• ଗାଡ଼ି ମାଲିକଙ୍କୁ ଅଡୁଆ ତ୍ରୁଟିପୂର୍ଣ୍ଣ ଇ-ଚାଲାଣ
  • ୯୦ ଦିନରୁ ଅଧିକ ବକେୟା ଥିଲେ, ଯାଞ୍ଚ ମନା
  • ପ୍ରଦୂଷଣ ନିୟମକୁ ମାନିବେନି ପମ୍ପ ମାଲିକ!

ଭୁବନେଶ୍ୱର,୨୬/୧୨: ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚରେ ବକେୟା ଇ-ଚାଲାଣ କେଁ ସାଜିଛି । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମୁହଁ ଶୁଖାଇ ଫେରୁଛନ୍ତି ଅନେକ । ମାତ୍ର ୯୦ ଦିନ ଭିତରେ ଇ-ଚାଲାଣ ପଇଠ ନିୟମକୁ ଅଧିକାଂଶ ଗାଡ଼ିଚାଳକ ବିରୋଧ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ଜଣାଉଛନ୍ତି । ଇ-ଚାଲାଣ ପଇଠ ଅବଧି ବଢ଼ାଇବାକୁ ସେମାନେ ଦାବି ଉଠାଇଛନ୍ତି ।

କେନ୍ଦ୍ରୀୟ ମୋଟରଯାନ ନିୟମାବଳୀ (ନିୟମ-୧୬୭) ଅନୁଯାୟୀ, ୯୦ ଦିନରୁ ଅଧିକ ଦିନ ଧରି କୌଣସି ଇ-ଚାଲାଣ ବକେୟା ଥିଲେ, ପଲ୍ୟୁସନ ସାର୍ଟିଫିକେଟ୍ ମିଳିପାରିବନି । କିନ୍ତୁ ୩ ମାସରୁ କମ୍ ବକେୟା ଇ-ଚାଲାଣ ଥିଲେ, ବୈଧ ପ୍ରଦୂଷଣ ପତ୍ର ପାଇବାରେ କିଛି ପ୍ରତିବନ୍ଧକ ନାହିଁ । ଏହାସହ ଇ-ଚାଲାଣରେ ୱାନ ଟାଇମ୍ ସେଟେଲ୍‌ମେଣ୍ଟ (ଓଟିଏସ୍) ଯୋଜନାରେ ଗତ ୩୧ ଜୁଲାଇ ଯାଏଁ ବକେୟା ଇ-ଚାଲାଣ ପଇଠରେ ରିହାତି ଦିଆଯାଉଛି । ସମସ୍ତେ ଏହି ରିହାତିର ଫାଇଦା ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପରାମର୍ଶ ଦେଇଛି ।

ଟ୍ରାଫିକ୍ ଥାନା-୧ ସାମ୍ନାରେ ବକେୟା ଇ-ଚାଲାଣ ପଇଠ କରିବାକୁ ଅପେକ୍ଷାରତ ସ୍ୱସ୍ତିକ ତ୍ରିପାଠୀ କହିଛନ୍ତି, ବେଙ୍ଗାଲୁରୁରେ ଚାକିରି ହେତୁ ୫ ମାସ ହେଲା ସେଠାରେ ଥିଲି । ମୋ ବାଇକ୍ ସବୁବେଳେ ଲକ୍ ହୋଇ ଘରେ ରହୁଥିଲା । ବେଙ୍ଗାଲୁରୁରେ ଥିବା ବେଳେ ବିନା ହେଲମେଟ୍ ବାବଦରେ ଇ-ଚାଲାଣ ମେସେଜ୍ ଆସିଲା । ପରିବହନ ବିଭାଗର ଏହି ତ୍ରୁଟିକୁ ବିରୋଧ କରିବା ମୋ ପକ୍ଷେ ସମ୍ଭବ ନଥିଲା । ୨ ଦିନ ତଳ ଘରକୁ ଫେରିବା ପରେ ପଲ୍ୟୁସନ ସାର୍ଟିଫିକେଟ୍ ଯାଞ୍ଚ ବେଳେ ଏହି ଇ-ଚାଲାଣ କେଁ ସାଜିଛି । ଏବେ କରିବି କ’ଣ?

କେବଳ ସ୍ୱସ୍ତିକ ତ୍ରିପାଠୀ ନୁହନ୍ତି, ତାଙ୍କ ଭଳି ଅନେକ ଗାଡି଼ ଚାଳକ ଅଛନ୍ତି ଯିଏ କି ସମାନ ସମସ୍ୟା ଭୋଗୁଛନ୍ତି । ଏସ୍‌ଟିର ‘ଏକ୍ସ’ ପେଜରେ ସେମାନେ ନାନା ଅଭିଯୋଗ କରିଛନ୍ତି । ଦାବି କରିଛନ୍ତି, ବକେୟା ଇ-ଚାଲାଣ ପଇଠ ପାଇଁ ସମୟ ଅବଧିକୁ ବଢ଼ାଯାଉ । ୩ ମାସ ବଦଳରେ ୬ ମାସ କରାଯାଉ । ପରିବହନ ବିଭାଗ ଏ ଦିଗରେ ଚିନ୍ତା କରୁ ବୋଲି ସେମାନେ ଅନୁରୋଧ କରିଛନ୍ତି । ‘ପ୍ରଦୂଷଣ ପ୍ରମାଣପତ୍ର ବିନା ପେଟ୍ରୋଲ ମନା’ ନିୟମ ଫେବ୍ରୁଆରୀ ଯାଏ ଟଳିଲା । ତଥାପି ପେଟ୍ରୋଲ ପମ୍ପ ମାଲିକଙ୍କ ଦ୍ୱନ୍ଦ୍ୱ ଟଳିନି କି ଗାଡି଼ ଚାଳକଙ୍କ ଟେନସନ ଦୂରେଇନି । ପିୟୁସିସି ଯାଞ୍ଚ କେନ୍ଦ୍ର ସାମ୍ନାରେ ଭିଡ଼ ଲାଗିରହିଛି । କିଛି ପମ୍ପ ମାଲିକ ଉପର ଠାଉରିଆ ଭାବେ ଏହାକୁ ମାନିବେ ବୋଲି ସଫେଇ ଦେଉଛନ୍ତି ।

ଅଲ୍ ଓଡ଼ିଶା ଅଏଲ୍ ଡିଲର୍ସ ଆସୋସିଏସନ ସଭାପତି ବିଶ୍ୱଜିତ୍ ପଟ୍ଟନାୟକ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ନିହାତି ଭାବେ ସ୍ୱାଗତଯୋଗ୍ୟ । ଭବିଷ୍ୟତ ପିଢ଼ିଙ୍କ କଥା ଭାବି ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ । କିନ୍ତୁ ଯୋଜନାକୁ ବାସ୍ତବ ରୂପ ଦେବା କିଛି ଚ୍ୟାଲେଞ୍ଜ ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି଼ରେ ପେଟ୍ରୋଲ ଭରୁଛନ୍ତି ହାତଗଣତି କର୍ମଚାରୀ । ଗାଡି଼ରେ କେବଳ ଷ୍ଟିକର ଲଗାଇଦେଲେ ଚଳିବନି । କେଉଁ ଗାଡି଼ରୁ ଷ୍ଟିକର ଲିଭିଗଲେ, କର୍ମଚାରୀମାନେ କେମିତି ଚିହ୍ନଟ କରିବେ? ଜରୁରି ସ୍ଥିତିରେ ଥିବା କୌଣସି ଗାଡି଼ ମାଲିକ ଏନେଇ ଝଗଡ଼ା କଲେ, ପମ୍ପ କର୍ମଚାରୀ କରିବେ କ’ଣ? ଦିଲ୍ଲୀ ସରକାର ଏହି ନିୟମକୁ ଲାଗୁ କରିବାରେ ବି ବିଫଳ ହୋଇଛନ୍ତି । ଯେମିତି ‘ନୋ ହେଲମେଟ, ନୋ ପେଟ୍ରୋଲ’ ସଚେତନତା କିଛି ମାତ୍ରାରେ ସଫଳ ହେଲା । ସେମିତି ଆମେ ଚେଷ୍ଟା କରିବୁ ।

ପମ୍ପ ସଂଘର ଜଣେ କର୍ମକର୍ତ୍ତା ନାମ ଗୋପନ ରଖି କହିଛନ୍ତି, ମୋଟର ଯାନ ଆଇନ୍ ଅନୁସାରେ ମାନିବାକୁ ଆମେ ବାଧ୍ୟ ନୁହଁ । ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ପାଇ ନୁହେଁ, ପେଟ୍ରୋଲ ଭରିବା ପାଇଁ ଆମେ କର୍ମଚାରୀଙ୍କୁ ଦରମା ଦେଉଛୁ । ଯାଞ୍ଚ ଆଳରେ ଆମ ବେପାରକୁ ଟାର୍ଗେଟ କରୁଛନ୍ତି ସରକାର । ବେପାରରେ କ୍ଷତି ହେଲେ, କ’ଣ ସରକାର ଭରଣା କରିବେ । ଆମେ ସଚେତନ ପାଇଁ ଚେଷ୍ଟା କରିବୁ । ହୋର୍ଡିଂ, ବ୍ୟାନର ଯୋଗେ ଲୋକଙ୍କୁ ସଚେତନ କରିବୁ । ଡିସ୍‌ପ୍ଲେ ବୋର୍ଡରେ ବି ସଚେତନତା ଭିଡିଓ ପ୍ରଦର୍ଶନ ପାଇଁ ରାଜି ଅଛୁ । ତରବରିଆ ଭାବେ ଏଭଳି ବୋଝ ଲଦିବା ପୂର୍ବରୁ ସରକାର ଆମ କଥା ଚିନ୍ତା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।