ପିତା ଓ ମାତା ହେଉଛନ୍ତି ପ୍ରତିଟି ସନ୍ତାନ ପାଇଁ ପ୍ରତ୍ୟକ୍ଷ ଦେବତା । ପିତାମାତାଙ୍କର ମୃତ୍ୟୁ ପରେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ବୈଶ୍ୱଦେବାଦି ସମାପନ କରିବା ମଧ୍ୟ ପ୍ରତିଟି ସନ୍ତାନର କର୍ତ୍ତବ୍ୟ । ଏହି ଆଦର୍ଶକୁ ଆଧାର କରି ଲୋକଶିକ୍ଷା ନିମନ୍ତେ ଶ୍ରୀମନ୍ଦିରିରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜେ ଜ୍ୟେଷ୍ଠ ଭ୍ରାତା ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଚାରି ଯୁଗର ବିଭିନ୍ନ ଅବତାରରେ ସେମାନଙ୍କର ପିତାମାତା, ସତ୍ୟଯୁଗର (ବାମନ ଅବତାର) କାଶ୍ୟପ ଓ ଅଦିତି, ତ୍ରେତା ଯୁଗର (ରାମ ଅବତାର) ଦଶରଥ ଓ କୌଶଲ୍ୟା, ଦ୍ୱାପର ଯୁଗର (ଶ୍ରୀକୃଷ୍ଣ ଅବତାର) ବସୁଦେବ ଓ ଦେବକୀ, ନନ୍ଦ ଓ ଯଶୋଦା ଓ କଳି ଯୁଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ନିଜର କଳ୍ପିତ ପିତାମାତା ‘ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା'ଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ ଦେଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥି- ଏହି ତିନିଦିନ ପ୍ରତିବର୍ଷ ‘ଦେବ ଦୀପାବଳି ଉତ୍ସବ' ମହାସମାରୋହରେ ପାଳନ କରାଯାଏ ।
ଏହି ଦିବସମାନଙ୍କରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ମହାପ୍ରଭୁ ‘ଶ୍ରାଦ୍ଧବେଶ'ରେ ସଜ୍ଜିତ ହୋଇ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି । ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଧଳାବସ୍ତ୍ରରେ ସଜେଇଥାନ୍ତି । ଏହି ସ୍ୱତନ୍ତ୍ର ବେଶରେ ତିନି ଠାକୁରଙ୍କ ଲୁଗାଧଡ଼ି ଗୁଡ଼ିକ ଭିନ୍ନ ରଙ୍ଗର ହୋଇଥାଏ । ଶ୍ରୀବଳଭଦ୍ରଙ୍କ ଶାଢ଼ିର ଲମ୍ବା ୧୪ ହାତ, ଓସାର ୪ ହାତ ଏବଂ ଲୁଗାଧଡ଼ିର ଓସାର ୧ ଫୁଟ, ରଙ୍ଗ କଳା । ଦେବୀ ସୁଭଦ୍ରାଙ୍କ ଶାଢ଼ିର ଲମ୍ବ ୧୨ ହାତ, ଓସାର ସାଢ଼େ ୩ ଫୁଟ ଏବଂ ଧଡ଼ିର ଓସାର ୧ ଫୁଟ ଓ ରଙ୍ଗ ହେଉଛି ହଳଦିଆ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶାଢ଼ିର ଲମ୍ବ ୧୮ ହାତ, ଓସାର ୫ ହାତ ଓ ଧଡ଼ିର ଓସାର ୧ ଫୁଟ । ଶାଢ଼ିରେ କୁମ୍ଭ ଥାଇ ଧଡ଼ିର ରଙ୍ଗ ନାଲି । ଏହି ବସ୍ତ୍ରକୁ ‘କାଶୀଧଡ଼ିଆ' କୁହାଯାଏ । ଏହା ହିଁ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ । ଏହି ତିନି ଦିନ ତିନି ଠାକୁରଙ୍କ କଳେବର ଗୋଟିଏ ଚାଦରରେ ମଣ୍ଡନ ହୁଏ ଓ ମସ୍ତକ ଶ୍ରୀକାପଡ଼ାରେ ଆଚ୍ଛାଦିତ କରାଯାଏ । ଅଳ୍ପ କିଛି ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଏ ।
ମହୋତ୍ସବର ପ୍ରଥମ ଦିନ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଗମ୍ଭୀରାରେ ଧୋପଖାଳ (ପାଣିପଡ଼ି ପୋଛା ହେବା) ହେବାପରେ ଶ୍ରାଦ୍ଧ ନୀତି ଆରମ୍ଭ ହୋଇଥାଏ । ଭଣ୍ଡାରମେକାପ ସିଂହାସନ ତଳେ ଅରୁଆ ଚାଉଳରେ ଏକ ବିରାଟ ପଣସ ଗଛର ଆକୃତି ତିଆରି କରନ୍ତି । ଗଛଟିର ମୂଳ ଶ୍ରୀବଳଭଦ୍ରଙ୍କ ବାଡ଼ ନିକଟରେ ଥିବାବେଳେ ଅଗ ମହାପ୍ରଭୁଙ୍କ ବାଡ଼ ନିକଟରେ ରହିଥାଏ । ଗଛରେ କେତୋଟି ଚଢ଼େଇ ବସିଥାନ୍ତି । ଗୋଟିଏ ପଣସ ଝୁଲୁଥାଏ । ପାଳିଆମେକାପ ବଇଠାରେ (ପିତଳ ଦୀପ) ଘିଅ ଦେଇ ଚାଉଳ ଗଛରେ ବତି ବସାନ୍ତି । ମୋଟ୍ ୨୮ଗୋଟି ବତି ମଧ୍ୟରୁ ଶ୍ରୀବଳଭଦ୍ରଙ୍କ ନିକଟରେ ୯ଟି, ଦେବୀ ସୁଭଦ୍ରାଙ୍କ ନିକଟରେ ୯ଟି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିମନ୍ତେ ୧୦ଗୋଟି ବତି ସେଠାରେ ବଢ଼ାଯାଇଥିବା ଚାଉଳ ଗଛ (ଶୁଖିଲା ଚାଉଳର ପିଣ୍ଡ)ରେ ବସାଯାଏ । ତିନିଜଣ ପୂଜାପଣ୍ଡା ତିନି ଠାକୁରଙ୍କ ପାଇଁ ତିନିଗୋଟି ସୁନା ଆଳତି ଲଗାଇ ଚାଉଳ ଗଛ ଓ ଦୀପଗୁଡ଼ିକୁ ସଂସ୍କାର କରି ପିଣ୍ଡଦାନର ଉପଚାର କରିଥାନ୍ତି । ତିନି ଠାକୁରଙ୍କର ମହାଦୀପରେ ବନ୍ଦାପନା ପରେ ସେଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ୱାର ନିକଟକୁ ଅଣାଯାଏ ଓ ଚାଉଳ ଗଛକୁ ପୂଜାପଣ୍ଡା ସଂସ୍କାର କରିସାରିଲା ପରେ ଏହାକୁ ପାଳିଆ ଚୂନରା(ସେବକ)ଙ୍କୁ ଦିଆଯାଏ । ଓଡ଼ିଆ ମଠ ଦେଇଥିବା ତେଲ, ଘିଅ ଓ ମନ୍ଦିର ପ୍ରଶାସନ ଦେଇଥିବା ଘିଅ ସହ ଚୂନରା ସେବକ ମନ୍ଦିର ଉପରକୁ ଚଢ଼ି ‘ଅଁଳାବେଢ଼ା' ଉପରେ ତିନୋଟି ଦୀପ ଜାଳନ୍ତି ଓ ଚନ୍ଦ୍ରଉଦିଆ ଜାଳି ଡାକ ଦିଅନ୍ତି, "ଗଜପତି ମହାରାଜାଙ୍କୁ ଶଙ୍ଖରେ ପୂରାଇ ଚକ୍ର ଆଢ଼ୁଆଳରେ ରଖ ହେ ମହାପ୍ରଭୁ’ କହି ହରିବୋଲ ପକାଇ ଅଁଳାବେଢ଼ା ଚାରିପଟେ ବୁଲନ୍ତି ।
ଅମାବାସ୍ୟା ଦିନ ଏହି ରୀତିରେ ଶ୍ରାଦେ୍ଧାତ୍ସବ ପାଳିତ ହୋଇଥାଏ । କିନ୍ତୁ ପ୍ରତିପଦା ଦିନ ପାଣି ପଡ଼ି ଚାଉଳ ଗଛ ତିଆରି ହେବା ପରେ ମଦନମୋହନ ଦକ୍ଷିଣ ଘରୁ ସିଂହାସନକୁ ବିଜେ କରନ୍ତି । ମୁଦିରସ୍ତ ସେବକ ପ୍ରସାଦ ଲାଗି (ବନ୍ଦାପନା) କଲାପରେ ପୂଜାପଣ୍ଡା ଚାଉଳ ଗଛ ସଂସ୍କାର କରନ୍ତି । ତିନି ବାଡ଼ରେ ବନ୍ଦାପନା ହୁଏ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ମଦନମୋହନ, ଶ୍ରୀଦେବୀ(ଲକ୍ଷ୍ମୀ) ଓ ଭୂଦେବୀ(ସରସ୍ୱତୀ) ଝୁଲଣ ମଣ୍ଡପ ନିକଟରେ ଥିବା ବିମାନରେ ବିଜେ ହୁଅନ୍ତି । ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଏ । ସେଠାରେ ସୁଆଁସିଆ ସେବକ ଦେଇଥିବା କାଠ ଭଦ୍ରାସନ (ନୂଆପିଢ଼ା) ଉପରେ ଚାଉଳ ଗଛ ତିଆରି ହୋଇ ଦୀପ ବସାଯାଏ । କେତେକଙ୍କ ମତରେ, ଏହିଦିନ ଶ୍ରୀମନ୍ଦିର ବାହାରେ ଶ୍ରୀଜଗନ୍ନାଥ ବଲ୍ଲଭ ଠାରେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ କଳ୍ପିତ ପିତାମାତା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥାଆନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ଚାଉଳ ଗଛ ସଂସ୍କାର ପରେ ବନ୍ଦାପନା ହୋଇଥାଏ । ଏହାପରେ ବାହୁଡ଼ା ବିଜେ ପଟୁଆରରେ ତିନି ଠାକୁର ଶ୍ରୀମନ୍ଦିରର ସ୍ୱ ସ୍ୱ ଆସ୍ଥାନକୁ ଯାଇଥାଆନ୍ତି । ଏହି ଅବସରରେ ଶ୍ରୀମନ୍ଦିର ଭିତରବେଢ଼ା, ସିଂହଦ୍ୱାର ଗୁମୁଟ ଏବଂ ବଡ଼ଦାଣ୍ଡରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ତିନିଦିନ ବ୍ୟାପୀ ଦୀପମାଳାରେ ସଜ୍ଜିତ କରାଯାଇଥାଏ । ଅଗଣିତ ଦୀପମାଳାରେ ଶ୍ରୀମନ୍ଦିର ପରିସର ଝଲସି ଉଠେ । ପୁରୀ ରାଜାଙ୍କ ଶ୍ରୀନହର ମଧ୍ୟ ଦୀପ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଥାଏ । ପିତାମାତାଙ୍କ ମୃତ୍ୟୁ ପରେ ସେମାନଙ୍କୁ ଶ୍ରାଦ୍ଧ ଦେବା ପ୍ରତିଟି ସନ୍ତାନର କର୍ତ୍ତବ୍ୟ । ଶ୍ରୀମନ୍ଦିରରେ ଦେବ ଦୀପାବଳି ଆମକୁ ଏହି ଶିକ୍ଷା ଦେଇଥାଏ ।