ନୂଆଦିଲ୍ଲୀ,୩୧।୭: ବହୁଚର୍ଚ୍ଚିତ ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଆସିଛି ଚୂଡାନ୍ତ ରାୟ । ୧୭ ବର୍ଷ ପରେ ରାୟ ଶୁଣାଇଛନ୍ତି ଏନ୍ଆଇଏ କୋର୍ଟ । ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କୋର୍ଟଙ୍କ ରାୟ ପରେ ସ୍ବାଧୀ ପ୍ରଜ୍ଞା ଖୁବ୍ ଇମୋସନାଲ ହୋଇଯାଇଥିଲେ। ତାଙ୍କ ଆଖିରେ ଲୁହ ଆସି ଯାଇଥିଲା। ସେ କହିଛନ୍ତି, ମୁଁ ବହୁ ବର୍ଷ ପର୍ଯ୍ୟନ୍ତ ଅପମାନ ସହିଛି। ବହୁବାର ସଂଘର୍ଷ କରିଛି। ମୋତେ ସେତେବେଳେ କଳଙ୍କିତ କରାଗଲା, ଯେତେବେଳେ ମୁଁ ଦୋଷୀ ନଥିଲି। ଆଜି ଭଗଓ୍ବା ରଙ୍ଗ ଜିତିଛି, ହିନ୍ଦୁତ୍ୱ ଜିତିଛି। ଭଗଓ୍ବା ରଙ୍ଗକୁ ଆତଙ୍କବାଦର ପ୍ରତୀକ ବୋଲି କରୁଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି। ମୋ ଜୀବନର ୧୭ ବର୍ଷ ନଷ୍ଟ ହୋଇଗଲା। ଯେଉଁମାନେ ଆମକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ, ଭଗବାନ ସେମାନଙ୍କୁ ଦଣ୍ଡ ଦେବେ।
ବିଚାରପତି ଏକେ ଲୋହଟିଙ୍କ ଆଗରେ ପ୍ରଜ୍ଞା କହିଥିଲେ, ମୋତେ ତଦନ୍ତରେ ସାମିଲ ହେବାକୁ ଡକା ଯାଇଥିଲା। ମୁଁ ଯେତେବେଳେ ପହଁଞ୍ଚିଲି ମୋତେ ଗିରଫ କରିନେଲେ। ମୋ ଉପରେ ଖୁବ୍ ଅଚ୍ୟାଚାର ହୋଇଛି। ଏହି ଅତ୍ୟାଚାର ମୋ ଜୀବନକୁ ପୁରା ନଷ୍ଟ କରିଦେଲା। ମୁଁ ସନ୍ୟାସିନୀର ଜୀବନ ବଞ୍ଚୁଥିଲି, କିନ୍ତୁ ମୋତେ ମିଛରେ ଅଭିଯୁକ୍ତ କରିଦେଲେ। ସେତେବେଳେ ଆମ ସହ କେହି ଠିଆ ହେବାକୁ ନଥିଲେ। ଆଜି ମୁଁ ବଞ୍ଚିଛି, କାହିଁକି ନାଁ ମୁଁ ଜଣେ ସନ୍ୟାସୀନି। ମୁଁ ପ୍ରତିଦିନ ମରି ମରି ଜୀବନ ବଞ୍ଚୁଛି।’
୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ନାସିକର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ ବନ୍ଧା ହୋଇଥିବା ଏକ ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପ୍ରଜ୍ଞା ଠାକୁର ଏବଂ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ବ୍ୟତୀତ, ମେଜର ରମେଶ ଉପାଧ୍ୟାୟ (ଅବସରପ୍ରାପ୍ତ), ଅଜୟ ରାହିରକର, ସୁଧାକର ଦ୍ୱିବେଦୀ ଏବଂ ସୁଧାକର ଚତୁର୍ବେଦୀଙ୍କୁ NIA କୋର୍ଟ ଦୋଷମୁକ୍ତ କରିଛନ୍ତି। ସମସ୍ତଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଏବଂ ଭାରତୀୟ ଦଣ୍ଡ ସଂହିତା (IPC) ର ବ୍ୟବସ୍ଥା ଅନୁଯାୟୀ ବିଚାର କରାଯାଉଥିଲା। କୋର୍ଟ ଏହି ମାମଲାରେ ଶୁଣାଣି କରି ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହ ପୀଡିତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।