ଖଲ୍ଲିକୋଟ : ବେକ ଯନ୍ତ୍ରଣା ତାଙ୍କୁ କରିଛି ଅସହ୍ୟ। ଜୀବନ ସହ କରୁଛନ୍ତି ସଂଘର୍ଷ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବେକ ଅପରେସନ ପାଇଁ ପାଖରେ ଅର୍ଥ ନାହିଁ। ସେ ହେଉଛନ୍ତି ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ୧୦ନଂ ୱାର୍ଡ ବାଲୁକେଶ୍ୱର ପୁର ଗ୍ରାମର ଟିଟୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ( ୧୬ ବର୍ଷ)। ମେଡିକାଲ ବେଡରେ ପଡି ଜୀବନ ସହ କରୁଛନ୍ତି ସଂଘର୍ଷ। ଚିକିତ୍ସା ପାଇଁ ଦିନ ପରେ ଦିନ ବିତି ଚାଲିଛି। ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି ଦୀପକ। 

ଦୀପକଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା, ସେ ଏକ ଦୁର୍ଘଟଣାରେ ତଳେ ଜୋରରେ ଖସି ପଡ଼ି ଥିଲେ। ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗି ଥିଲା। କିନ୍ତୁ ସେତେବେଳେ ଚିକିତ୍ସା ପରେ ଦୀପକ ସୁସ୍ଥ ହୋଇ ଯାଇ ଥିଲେ। ହେଲେ ଏବେ ତାଙ୍କର ସେହି ପୁରୁଣା ଆଘାତରୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକ ଦୀପକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପରେ ଜାଣିବାକୁ ପାଇଲେ ପୂର୍ବରୁ ହୋଇଥିବା ଅପରେସନରେ ବେକ ପାଖରେ ଗୋଟିଏ ଶିର ଚାପି ହୋଇ ରହିଛି। ଯାହାଫଳରେ ସେ ଅସୁସ୍ଥ ହୋଇଛନ୍ତି। ତେବେ ସେହି ଶିରକୁ ଠିକ୍‌ କରିବା ପାଇଁ ପୁଣି କରିବାକୁ ପଡ଼ିବ ଅପରେସନ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦୀପକଙ୍କ ଚିକିତ୍ସା ହେଉଛି। ତେବେ ପିଲା ବେଳର ସେହି ଦୁର୍ଘଟଣା ପୁଣି ୧୨ ବର୍ଷ ପରେ ବାହାରିବ ତାହା କେହି ବିଶ୍ୱାସ କରି ନଥିଲେ। କାରଣ ସେତେବେଳେ ଘଟଣା ପରେ ଚିକିତ୍ସା ହୋଇ ଦୀପକ ପୂରା ସୁସ୍ଥ ହେବା ସହ, ଯୁକ୍ତ ଦୁଇରେ ପାଠ ପଢୁ ଥିଲେ। 

ଏବେ ଦୀପକଙ୍କ ଏପରି ଅବସ୍ଥା ଦେଖି ପରିବାର ଓ ସାହି ପଡିଶାଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଦୀପକ ମେଡିକାଲ ବେଡରେ ପଡିଥିବା ବେଳେ ବର୍ତ୍ତମାନ ପାଖାପାଖି ୧୦ଲକ୍ଷ ଟଙ୍କା ସରିଲାଣି। ତା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଥିବା ସମସ୍ତ ଟଙ୍କା ମଧ୍ୟ ସରି ଯାଇଛି। 

ଏବେ ଦୀପକଙ୍କ ପାଇଁ ଆହୁରି ୧୨ ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ତେବେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ କେମିତି ପୁଅର ଚିକିତ୍ସା କରିବେ, ସେ ଚିନ୍ତାରେ ପଡିଥିବା ବେଳେ ଦୀପକର ବଡ଼ ଭାଇ ମାନସ ପ୍ରଧାନ ଓ ଦୀପକଙ୍କ ସାଙ୍ଗ ମାନେ ଗାଁକୁ ଗାଁ ଓ ଘରକୁ ଘର ବୁଲି ଭିକ୍ଷା ମାଗୁଛନ୍ତି। କିଏ ୧୦ ଟଙ୍କା , କିଏ ୨୦ ଟଙ୍କା ଦେଉଥିବା ବେଳେ ସାଙ୍ଗମାନେ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦୀପକଙ୍କୁ ସରକାରୀ ସହାୟତା ଯୋଗାଇଲେ ଦୀପକଙ୍କ ଅପରେସନ ହେବା ସହ ଦୀପକଙ୍କ ଜୀବନ ବଞ୍ଚି ଯାଇ ପାରିବ ବୋଲି କହିଛନ୍ତି ସାଙ୍ଗସାଥିମାନେ।

ଦୀପକର ମାଆ ଶାନ୍ତି ପ୍ରଧାନ ପୁଅର ଜୀବନ ବଞ୍ଚାଇ ଦେବାକୁ ରାଜ୍ୟ ସରକାରଙ୍କୁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି। ଯେକୌଣସି ସ୍ୱେଚ୍ଛାସେବୀ ସଙ୍ଗଠନ କିମ୍ବା ସହୃଦୟ ବ୍ୟକ୍ତି ଦୀପକଙ୍କୁ ସହାୟତା ଯୋଗାଇବା ପାଇଁ ଦୀପକଙ୍କ ଭାଇ ମାନସ ପ୍ରଧାନଙ୍କ ଫୋନ୍‌ ପେ ନମ୍ବର - ୬୩୭୧୭୨୧୦୭୦ କିମ୍ବା ଏକ୍ସିସ ବ୍ୟାଙ୍କ ଆକାଉଣ୍ଟ ନଂ – ୯୨୨୦୧୦୦୨୬୩୫୯୩୪୨ରେ ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।