ ଭରସାକୁ ମଧ୍ୟ ବୃଦ୍ଧି କରିବ ।