ଭୁବନେଶ୍ୱର, ୨୫/୫: ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଏବେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଦୁର୍ଘଟଣା ଯୋଗୁ କାହାର ସମ୍ପୂର୍ଣ୍ଣ ପରିବାର ଉଜୁଡି ଯାଉଛି। ଆଉ କିଏ ସନ୍ତାନଶୂନ୍ୟ ହୋଇଛି ତ କାହା ମଥାର ସିନ୍ଦୁର ଲିଭି ଯାଉଛି। ଏମିତିକି ସାବିତ୍ରୀ ପୂଜା ସାମଗ୍ରୀ କିଣିବାକୁ ବଜାର ଯାଇ ଆଉ ଫେରିନାହାନ୍ତି ସତ୍ୟବାନ। ତେଣୁ ଯୁବପିଢୀ ସଡକ ସୁରକ୍ଷା ନେଇ ସଚେତନ ହୁଅନ୍ତୁ। ନିୟମ ମାନି ଚଳିଲେ ଦୁର୍ଘଟଣା ରୋକି ହେବ ବୋଲି କହିଛନ୍ତି ଦ୍ରଵ୍ୟ ଓ ସେବା କର ଅତିରିକ୍ତ ଆୟୁକ୍ତ କାନନବାଳା ନାୟକ।ରବିବାର ରୋଟାରୀ ଭବନରେ ଗିରିଜା ମେଧା ଓ ଦେବଦୂତ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜିଙ୍ଗ ଟ୍ରଷ୍ଟି ଅମିୟବାଳା ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ନାୟକ ଏହା କହିଛନ୍ତି।
ସେହିପରି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଫେସର ମାନସ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ,ଟେକ୍ନୋଲୋଜିର ଭଲ ଓ ମନ୍ଦ ଉଭୟ ଦିଗ ରହିଛି। ଆମେ ତାକୁ କିଭଳି ନେବା ତାହା ଆମ ଉପରେ ନିର୍ଭର କରେ। ଛାତ୍ରଛାତ୍ରୀ ଜାଣିଛନ୍ତି ମୋବାଇଲର ଅତ୍ୟଧିକ ବ୍ୟବହାର କ୍ଷତିକାରକ। ତଥାପି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରୁଛନ୍ତି। ଯାହା ସମାଜରେ ପାଇଁ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି।
ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି, ସଡକ ସଚେତନତାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସୁର ଭାଇବ୍ରେସନ ପ୍ରତିଷ୍ଠାତା ଡକ୍ଟର ଜୟଶ୍ରୀ ଧଳ ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ରାଜ୍ୟରେ ଆହୁରି ବ୍ୟାପକ ହେବ ବୋଲି ଶ୍ରୀମତୀ ପରିଡା କହିଥିଲେ। ଏହି ଅବସରରେ ଦଶମ ପାସ କରିଥିବା ୨୬ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଗିରିଜା ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଅଭିନେତ୍ରୀ ଶ୍ଵେତା ସାହୁ, ଅଭିନେତା ତୁଫାନ ସ୍ୱାଇଁ ଛାତ୍ର, ଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ। ବର ହୋଇଥିଲେ ବି ବିବାହ ଶୋଭାଯାତ୍ରା ବେଳେ ଆମ୍ବୁଲାନ୍ସକୁ ବାଟ କଢ଼ାଇ ଦେଇଥିବା ସାମ୍ବାଦିକ ସମ୍ବିତ କୁମାର ବେହେରାଙ୍କୁ 'ଗିରିଜା ଦେବଦୂତ ସମ୍ମାନ', ପ୍ରେମାନନ୍ଦ ମଲ୍ଲିକଙ୍କୁ 'ପ୍ରେରଣା ସମ୍ମାନ', ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ, ସୁମନ୍ତ ସୁନ୍ଦରାୟ, ଅନୀଲ ବୈଶାଖ, ଅନୁରାଧା ମହାରଣା, ରେଶମୀ ଯାଦବ, ସତ୍ୟଜିତ ଦାସ, ମାନସ ସାମଲ, କେଶବ ପାଣି ପ୍ରମୁଖଙ୍କୁ ଗିରିଜା ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ରାମଜୀବନ ଗୋଛାୟତ, ସାଗର ଦାଶ, ସତ୍ୟାନନ୍ଦ ନାୟକ, ଶତାବ୍ଦୀ ପଲାଇ, ସୌମ୍ୟରଞ୍ଜନ ସାମଲ, ତୁଷାରକାନ୍ତ ଶତପଥୀ, ଅମନ ଆୟୁଷ୍ମାନ ଦାସ, ସୁମନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।