ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ଼ରେ ଜଙ୍ଗଲ ଅଧିକାର ରେକର୍ଡ ନିଖୋଜ ହେବା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଦଳିତ, ଓବିସି ଏବଂ ଆଦିବାସୀଙ୍କୁ ଅଧିକାରରୁ ବଞ୍ଚିତ କରିବା ପାଇଁ ରେକର୍ଡ ନଷ୍ଟ କରିବାକୁ ଏକ ନୂଆ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଏକ ରିପୋର୍ଟ ମୁତାବକ, ଛତିଶଗଡ଼ର ବସ୍ତର, ବିଜାପୁର ଏବଂ ରାଜନାନ୍ଦଗାଓଁ ଜିଲ୍ଲାରେ ଥିବା ହଜାର ହଜାର ଜଙ୍ଗଲ ଅଧିକାର ପ୍ରମାଣପତ୍ର ଆଶ୍ଚର୍ଯ୍ୟଜନକ ଭାବେ ରେକର୍ଡରୁ ହଜି ଯାଇଛି।

ରାହୁଲ ଗାନ୍ଧୀ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, "ରେକର୍ଡ ନଷ୍ଟ କରି ଅଧିକାର ଚୋରି କରିବା – ବିଜେପି ଏହାକୁ ଏକ ନୂଆ ଅସ୍ତ୍ର ଭାବେ ବ୍ୟବହାର କରୁଛି। କେଉଁଠି ଦଳିତ ଓ ଓବିସିଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଉଛି, ତ କେଉଁଠି ଆଦିବାସୀଙ୍କ ଜଙ୍ଗଲ ଅଧିକାର ପ୍ରମାଣପତ୍ରକୁ ହଜାଇ ଦିଆଯାଉଛି।" ସେ ଆହୁରି କହିଛନ୍ତି ଯେ ବସ୍ତରରେ ୨,୭୮୮ଟି ପ୍ରମାଣପତ୍ର ଏବଂ ରାଜନାନ୍ଦଗାଓଁରେ ଅଧାରୁ ଅଧିକ ପ୍ରମାଣପତ୍ର ନିଖୋଜ ହୋଇଯାଇଛି। ସମଗ୍ର ଛତିଶଗଡ଼ରେ ଥିବା ଏହିଭଳି ହଜାର ହଜାର ରେକର୍ଡ ଅଚାନକ ଭାବେ ଉଭାନ ହୋଇଯାଇଛି।

ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଜଙ୍ଗଲ ଅଧିକାର ଆଇନ (ଏଫଆରଏ)କୁ ଦୁର୍ବଳ କରୁଛି। ଯାହା ଆଦିବାସୀଙ୍କୁ ସେମାନଙ୍କ ଜମି, ଜଳ ଏବଂ ଜଙ୍ଗଲ ଉପରେ "ପ୍ରଥମ ଅଧିକାର"ରୁ ବଞ୍ଚିତ କରୁଛି। ରାହୁଲ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ କଂଗ୍ରେସ ଏହି ଅଧିକାରଗୁଡ଼ିକୁ ସୁରକ୍ଷା ଦେବ।

ଜାତୀୟ ଗଣମାଧ୍ୟମ ‘ଦ ହିନ୍ଦୁ’ ପତ୍ରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଗତ ୧୭ ମାସ ମଧ୍ୟରେ ଛତିଶଗଡ଼ର ଆଦିବାସୀ କଲ୍ୟାଣ ବିଭାଗର ରେକର୍ଡରୁ ଅତି କମରେ ତିନୋଟି ଜିଲ୍ଲାରେ ବିତରଣ କରାଯାଇଥିବା ହଜାର ହଜାର ଜଙ୍ଗଲ ଅଧିକାର ପ୍ରମାଣପତ୍ର ହଜି ଯାଇଥିବା ନେଇ ରିପୋର୍ଟ ପ୍ରକାଶ କରିଛି। ସୂଚନା ଅଧିକାର ଆଇନ (ଆରଟିଆଇ) ମାଧ୍ୟମରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, ବସ୍ତର ଜିଲ୍ଲାରେ ଜାନୁଆରୀ ୨୦୨୪ରେ ୩୭,୯୫୮ ବ୍ୟକ୍ତିଗତ ଜଙ୍ଗଲ ଅଧିକାର (ଆଇଏଫଆର) ପ୍ରମାଣପତ୍ର ଥିବାବେଳେ ମେ ୨୦୨୫ ସୁଦ୍ଧା ଏହା ୩୫,୧୮୦କୁ ଖସି ଆସିଛି। ସେହିଭଳି ରାଜନାନ୍ଦଗାଓଁରେ ସାମୁହିକ ଜଙ୍ଗଲ ସମ୍ବଳ ଅଧିକାର (ସିଏଫଆରଆର) ପ୍ରମାଣପତ୍ର ଗତ ଏକ ବର୍ଷ ଏକ ମାସ ମଧ୍ୟରେ ୪୦ରୁ ୨୦କୁ ଅଧା ହୋଇଯାଇଛି। ବିଜାପୁରରେ ମଧ୍ୟ ଏପ୍ରିଲ ୨୦୨୪ରେ ୨୯୯ରୁ ୨୯୭ଟି ସିଏଫଆରଆର ପ୍ରମାଣପତ୍ର ଥିବା ଜଣା ପଡିଛି।

ରାଜ୍ୟ ଅଧିକାରୀମାନେ ଏହି ହ୍ରାସକୁ "ମିସକମ୍ୟୁନିକେସନ" ଏବଂ "ରିପୋର୍ଟିଂରେ ତ୍ରୁଟି" କାରଣରୁ ହୋଇଥିବା ନେଇ ଦାବି କରିଛନ୍ତି। ଯାହାକୁ ସେମାନେ "ସଂଶୋଧନ" କରାଯାଇଛି ବୋଲି କହିଛନ୍ତି। ତେବେ, ବିଶେଷଜ୍ଞମାନେ ଏହାକୁ ଏକ "ଅସଙ୍ଗତି" ବୋଲି ଅଭିହିତ କରିଛନ୍ତି। କାରଣ ୨୦୦୬ର ଜଙ୍ଗଲ ଅଧିକାର ଆଇନରେ ଗ୍ରାମ ସଭାର ସମ୍ମତି ବିନା ପ୍ରମାଣପତ୍ର ପ୍ରତ୍ୟାହାର କରିବାର କୌଣସି ବ୍ୟବସ୍ଥା ନାହିଁ।

ଜଙ୍ଗଲ ଅଧିକାର ଆଇନ (ଏଫଆରଏ), ୨୦୦୬ ଅନୁସାରେ, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟଙ୍କୁ ଜଙ୍ଗଲ ବ୍ୟବହାର କରିବାର ଅଧିକାର ପ୍ରଦାନ କରେ। ମେ ୨୦୨୫ ସୁଦ୍ଧା, ଛତିଶଗଡ଼ରେ ୩୦ଟି ଜିଲ୍ଲାରେ ୪.୮୨ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ୪,୩୯୬ ସାମୁହିକ ଜଙ୍ଗଲ ସମ୍ବଳ ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଯାହା ଭାରତର ଏଫଆରଏ ଅଧୀନରେ ଥିବା ଜଙ୍ଗଲ ଅଞ୍ଚଳର ୪୩% ରୁ ଅଧିକ।

ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଆଦିବାସୀ ଏବଂ ଅନ୍ୟାନ୍ୟ ମାନଙ୍କ ଅଧିକାର ରକ୍ଷା ପାଇଁ ସଂଘର୍ଷ ଜାରି ରଖିବ।