କେବଳ ବୟସ ନୁହେଁ, ଆଖପାଖର ବାତାବରଣ ମଧ୍ୟ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ବାତାବରଣ ସହ ସାମାଜିକ ପରିସ୍ଥିତି ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ଆଜିକାଲି ପ୍ରାୟ ଲୋକ ନିଜର ଶାରୀରିକ ଫିଟ୍ନେସ୍ ଓ ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବାରେ ଲାଗିଛନ୍ତି । କିନ୍ତୁ କେବେ ଭାବିଛନ୍ତି ଯେଉଁ ବାତାବରଣରେ ଆମେ ରହୁଛେ ଓ ସାମାଜିକ ପରିସ୍ଥିତି ଦେଇ ଆମେ ବଞ୍ଚୁଛେ ତାହା ଆମ ମାନସିକ ସ୍ଥିତିକୁ କେତେ ପ୍ରଭାବିତ କରୁଛି?

ନିକଟରେ ୩୪ଟି ଦେଶର ୧୮,୭୦୧ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରୁ ମିଳିଥିବା ତଥ୍ୟ ପ୍ରାୟ ଲୋକଙ୍କୁ ଆଚମ୍ବିତ କରିଦେଇଛି । ପ୍ରଦୂଷଣ, ଅଭାବ ଓ ସାମାଜିକ ଏକଲାପଣ ମିଶି ବ୍ୟକ୍ତିର ମସ୍ତିଷ୍କକୁ ୯ ଗୁଣା ତୀବ୍ର ବେଗରେ ବୟସ୍କ କରିବାରେ ଲାଗିଛନ୍ତି । ଏହି ଗବେଷଣା କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟର କଥା କହି ନଥାଏ, ବରଂ ଏକ୍ସପୋଜୋମ୍ ବିଷୟରେ କହୁଛି, ଯାହା ଦ୍ୱାରା ଆମେ ନିଶ୍ୱାସପ୍ରଶ୍ୱାସ ନେବା ସହ ବଞ୍ଚୁଛେ । ଗବେଷଣା ଅନୁସାରେ ବାୟୁ ପ୍ରଦୂଷଣ ଓ ପାଣିର ଖରାପ ଗୁଣବତ୍ତାର ସିଧାସଳଖ ପ୍ରଭାବ ମସ୍ତିଷ୍କର ସଂରଚନାକୁ ପ୍ରଭାବିତ କରିଥାଏ ।

ଯେତେବେଳେ ଆମେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ଭିତରକୁ ନେଉଛେ,ସେତେବେଳେ ଛୋଟ ଛୋଟ ଧୂଳି କଣା ଫୁସ୍ଫୁସ୍ ଜରିଆରେ ମସ୍ତିଷ୍କରେ ପହଞ୍ଚିଥାଏ । ଏହା ୩ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ ।ନ୍ୟୁରୋଇନ୍ଫ୍ଲାମେସନ୍- ମସ୍ତିଷ୍କର ଟିସୁରେ ପ୍ରଦାହ ହେବା ,ଅକ୍ସିଡେଟିଭ୍ ଷ୍ଟ୍ରେସ୍ - କୋଷିକାଗୁଡିକ ତୀବ୍ର ବେଗରେ ହ୍ରାସ ପାଇଥାନ୍ତି , ବ୍ଲଡ୍ ଭେସେଲ୍ସ ଖରାପ ହୁଏ- ମସ୍ତିଷ୍କରେ ଅମ୍ଲଜାନ ପହଞ୍ଚିବାରେ ବାଧା ପହଞ୍ଚିଥାଏ । ଏହାବ୍ୟତୀତ ସହରୀ ଜୀବନରେ ସବୁଜିମାର ଅଭାବରୁ ବଢୁଥିବା ତାପମାତ୍ରା ଚିନ୍ତାର ସ୍ତରକୁ ବଢାଇଥାଏ, ଫଳରେ ସ୍ମରଣ ଶକ୍ତି ଓ ଭାବନାକୁ ନିୟନ୍ତ୍ରିତ କରୁଥିବା ଅଙ୍ଗ ସମୟ ପୂର୍ବରୁ ଦୁର୍ବଳ ହୁଏ ।

ଆର୍ଥିକ ଅଭାବ ଓ ଅସମାନତାର ବୋଝ

ଆର୍ଥିକ ଅଭାବ କେବଳ ପକେଟ୍ ଖାଲି କରି ନଥାଏ । ବରଂ ମସ୍ତିଷ୍କକୁ ମଧ୍ୟ ସଙ୍କୁଚିତ କରିଦିଏ । ସାମାଜିକ ଓ ଆର୍ଥିକ ଅସମାନତା କାରଣରୁ ବ୍ୟକ୍ତି ସବୁବେଳେ ଜୀବନ ବଞ୍ଚିବାକୁ ନେଇ ସଂଘର୍ଷ କରୁଥାଏ ।ସୁବିଧାସୁଯୋଗର ଅଭାବ ମସ୍ତିଷ୍କର ଏକ ଅଂଶକୁ ପ୍ରଭାବିତ କରିଥାଏ, ଯାହା ତାର୍କିକ ଭାବନା ଓ କଗ୍ନେଟିଭ ପଙ୍କ୍ସନକୁ ଦାୟୀ କରିଥାଏ । ସାମାଜିକ ଅସୁରକ୍ଷା କାରଣରୁ ହେଉଥିବା ମାନସିକ ଚିନ୍ତା ନ୍ୟୁରୋନ୍ସ ଭିତରେ ଥିବା ସମ୍ପର୍କକୁ ଦୁର୍ବଳ କରିଦେଇଥାନ୍ତି ।

ଏକଲାପଣ ମଧ୍ୟ ଏକ କାରଣ

ଏକଲାପଣ ଆଜିକାଲି ଏକ ମହାମାରୀ ପରି ମାଡି ଚାଲିଛି । ଗବେଷଣାରୁ ଜଣାପଡିଛି ଯେଉଁମାନଙ୍କ ପାଖରେ ସାମାଜିକ ସହଯୋଗର ଅଭାବ ରହିଥାଏ, ସେମାନଙ୍କରେ ବୟସ ବଢିବାର ଲକ୍ଷଣ ସାମାଜିକ ଭାବେ ସକ୍ରିୟ ଥିବା ଲୋକଙ୍କଠାରୁ ଅଧିକ ରହିଥାଏ । ଏକଲାପଣ ମସ୍ତିଷ୍କରେ କର୍ଟିସୋଲ୍ ହର୍ମୋନ୍ସ୍ତରକୁ ବଢାଇଥାଏ, ଯାହା ସିଧାସଳଖ ଭାବେ ଖୁସିକୁ ପ୍ରଭାବିତ କରିଥାଏ ।

ମସ୍ତିଷ୍କ ଉପରେ ଏକା ସାଙ୍ଗରେ ଆକ୍ରମଣ

ଯେତେବେଳେ ମସ୍ତିଷ୍କ ଉପରେ ଭୌତିକ ଓ ସାମାଜିକ କାରକଗୁଡିକ ଏକା ସାଙ୍ଗରେ ଆକ୍ରମଣ କରିଥାନ୍ତି, ଏହାର ପ୍ରଭାବ ବହୁଗୁଣା ବଢିଯାଇଥାଏ ।