ଭୁବନେଶ୍ୱର/ଧର୍ମଶାଳା,୧୫/୧୨: ଶାନ୍ତ ଧର୍ମଶାଳା ପୁଣି କିଛିମାସର ନିରବତା ପରେ ଅଶାନ୍ତ ହୋଇପଡ଼ିଛି । ଦୁଇଦଳର କର୍ମୀଙ୍କ ଭିତରେ ଆକ୍ରୋଶ ଏବେ ଆକ୍ରମଣର ରୂପ ନେଇଛି । ରବିବାର ଦୁଇଦଳର କର୍ମୀଙ୍କ ଭିତରେ ଘଟିଥିବା ସଂଘର୍ଷ ରାଜନୈତିକ ବିବାଦକୁ ତେଜିୟାନ୍ କରିଦେଇଛି । ଟେକାପଥର ମାଡ଼ ଏବଂ ହାତାହାତି ଘଟଣାରେ ଉଭୟ ଦଳର ପ୍ରାୟ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆକ୍ରୋଶରୁ ଆକ୍ରମଣକୁ ନେଇ ଦୁଇଦଳର ନେତା ମୁହାଁମୁହିଁ ହୋଇଛନ୍ତି । ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଗଣ୍ଡଗୋଳ ପାଇଁ ବିଜେପି କର୍ମୀଙ୍କୁ ଦାୟୀ କରୁଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବିଜେଡି କର୍ମୀଙ୍କୁ ଆକ୍ରମଣକାରୀ ବୋଲି ସିଧାସଳଖ ଟାର୍ଗେଟ୍ କରିଛନ୍ତି । ବିଜେଡି ସ୍ଥାନୀୟ ପୁଲିସ ଉପରୁ ଭରସା ତୁଟାଇ ଏସ୍‌ପି ଏବଂ ଡିଜିପିଙ୍କ ହସ୍ତକ୍ଷେପ ଲୋଡ଼ିଥିବା ବେଳେ ବିଜେପି କର୍ମୀ ଜେନାପୁର ଥାନାରେ ଏତଲା ଦେଇଛନ୍ତି। ଘଟଣାକୁ ନେଇ ଧର୍ମଶାଳା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକମାନେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବିରେ ଭୁବନେଶ୍ୱର କମିଶନରେଟ୍ ପୁଲିସ ମୁଖ୍ୟାଳୟ (ଡିଜି କ୍ୟାମ୍ପ୍ ଅଫିସ୍) ଆଗରେ ରାତି ସାରା ଧାରଣାରେ ବସିଥିଲେ । ପ୍ରଣବ କହିଥିଲେ, ଧର୍ମଶାଳାରେ ସ୍ଥାନୀୟ ବିଧାୟକ ଅରାଜକତା ସୃଷ୍ଟି କରିଛନ୍ତି । ପୂର୍ବରୁ ମୋତେ ଓ ମୋ ସମର୍ଥକମାନଙ୍କୁ ଆକ୍ରମଣ କରାଯାଇଥିଲା । ଆଜି ସେମାନେ ଘରେ ପଶି ମୋ ସମର୍ଥକମାନଙ୍କୁ ଆକ୍ରମଣ କରିଛନ୍ତି । ଜିଲ୍ଲା ପୁଲିସ ଉପରେ ଆମର ଭରସା ନାହିଁ । ସେଥିପାଇଁ ଡିଜିଙ୍କୁ ଭେଟିବାକୁ ଆସିଛୁ । ଯେ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବ ଆମେ ଏହି ଧାରଣା ଜାରି ରଖିବୁ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଲିସ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । ମାତ୍ର ତାହା ପାଳନ କରାଯାଉନି ବୋଲି ପ୍ରଣବ ଅଭିଯୋଗ କରିଛନ୍ତି । ଧାରଣାରେ ବିଜେଡି ନେତା ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ଅଂଶୁମାନ ମହାନ୍ତି, ସୁଶାନ୍ତ ରାଉତ, ସମ୍ୱିତ ରାଉତରାୟ, ଚିନ୍ମୟ ସାହୁ, ଇପସିତା ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ସୋସିଆଲ ମିଡିଆ ଟିମ୍‌ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜେନାପୁର ଥାନା ଗଡ଼ମଧୁପୁରସ୍ଥିତ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ଚାଲିଥିଲା । କିଛି ଯୁବକ ଫାର୍ମହାଉସ ଭିତରେ ଚାଲିଥିବା ବନ୍ଧୁମିଳନ ଉତ୍ସବକୁ ଟାର୍ଗେଟ୍ କରି ଟେକାପଥର ମାଡ଼ କରିବା ସହ ଗେଟ୍ ଖୋଲି ଧସେଇ ପଶି ବିଜେଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ଏହି ଆକ୍ରମଣରେ ସୁବ୍ରତ ଧଳ, ଆଲୋକ ବେହେରା, ପ୍ରଦୋଷ ଆର୍ଯ୍ୟାନ ନାୟକ, ମନୋଜ ସାହୁ ଓ ଇନ୍ଦ୍ରଜିତ ତରାଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜେନାପୁର ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବିଜେଡି ପକ୍ଷରୁ ଏ ନେଇ ଯାଜପୁର ଏସ୍‌ପି ଓ ଡିଜିଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସୂଚନା ଦିଆଯାଇଛି ।

ଅପରପକ୍ଷେ ବିଜେପି କର୍ମୀ ସୁନୀଲ ପଣ୍ଡା ମଧ୍ୟ ବିଜେଡି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସୁନୀଲ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା ସହିତ ଜେନାପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଯାଜପୁରରୋଡ୍ ଏସ୍ଡିପିଓ ଲକ୍ଷ୍ମୀଧର ସ୍ୱାଇଁ ଓ ଜେନାପୁର ଥାନାଧିକାରୀ ନିରୁପମା ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅପରପକ୍ଷେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ପଛରେ ବିଜେଡି କର୍ମୀଙ୍କ ଭୂମିକାକୁ ଦାୟୀ କରିଛନ୍ତି ।

​​​​​​​

ସେପଟେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା ଘଟଣାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି। ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ମିଳୁଛି ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ କିଛି ଲୋକ ଭଙ୍ଗାରୁଜା କରିଥିଲେ । ଏହାସହ କିଛି ସମର୍ଥକଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିଲେ । ଏବେ ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ‘ଏକ୍ସ ’ରେ କହିଛନ୍ତି ।

ନବୀନ କହିଛନ୍ତି ଯେ, ଦିନ ଦ୍ୱିପହରେ ଏହି ଘଟଣା ଘଟିଥିଲା । ତଥାପି ପୋଲିସ ପ୍ରଶାସନ ତଥା ସରକାର ପୁରା ନିବରଦ୍ରଷ୍ଟା ସାଜିଛନ୍ତି । ବର୍ତ୍ତମାନ ଯାଏଁ ପୁଲିସ ଘଟଣାରେ କୌଣସି ଆକ୍ସନ ନନେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି ? ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।