ଓଡ଼ିଶା ଆସି, ନିଜର ମୂଳ ସହିତ  ଯୋଡ଼ିହେବାର ଅନନ୍ୟ ସୁଯୋଗ  ପାଇବେ ପ୍ରବାସରେ ରହୁଥିବା  ଭାରତୀୟ । ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ ସମସ୍ତଙ୍କ  ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ ।  ଆଜିର ଏ ମହାର୍ଘ ଅବସରରେ  ଆଶା କରିବି ଯେ ପ୍ରବାସୀ ମାନେ ବି  ଓଡ଼ିଶା ପ୍ରତି ସେମାନଙ୍କ ଆତ୍ମୀୟତା  ଓ ଭଲପାଇବାର ଉଦାହରଣ ଦେଇ  ଏ ମାଟିର ସ୍ୱାଭିମାନକୁ ଗୌରବାନ୍ୱିତ  କରିବେ । ପ୍ରବାସୀ ଭାରତୀୟଙ୍କ  ପାଖରୁ ଆର୍ଥିକ, ବୈଷୟିକ ଏବଂ  କୌଶଳଗତ ସହଯୋଗ ମିଳିଲେ,  ଓଡ଼ିଆ ଯୁବସମ୍ପଦ ମଧ୍ୟ ଅସୀମିତ  ଉନ୍ନତି ପଥରେ ଆମ ରାଜ୍ୟକୁ  ଆଗେଇ ନେଇ ପାରିବେ । ଏକ  ସୁସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର  କରିବା ଦିଗରେ ଗର୍ବର ସହ  ଅଗ୍ରସର ହୋଇପାରିବା ।


ଆମ ରାଜ୍ୟର ସୌଭାଗ୍ୟ ଯେ, ଅଷ୍ଟାଦଶ ପ୍ରବାସୀ  ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ  ଅନୁଷ୍ଠିତ ହେଉଛି । ଏହି ଭବ୍ୟ ସମାରୋହ ଆସନ୍ତା  ଜାନୁଆରୀ ୮ ତାରିଖରୁ ତିନି ଦିନ ଧରି ଭୁବନେଶ୍ୱର  ଜନତା ମଇଦାନରେ ଅନୁଷ୍ଠିତ ହେବ । ଗତ ଡିସେମ୍ବର  ୧୬ ତାରିଖରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ  ଭବନସ୍ଥିତ ସିବି ମୁଥାମା ହଲ୍‌ରେ ଏହି ମହୋତ୍ସବର  ୱେବ୍‌ସାଇଟ୍‌ ବୈଦେଶିକ ମନ୍ତ୍ରୀ ଡ. ସୁବ୍ରମଣ୍ୟମ୍‌  ଜୟଶଙ୍କର ଓ ମୁଁ ନିଜେ ଉପସ୍ଥିତ ରହି ମିଳିତ ଭାବେ  ଉନ୍ମୋଚନ କରିଥିଲୁ । ତିନିଦିନିଆ ଏହି ସମାରୋହ  ଆଗାମୀ ୮ରୁ ୧୦ ତାରିଖ ଯାଏ ଚାଲିବ । ଏହି  ସମ୍ମାନଜନକ ସମାରୋହକୁ ଓଡ଼ିଶାରେ ଅନୁଷ୍ଠିତ କରିବା  ପାଇଁ ବୈଦେଶିକ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲେ, ଆମ  ସରକାର ଆଗ୍ରହର ସହିତ ଅନୁମୋଦନ ଦେଇଥିଲୁ ।  ସମାରୋହର ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହ, ବୈଦେଶିକ ମନ୍ତ୍ରୀ ଡ. ଜୟଶଙ୍କର ଓ ଅନେକ  କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ । ପ୍ରବାସୀ ଭାରତୀୟଙ୍କ ସହ  ଦେଶର ଯୁବପିଢ଼ିଙ୍କୁ ଦୃଢ଼ ସଂଯୋଗ କରିବା  ପ୍ରବାସୀ ଭାରତୀୟ ଦିବସ ପାଳନର ମୂଳ ଲକ୍ଷ୍ୟ । 

ଆମେ ଜାଣୁ ଯେ, ଗୋପାଳକୃଷ୍ଣ  ଗୋଖଲେଙ୍କ ଡାକରାରେ ୧୯୧୫ ଜାନୁଆରୀ  ୯ରେ ଦକ୍ଷିଣ ଆଫ୍ରିକାରୁ ଜାତିର ପିତା ମହାତ୍ମା  ଗାନ୍ଧି ଭାରତ ଫେରି ଆସିଥିଲେ । ତାଙ୍କର  ସ୍ମରଣୀୟ ଆଗମନକୁ ଉତ୍ସବ ଭାବେ ପାଳନ  କରିବା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ପ୍ରବାସୀ  ଭାରତୀୟ ଦିବସ ପାଳନ କରାଯାଉଛି । ଦେଶର  ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ  ପାଇଁ ଭାରତରେ ଆମେ ୯ ଜାନୁଆରୀ ୨୦୦୩ରୁ ପ୍ରବାସୀ  ଭାରତୀୟ ଦିବସ ପାଳନ କରିଆସୁଛେ । ଅଟଳ ବିହାରୀ  ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲା ବେଳେ,  ପ୍ରବାସୀ ଭାରତୀୟଙ୍କ ସମ୍ପର୍କରେ ଅନୁଧ୍ୟାନ କରି ବିସ୍ତୃତ  ବିବରଣୀ ପ୍ରଦାନ କରିବାକୁ ବିଶିଷ୍ଟ ବୈଦେଶିକ ନୀତି  ବିଶେଷଜ୍ଞ ଡ. ଲକ୍ଷ୍ମୀ ମଲ୍‌ ସିଂଘ୍‌ଭୀଙ୍କ ନେତୃତ୍ୱରେ  ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ୨୦୦୨  ଜାନୁଆରୀ ୮ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ  ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଅଟଳଜୀ  ବିବରଣୀକୁ ଗ୍ରହଣ କରି ଘୋଷଣା କରିଥିଲେ ଯେ,  ମହାତ୍ମା ଗାନ୍ଧିଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଦିବସ ଜାନୁଆରୀ  ୯ ତାରିଖକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ  କରାଯିବ । ସେହି ଘୋଷଣା ଅନୁସାରେ, ପ୍ରବାସୀ  ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ  ହୋଇଥିଲା । ୨୦୦୩ରୁ ୨୦୧୫ ଯାଏ ପ୍ରତ୍ୟେକ ବର୍ଷ  ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପରବର୍ତ୍ତୀ କାଳରେ  ପ୍ରତିବର୍ଷ ନକରି ଦୁଇ ବର୍ଷରେ ଥରେ ଆୟୋଜନ  କରାଯାଉଛି । 

ଅତୀତରେ ମହାରାଷ୍ଟ୍ରର ମୁମ୍ବାଇ, ଅବିଭାଜିତ  ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ, ଗୁଜରାଟର ଗାନ୍ଧିନଗର,  କର୍ଣ୍ଣାଟକର ବେଙ୍ଗାଲୁରୁ, ଉତ୍ତର ପ୍ରଦେଶର ବାରାଣାସୀ  ଏବଂ ମଧ୍ୟ ପ୍ରଦେଶର ଇନ୍ଦୋରରେ ଥରେ ଲେଖାଏଁ,  ରାଜସ୍ଥାନର ଜୟପୁର ଏବଂ କେରଳର କୋଚିରେ  ଦୁଇଥର ଲେଖାଏଁ, ନୂଆଦିଲ୍ଲୀରେ ଅନ୍ୟ ସମସ୍ତ ଥର  ଏହି ଉତ୍ସବ ଅନୁଷ୍ଠାନ କରାଯାଇ ଥିଲା । ପ୍ରଥମ ଥର  ପାଇଁ ପୂର୍ବାଞ୍ଚଳ ରାଜ୍ୟରେ ଏଭଳି ଭବ୍ୟ ସମାରୋହ  ହେବାକୁ ଯାଉଛି ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ବିକଶିତ ଓଡ଼ିଶା ପାଇଁ ପ୍ରତିବଦ୍ଧତା କାରଣରୁ ସମ୍ଭବ  ହେବାକୁ ଯାଉଛି । ପୂର୍ବୋଦୟ ସଂକଳ୍ପର ସଫଳ ରୂପାୟନ  ପାଇଁ ଓଡ଼ିଶା ଯେ ଅପାର ସମ୍ଭାବନାର ଗନ୍ତାଘର, ତାହା  ପ୍ରଧାନମନ୍ତ୍ରୀ ପ୍ରମାଣିତ କରିଛନ୍ତି। ଆଜି ମଧ୍ୟ ଆମ ରାଜ୍ୟ  ସଫଳତାର ସହ ଆଗକୁ ଅଗ୍ରସର ହେଇଛି ।  

ଆସନ୍ତା ୯ ତାରିଖ ଠାରୁ ପ୍ରବାସୀ ଭାରତୀୟ ଦିବସ  ପାଳନ ସମୟରେ ପ୍ରାୟ ୭ ହଜାର ଅତିଥି ଏବଂ ପ୍ରତିନିଧି  ଯୋଗଦେବାର ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ବିଦେଶ ମନ୍ତ୍ରଣାଳୟ  କ୍ରମାଗତ ଭାବେ ପ୍ରବାସୀ ଭାରତୀୟ ଏବଂ ଭାରତୀୟ  ବିଦେଶୀମାନଙ୍କ (ବଂଶୋଦ୍ଭବ) କଲ୍ୟାଣକୁ ପ୍ରାଥମିକତା  ଦେଇ ଆସୁଛନ୍ତି । ଏହି ସମ୍ମାନଜନକ ସମାରୋହରେ  ସେମାନଙ୍କ ପ୍ରତିନିଧି ତଥା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ  ହାସଲ କରି ଭାରତକୁ ଗର୍ବିତ କରିଥିବା ଭାରତୀୟ-ବିଦେଶୀମାନେ ଯୋଗଦେବେ, ଯାହା ଆମ ରାଜ୍ୟ ପାଇଁ  ମଧ୍ୟ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବ ଓ ସେମାନଙ୍କ  ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ  କରିବାର ଏକ ସୁଯୋଗ ମିଳିବ । ଜି-୨୦ ସମ୍ମିଳନୀ  ବେଳେ, ପ୍ରଧାନମନ୍ତ୍ରୀ ମୋଦିଜୀ କୋଣାର୍କ ଚକ୍ର  ସମ୍ମୁଖରେ ବିଶ୍ୱନେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯାହା  ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ, ଓଡ଼ିଶାକୁ  ଆସୁଥିବା ପ୍ରବାସୀ ଭାରତୀୟ ଅତିଥିମାନଙ୍କ ପାଇଁ  ଆମର କଳା, ସମୃଦ୍ଧ ଇତିହାସ, ପରମ୍ପରା, ସଂସ୍କୃତି  ଏବଂ ଐତିହ୍ୟ ତଥା ଆଥିଥେୟତା ନିଶ୍ଚିତ ସ୍ମରଣୀୟ  ଅନୁଭୂତି ଆଣିଦେବ ।  

ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ ଦୁଇବର୍ଷ  ତଳେ ଇନ୍ଦୋରରେ ୧୭ତମ ପ୍ରବାସୀ ଭାରତୀୟ ଦିବସ  ସମ୍ମିଳନୀ ଆୟୋଜିତ ହୋଇଥିଲା । ତାହାର ମୂଳାଧାର  ଥିଲା- ‘ପ୍ରବାସୀ: ଅମୃତକାଳରେ ଭାରତର ପ୍ରଗତିରେ  ବିଶ୍ୱସନୀୟ ଭାଗିଦାର’ । ଏଥିରେ ପ୍ରାୟ ୭୦ଟି  ଦେଶରୁ ୬ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଭାଗ  ନେଇଥିଲେ । ଭୁବନେଶ୍ୱର ସମାରୋହର ମୂଳାଧାର  ବା ଥିମ୍‌ ରହିବ- ‘ବିକଶିତ ଭାରତ ପାଇଁ ପ୍ରବାସୀ  ଭାରତୀୟଙ୍କ ଅବଦାନ’ । ଏହି ସମ୍ମିଳନୀରେ ତିନିଟି  ଭାଗ ରହିବ । ଏହି ତିନିଦିନିଆ ମହୋତ୍ସବରେ ବିଭିନ୍ନ  ପ୍ରସଙ୍ଗ ଆଧାରରେ ପାଞ୍ଚଗୋଟି ବିଷୟବସ୍ତୁ ଉପରେ  ଆଲୋଚନା କରାଯିବାକୁ ସ୍ଥିର ହୋଇଛି । ସେଗୁଡିକ  ରହିବ: ୧. ପରିସୀମା ବାହାରେ: ବୈଶ୍ୱିକ ପୃଥିବୀରେ  ପ୍ରବାସୀ ଯୁବ-ଭାରତୀୟଙ୍କ ନେତୃତ୍ୱ, ୨. ପ୍ରତିବନ୍ଧକ  ଭାଙ୍ଗି ସେତୁ ନିର୍ମାଣ: ସ୍ଥାନାନ୍ତର କୌଶଳର କାହାଣୀ,  ୩. ସବୁଜ ସଂଯୋଗ: ସ୍ଥାୟୀ ସମାବେଶୀ ବିକାଶରେ  ପ୍ରବାସୀଙ୍କ ଅବଦାନ, ୪. ପ୍ରବାସୀ ଦିବସ: ମହିଳା  ନେତୃତ୍ୱ ଏବଂ ପ୍ରଭାବର ଇସ୍ତାହାର - ନାରୀ ଶକ୍ତି ୫.  ପ୍ରବାସୀ ଭାରତୀୟଙ୍କ ମୁହଁରୁ: ସଂସ୍କୃତି, ସଂଯୋଗ ଓ  ସମ୍ପର୍କର କାହାଣୀ । 

ସମ୍ମିଳନୀର ପ୍ରଥମ ଦିନଟିକୁ ଯୁବ-ପ୍ରବାସୀ  ଭାରତୀୟ ଦିବସ ରୂପେ ଉତ୍ସର୍ଗ କରାଯାଉଛି ।  ଆମ୍ଭେମାନେ ଭାରତର ମାନ୍ୟବର ସ୍ୱରାଷ୍ଟ୍ର ମନ୍ତ୍ରୀ,  ବୈଦେଶିକ ବ୍ୟାପାର ମନ୍ତ୍ରୀ, ଯୁବ ବ୍ୟାପାର ଏବଂ  କ୍ରୀଡ଼ା ମନ୍ତ୍ରୀଙ୍କ ସହିତ ସମ୍ମିଳିତ ଭାବେ ଯୁବ-ପ୍ରବାସୀ  ଭାରତୀୟ ଦିବସକୁ ଉଦ୍‌ଘାଟନ କରିବୁ । ଦ୍ୱିତୀୟ  ଦିବସରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସମ୍ମିଳନୀକୁ ବିଧିବଦ୍ଧ ଉଦ୍‌ଘାଟନ କରିବେ । ପରବର୍ତ୍ତୀ  ଦିବସର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟ  ସମ୍ମାନ ଓ ପୁରସ୍କାର ପ୍ରଦାନ କରିବା ସହିତ ଦୀକ୍ଷାନ୍ତ  ଅଭିଭାଷଣ ପ୍ରଦାନ କରିବେ ଭାରତର ମାନ୍ୟବର  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।  

ଓଡ଼ିଶାବାସୀ ନୂଆ ସରକାରଙ୍କ ଠାରୁ ସୁଶାସନ,  ପ୍ରଗତି, ଓଡ଼ିଆ ଅସ୍ମିତାର ଉପସ୍ଥିତି ଅନୁଭବ କରିବାକୁ  ଚାହାନ୍ତି ଏବଂ ଏହା ସେମାନେ ଆଶା କରିବା ମଧ୍ୟ  ସ୍ୱାଭାବିକ । ଆମ ରାଜ୍ୟ ଓଡ଼ିଶା କାଳେକାଳେ ଉନ୍ନତ  ସାଂସ୍କୃତିକ ବିଚାରାଧାରା ଓ ମାନବିକତାର ଜୟଗାନ  କରିଆସିଛି । ଏହାର ପ୍ରାକୃତିକ ସମ୍ପଦ, ବ୍ୟାପ୍ତ ସାମୁଦ୍ରିକ  ଉପକୂଳ, ନଦନଦୀ, ଜଙ୍ଗଲ ଅନନ୍ୟ । ଓଡ଼ିଶାର ସଂସ୍କୃତି  ସମ୍ପନ୍ନ ଶାନ୍ତିପ୍ରିୟ ମାନବ ସମ୍ବଳ ଅନୁପମ । ଏ ସମସ୍ତ  ଉପାଦାନ ସହିତ ପ୍ରବାସୀ ଭାରତୀୟଙ୍କ ପାଖରୁ ଆର୍ଥିକ,  ବୈଷୟିକ ଏବଂ କୌଶଳଗତ ସହଯୋଗ ମିଳିଲେ,  ଓଡ଼ିଆ ଯୁବସମ୍ପଦ ମଧ୍ୟ ଅସୀମିତ ଉନ୍ନତି ପଥରେ  ଆମ ରାଜ୍ୟକୁ ଆଗେଇ ନେଇ ପାରିବେ । ଆସନ୍ତା ୨୮  ଓ ୨୯ ତାରିଖରେ ଆମେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌  ୨୦୨୫ ଆୟୋଜନ କରିବାକୁ ଯାଉଛୁ, ଯେଉଁଥିରେ  ଦେଶ ଓ ବିଦେଶର ଶିଳ୍ପପତି, ପୁଞ୍ଜି ବିନିଯୋଗକାରୀ  ଓ ଅନେକ ଯୁବ ଉଦ୍ୟୋଗୀ ଷ୍ଟାର୍ଟଅପ୍‌ ଯୋଗଦେବେ ।  ଓଡ଼ିଶାକୁ ୨୦୩୬ ବେଳକୁ ଏକ ବିକଶିତ ରାଜ୍ୟରେ  ପରିଣତ କରିବାର ସଂକଳ୍ପ ଆମେ ନେଇଛୁ ଏବଂ  ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗ ପାଉଛୁ । ଆମେ  ଭୁଲିଯିବା ଉଚିତ ନୁହେଁ କି ବୀର ପ୍ରସବିନୀ ଏହି ମାଟି  ଘାତ ପ୍ରତିଘାତ ଓ ସଂଘର୍ଷର ସୁନାମି ଭିତରେ ବି ଦୃଢ଼  ଇଛାଶକ୍ତି ଓ ଅଦମ୍ୟ ସାହସର ହିମାଳୟ ହୋଇ ଠିଆ  ହେବା ଶିଖିଛି । ଯାତନାର ମହାବାତ୍ୟା ଆମ ଧନ ଜୀବନ  ନେଇଯାଇ ଥାଇପାରେ । କିନ୍ତୁ ଅଟଳ ଅଚଳ ମହାମେରୁ  ପରି ମନକୁ ଟିକିଏ ବି ଦୋହଲାଇ ପାରିନାହିଁ ।  

ଓଡ଼ିଶା ମାଟିରେ କୌଣସି ଗୋଟିଏ କାର୍ଯ୍ୟକ୍ରମରେ  ଦେଶର ଶୀର୍ଷ ନେତୃତ୍ୱଙ୍କ ସମେତ ପ୍ରତିଷ୍ଠିତ ପ୍ରବାସୀ  ଭାରତୀୟ ଏକାଠି ହେବାର ବିରଳ ସୁଯୋଗ ସୃଷ୍ଟି କରିବ  ଏହି ମହାମଞ୍ଚ । ଓଡ଼ିଶାରୁ ଯାଇ ଯେଉଁମାନେ ବିଦେଶରେ  ବସବାସ କରି ରହୁଛନ୍ତି, ସେମାନେ ଓଡ଼ିଶା ଆସି,  ନିଜର ମୂଳ ସହିତ ଯୋଡ଼ିହେବାର ଅନନ୍ୟ ସୁଯାଗ  ପାଇବେ । ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ  ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ । ଅତିଥି  ପରାୟଣତାର ଶ୍ରେଷ୍ଠ ଉଦାହରଣ ସୃଷ୍ଟି ପାଇଁ ପ୍ରବାସୀ  ଭାରତୀୟ ଦିବସ ଆମକୁ ଯେଉଁ ସୁଯୋଗ ଦେଇଛି,  ତାହାକୁ ସୁଚାରୁ ରୂପେ ସମ୍ପାଦନ କରି ଆସନ୍ତୁ, ଆମେ  ଓଡ଼ିଆ ଅସ୍ମିତାର ବୈଜୟନ୍ତୀ ଉଡ଼ାଇବା । ଓଡ଼ିଆ ପ୍ରେମ  ଓ ଉତ୍କର୍ଷକୁ ବିଶ୍ୱାସର ବର୍ଣ୍ଣବୋଧ କରି ଆଗକୁ ବଢ଼ିବା ।  ଆଜିର ଏ ମହାର୍ଘ ଅବସରରେ ଆଶା କରିବି ଯେ ପ୍ରବାସୀ  ମାନେ ବି ଓଡ଼ିଶା ପ୍ରତି ସେମାନଙ୍କ ଏକାନ୍ତ ଆତ୍ମୀୟତା ଓ  ଭଲପାଇବାର ଉଦାହରଣ ଦେଇ ଏ ମାଟିର ସ୍ୱାଭିମାନକୁ  ଗୌରବାନ୍ୱିତ କରିବେ ।