ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଓଡ଼ିଆ ଘରେ ଦେଡ଼ଶୁର ଓ ଭାଇବୋହୂ ମଧ୍ୟରେ ସମ୍ପର୍କକୁ ନିଷିଦ୍ଧ ସମ୍ପର୍କ ରୂପେ ବିବେଚନା କରି ଉଭୟଙ୍କ ଚଳଣିରେ କିଛିଟା କଟକଣା ବା ଲକ୍ଷ୍ମଣରେଖା ଟାଣି ଦିଆଯାଇଛି, ଯାହାକୁ ପ୍ରତ୍ୟେକ ଓଡ଼ିଆ ପରିବାର ମାନି ଚଳିଥାନ୍ତି । ବିବାହ ପରେ ବୋହୂଟିଏ ସ୍ୱାମୀଙ୍କ ପିତାଙ୍କୁ ଶଶୁର ରୂପେ ଓ ବଡ଼ଭାଇଙ୍କୁ ଦେଡ଼ଶୁର ରୂପେ ବିବେଚିତ କରିଥାଏ । ଉକ୍ତ ଶବ୍ଦ ଦୁଇଟିକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ଯଦିଓ ଶଶୁର ପିତୃପ୍ରତିମ ଅଟନ୍ତି, କିନ୍ତୁ ଯାହା ବୁଝାପଡ଼େ ଦେଡ଼ଶୁର ଶଶୁରଙ୍କ ଠାରୁ ଦେଢ଼ା ଅଟନ୍ତି ବା ତାଙ୍କୁ ଅଧିକ ଗୁରୁତ୍ୱ କଟକଣା ରୂପେ ପ୍ରଦାନ କରାଯାଇଥାଏ । ଏହାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କୁହାଯାଇପାରେ ଯେ, ଜଣେ ବୋହୂ ପାଇଁ ଶଶୁର ଓ ଦେଡ଼ଶୁର ଉଭୟ ନମସ୍ୟ ଅଟନ୍ତି ଏବଂ ଶଶୁର ଅଧିକ ସମ୍ମାନ ପାଇବାକୁ ହକ୍ଦାର ହୋଇଥିବାବେଳେ, ଦେଡ଼ଶୁରଙ୍କ ପାଇଁ ଅଧିକ କିଛି କଟକଣା ଯଥାଦେଡ଼ଶୁରଙ୍କୁ ନଛୁଇଁବା, ନଚାହିଁବା ବା ତାଙ୍କର ଉଚ୍ଛିଷ୍ଟ ବାସନ ନଧୋଇବା ଭଳି କିଛି ଆଚରଣ ବିଧି ମାନି ଚଳିବାକୁ ପଡ଼ିବା ଯୋଗୁଁ ପରିବାରରେ ଭାଇବୋହୂଙ୍କ ଆଗରେ ଶଶୁରଙ୍କ ଠାରୁ ଦେଡ଼ଶୁର ଅଧିକ କଟକଣାଜନିତ ଗୁରୁତ୍ୱ ବହନ କରିଥାନ୍ତି । ତଥାପି ଏହି ଚଳଣି ପଛରେ ଥିବା ଯୁକ୍ତିରେ ବିଭିନ୍ନ ମତ ପ୍ରକାଶ ପାଇଥାଏ । ଏହି ମତଗୁଡ଼ିକରୁ କିଛି ପୌରାଣିକ ହୋଇଥିବାବେଳେ କିଛି ସାମାଜିକ ହୋଇଥାଏ ।
ପ୍ରଥମତଃ, ପୌରାଣିକ ମତାନୁଯାୟୀ ରାବଣ ମାତା ସୀତାଙ୍କୁ ଚୋରି କରି ପୁଷ୍ପକ ବିମାନରେ ନେଇଗଲା ବେଳେ, କୌଣସି ଉପାୟ ନପାଇ ମହାପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ମାତା ସୀତା ତାଙ୍କର ଅଳଙ୍କାରଗୁଡ଼ିକୁ ରାସ୍ତାରେ ନିକ୍ଷେପ କରି ଯାଇଥିଲେ, ଯେପରିକି ରାମଲକ୍ଷ୍ମଣ ତାଙ୍କର ସନ୍ଧାନ ପାଇବାରେ ଅଳଙ୍କାରଗୁଡ଼ିକ ସହାୟକ ହୋଇପାରିବ । ସେତେବେଳେ ବାନରରାଜ ସୁଗ୍ରୀବ ଓ ବାନରଗଣ ଅରଣ୍ୟ ମଧ୍ୟସ୍ଥ ଏକ ପର୍ବତ ଉପରୁ ଉକ୍ତ ଆଭୂଷଣଗୁଡ଼ିକ ପ୍ରାପ୍ତ ହୋଇ ପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ଉପସ୍ଥିତିରେ ତାହାକୁ ଦେଖାଇ ଏହା ମାତା ସୀତାଙ୍କର କି ବୋଲି ପ୍ରଶ୍ନ ପଚାରନ୍ତେ, ଲକ୍ଷ୍ମଣ କେବଳ ମାତାଙ୍କର ପାଦର ନୂପୁର ଓ ଗୋଡ଼ମୁଦିକୁ କେବଳ ଚିହ୍ନି ପାରିବାରେ ସୁଗ୍ରୀବ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ- ଆପଣ ମାତା ସୀତାଙ୍କର ଦେବର ହୋଇ ତାଙ୍କର ଆଭୁଷଣକୁ ଚିହ୍ନି ପାରୁନାହାନ୍ତି? ସେତେବେଳେ ପ୍ରଭୁ ଲକ୍ଷ୍ମଣ ବିନମ୍ରତା ପୂର୍ବକ କହିଲେ ଯେ, ମାତା ସୀତା ଭାଉଜ ହୋଇଥିବାରୁ ମୋର ମାତୃତୁଲ୍ୟ ଅଟନ୍ତି, ତେଣୁ ମୁଁ କେବେହେଲେ ତାଙ୍କର ମୁଖ ବା ଅଙ୍ଗକୁ ଦର୍ଶନ କରିନାହିଁ । କେବଳ ତାଙ୍କର ପାଦ ଦର୍ଶନ କରିଥିବାରୁ ପାଦର ନୂପୁର ବ୍ୟତୀତ ତାଙ୍କର ଅଙ୍ଗର ଅନ୍ୟ ଆଭୂଷଣଗୁଡ଼ିକ ଚିହ୍ନଟ କରିବା ପାଇଁ ଅକ୍ଷମ ଅଟେ । ଏହା କେବଳ ମୋର ଅଗ୍ରଜ ପ୍ରଭୁ ରାମଚନ୍ଦ୍ର ହିଁ କହିପାରିବେ ।
ଦ୍ୱିତୀୟତଃ, ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଲବକୁଶଙ୍କ ଜନ୍ମର ଅବ୍ୟବହିତ ପୂର୍ବରୁ ସୀତାଙ୍କ ଉପରେ କ୍ଷୁବ୍ଧ ହୋଇ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଲେ, ସୀତାଙ୍କୁ ବନରେ ଛାଡ଼ିଦେବା ପାଇଁ । ପ୍ରଭୁଙ୍କର ଏହି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ଲକ୍ଷ୍ମଣ କହିଥିଲେ- ଭାଇ ଯଦି ମୁଁ ବଡ଼ ହୋଇଥାନ୍ତି ଆପଣଙ୍କର ଏହିଭଳି ନିଷ୍ଠୁର ନିଷ୍ପତ୍ତିକୁ ମୁଁ ପାଳନ କରିନଥାନ୍ତି । ସେତେବେଳେ ଭଗବାନ ତାଙ୍କୁ ହସିଦେଇ କହିଥିଲେଠିକ୍ ଅଛି ଲକ୍ଷ୍ମଣ, ତୁମେ କଳିଯୁଗରେ ବଡ଼ଭାଇ ଏବଂ ମୁଁ ସାନଭାଇ ହେବି । କଳିଯୁଗରେ ଲକ୍ଷ୍ମଣ ବଡ଼ଭାଇ ବଳଭଦ୍ର ରୂପେ ଓ ନିଜେ ଭଗବାନ ରାମଚନ୍ଦ୍ର ଜଗନ୍ନାଥ, ମାତା ସୀତା ଲକ୍ଷ୍ମୀ ରୂପରେ ଅବତାର ଗ୍ରହଣ କଲେ । ତେଣୁ ପ୍ରଭୁ ବଳଭଦ୍ର ବଡ଼ଭାଇ ହୋଇ ମଧ୍ୟ ମାତା ଲକ୍ଷ୍ମୀ କଳିଯୁଗରେ ଭାଇବୋହୂ ହୋଇଥିବାରୁ ତ୍ରେତୟା ଯୁଗର ସମ୍ପର୍କକୁ ନେଇ କେହି କାହାର ମୁଖ ଦର୍ଶନ ବା ସ୍ପର୍ଶ କରିନଥାନ୍ତି । ସେହି କାରଣରୁ ହୁଏତ ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ସମୟରେ ମାତା ଲକ୍ଷ୍ମୀଙ୍କୁ ରଥରେ ସଙ୍ଗରେ ନେଇନଥାନ୍ତି । ଏତ ଗଲା ପୌରାଣିକ ଦୃଷ୍ଟିକୋଣ ।
ତୃତୀୟତଃ, ସାମାଜିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ବେଳେବେଳେ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ବୟସର ବ୍ୟବଧାନ ଏକବର୍ଷ ହୋଇଥିଲାବେଳେ ସ୍ଥଳବିଶେଷରେ ବଡ଼ଭାଇଙ୍କ ପତ୍ନୀଙ୍କଠାରୁ ସାନଭାଇଙ୍କ ପତ୍ନୀର ବୟସ ଅଧିକ ହୋଇଥାଏ । ଅର୍ଥାତ୍ ଭାଇ ତଥା ସେମାନଙ୍କର ପତ୍ନୀଙ୍କର ବୟସ ପାଖାପାଖି ସମାନ ହୋଇଥାଏ, ବଡ଼ ଭାଉଜ ଓ ଦେବରଙ୍କ ମଧ୍ୟରେ ସମ୍ପର୍କ ସାମାଜିକ ଚଳଣିରେ ଥଟ୍ଟାଳିଆ ସମ୍ପର୍କ ହୋଇଥିବାରୁ ସାମାଜିକ ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ବଡ଼ ଭାଉଜଙ୍କୁ ମାତୃତୁଲ୍ୟା ବୋଲି ଅଭିହିତ କରାଯାଇଥାଏ । ବଡ଼ଭାଇଙ୍କୁ ସାନଭାଇଙ୍କ ପତ୍ନୀ ଅର୍ଥାତ୍ ଭାଇବୋହୂଙ୍କୁ ଦେଡ଼ଶୁରଙ୍କ ଠାରୁ, ଅର୍ଥାତ୍ ଶଶୁରଙ୍କ ଠାରୁ ଦେଢ଼ଗୁଣ ଅଧିକ କଟକଣାରେ ରହିବା ପାଇଁ ନୀତି ନିର୍ଦ୍ଧାରିତ କରାଯାଇଅଛି । ଅନୁରୂପ ଭାବେ, ସେହିପରି ଜଣେ ବିବାହିତ ମହିଳାଙ୍କର ସ୍ୱାମୀ ଓ ତାଙ୍କର ବଡ଼ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଏକ ନିଷିଦ୍ଧ ସମ୍ପର୍କ ରୂପେ ବିବେଚନା କରି ସାମାଜିକ କଟକଣା ଜାରି କରାଯାଇଅଛି । ସେଇଥିପାଇଁ ତ ଓଡ଼ିଆରେ କଥା ଅଛି "ଟୋକା ଦେଡ଼ଶୁରକୁ ପୋକା ବରକୋଳି, ଅଦିନ ମେଘକୁ ସାହା ବିଜୁଳି’ ।