ଦେହ ଓ ମନର ଚରମ ଲାଞ୍ଛନାକୁ ହସି ହସି ସହି ପାରିବାର କଳାରେ ମାହିର ହୋଇ ମୃତ୍ୟୁ ସହ ସଦ୍ଭାବ ରଖି ପାରିବାର କଳା ହିଁ ଯୋଗ । ଯୋଗ ହେଉଛି ବଞ୍ଚିଥାଇ ମରିଯିବା । ତାହା ହେଲେ ଯାଇ ସୂକ୍ଷ୍ମତମ ଇଚ୍ଛା ଓ କାମନାର ବିନାଶ ଘଟି ମନରେ ବିୟୋଗ (ବୈରାଗ୍ୟ) ଭାବର ସୃଷ୍ଟି ହୋଇପାରିବ । ମନର ବିଲୟ ପରେ ମହା-ମନର ସୃଷ୍ଟି ହୁଏ, ଯାହା ପରମ ଶିବଙ୍କ ସହ ସଂଯୁକ୍ତ କରାଇଥାଏ । ଏହି ଭଙ୍ଗୁର ଦେହକୁ ଏକତାରା ଭଳି ବଜାଇବାକୁ ପଡ଼େ ଯେଉଁଠୁ ଏକ ଦିବ୍ୟ ଏବଂ ଭବ୍ୟସ୍ୱର ସୃଷ୍ଟି ହୁଏ, ଯାହାର ଆଦି ନଥାଏ କି ଅନ୍ତ ନଥାଏ । ଏହି ଗଭୀର ଜ୍ଞାନକୁ ଯିଏ ବର୍ଷ ବର୍ଷ ଧରି ସାଧନା କରି ସିଦ୍ଧି ପାଇଥିଲେ ସେ ହେଉଛନ୍ତି ନାଥ ଯୋଗୀ ଗୁରୁ ଗୋରେଖନାଥ । ସେ ଅଙ୍ଗ, ବଙ୍ଗ, କଳିଙ୍ଗ ଠାରୁ ଆରମ୍ଭ କରି ପଞ୍ଜାବ, ନେପାଳ, ସିନ୍ଧୁ, ରାଜପୁତାନା, ଲେଲୁଚିସ୍ଥାନ ତଥା ଦକ୍ଷିଣ ଭାରତ ଓ ଉଡ୍ଡିଆନର ସୁବର୍ଣ୍ଣପୁରରେ ନାଥ ଧର୍ମର ପ୍ରଚାର ପ୍ରସାର କରି ଏକ ଶାଶ୍ୱତ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଥିଲେ । ଗୁରୁ ଗୋରେଖନାଥ ଦଶମ ଓ ଏକାଦଶ ଶତାବ୍ଦୀର ଶ୍ରେଷ୍ଠ ଧର୍ମଗୁରୁ । ନାଥ ଧର୍ମ ସହ ବୌଦ୍ଧ ତନ୍ତ୍ରଯାନର ସମାନତା ଥିବାରୁ କିଛି ଗବେଷକମାନେ ମତ ଦିଅନ୍ତି ଯେ, ଗୋରେଖନାଥ ଯେଉଁ ଶୈବ ଧର୍ମ ପ୍ରଚାର କରିଥିଲେ ତାହା ବୌଦ୍ଧତନ୍ତ୍ରରୁ ହିଁ ଆସିଛି । ନାଥ ଧର୍ମୀମାନେ କାୟା ସାଧନା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହି ସାଧନା ବଳରେ ସେମାନେ ଲାଭ କରିଥାନ୍ତି ଜରା ମରଣହୀନ ଅମର ଜୀବନ । ନାଥ ଯୋଗୀମାନେ ବିନ୍ଦୁଜୟ ଓ ବାୟୁଜୟ ପଦ୍ଧତି ଉପରେ ଗୁରୁତ୍ୱ ଦେଇଥାନ୍ତି । ଗୁରୁ ଗୋରେଖନାଥଙ୍କ ମୂଳ କଥା ଥିଲା ବିନ୍ଦୁ ଧାରଣ, ବାୟୁ ନିରୋଧ ଓ ମନର ବିଲୟ । ହଠ ଯୋଗ ପ୍ରଦୀପିକା ଗ୍ରନ୍ଥରେ ଗୋରେଖନାଥଙ୍କ କଥାକୁ ଉଦ୍ଧାର କରାଯାଇଛି ।
“ମନ ଥିର ତୋ ପବନ ଥିର, ପବନ ଥିର ତୋ ବିନ୍ଦୁ ଥିର, ବିନ୍ଦୁ ଥିର ତୋ କନ୍ଧ ଥିର, ବଲେ ଗୋରଖଦେବ ସକଳ ଥିର” । ତାଙ୍କ ମତରେ, ମଣିଷ ଦେହ ହେଉଛି ମୁକ୍ତିର ସହାୟକ । ମନୁଷ୍ୟ ଦେହକୁ ଶତୃ ମନେ ନକରି ନିଜର ପରମ ବନ୍ଧୁ ମନେକରି ମନକୁ ସ୍ଥିର କଲେ ବିନ୍ଦୁ (ବୀର୍ଯ୍ୟ) ମଧ୍ୟ ସ୍ଥିର ହୋଇ ଶରୀର ସଦା ସୁସ୍ଥ ରହେ ।
ରୁକ୍ ବେଦରେ ଶିବଙ୍କୁ ରୁଦ୍ର ଭାବରେ ସ୍ତୁତି କରାଯାଏ । ଗୋରେଖନାଥ ସମ୍ପ୍ରଦାୟର ଯୋଗୀମାନେ ସାକ୍ଷାତ ରୁଦ୍ର ସ୍ୱରୂପ । ତେଣୁ ଶିବଙ୍କର କାଳ ବୈରାଗୀ ରୂପକୁ ସର୍ବଦା ଧ୍ୟାନ କରି ନିଜ ଦେହକୁ ସେହି ରୂପରେ ସଜାଇଥାନ୍ତି । ଯୋଗୀ ଗୋରେଖନାଥ ଯେଉଁ ନୂତନ ସାଧନ ମାର୍ଗର ମାର୍ଗ ଦର୍ଶନ କରିଥିଲେ ତାକୁ ହଠଯୋଗ କୁହାଯାଏ । ତାଙ୍କ ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କ କାଳରେ ନାଥ ସମ୍ପ୍ରଦାୟ ବାମାଚାର ଓ ପ୍ରସ୍ନାଚାର ଏହି ଦୁଇଟି ମତବାଦରେ ବିଶ୍ୱାସ କରୁଥିଲେ । କିନ୍ତୁ ଗୋରେଖନାଥ କାମିନୀ କାଂଚନ ଠାରୁ ଦୂରେଇ ରହି କୌଳାଚାର ତନ୍ତ୍ରକୁ ଅନୁସରଣ ନକରି ଯୋଗ ମାର୍ଗ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଦେଖେଇ ଦେଇଥିଲେ ଯେ ତନ୍ତ୍ର ଦ୍ୱାରା ଯେଉଁ ଶକ୍ତି ଓ ସିଦ୍ଧି ଲାଭ କରାଯାଏ, ତ୍ୟାଗ ଓ ବୈରାଗ୍ୟ ଦ୍ୱାରା ମଧ୍ୟ ତାହା ସମ୍ଭବ ଅଟେ । ନାଥ ଧର୍ମ ପାଇଁ ଏହା ଏକ ନୂତନ ଦିଗ୍ଦର୍ଶନ ହୋଇଥିଲା ।
ଗୋରେଖନାଥ ଥିଲେ ଶୈବଯୋଗୀ ସମ୍ପ୍ରଦାୟର ପ୍ରତିଷ୍ଠାତା । ଏମାନେ କାନଫୁଡା ଯୋଗୀ ନାମରେ ପରିଚିତ । ହଠଯୋଗ ଓ ରାଜଯୋଗକୁ ସେ ପୁନଃଜୀବିତ କରି ତତ୍କାଳୀନ ଭାରତ ଉପମହାଦେଶକୁ ଏକ ନୂତନ ଆଧ୍ୟାତ୍ମିକ ଆଦର୍ଶରେ ଦୀକ୍ଷିତ କରିପାରିଥିଲେ । ଏଲୋରାରେ ଖୋଦିତ ଏକ ଶିବ ମୂର୍ତ୍ତିର କାନରେ ଦୁଇଟି ବଡ଼ ବଡ଼ କୁଣ୍ଡଳ ଶୋଭା ପାଉଥିବାର ଦେଖାଯାଏ, ଯାହା ଅଷ୍ଟମ ଶତାବ୍ଦୀର ବୋଲି ଗବେଷକମାନେ କହନ୍ତି । ମତ୍ସ୍ୟେନ୍ଦ୍ରନାଥ ଓ ଗୋରେଖନାଥ ହିଁ ଯୋଗୀମାନଙ୍କର କର୍ଣ୍ଣବେଧ ପ୍ରଥାର ପ୍ରବର୍ତ୍ତକ । ରାଜପୁତନାର ଲୋକଗୀତି ଓ ଲୋକକଥାରେ ଗୋରେଖନାଥ ଓ ବାପ୍ପାରାଓଙ୍କ କାହାଣୀ ତଥା ତାଙ୍କର ମେବାର ରାଜ ସିଂହାସନ ଅଧିକାରର କିମ୍ବଦନ୍ତୀ ଓ ଆକ୍ଷାୟିକାରୁ ଜଣାଯାଏ ଯେ, ଏହି ମହାଯୋଗୀଙ୍କ ଆବିର୍ଭାବ ଦଶମ କିମ୍ବା ଏକାଦଶ ଶତାବ୍ଦୀରେ ହୋଇଥିଲା ।
ନେପାଳରେ ଗୋରଖା ଜାତି ଓ ଗୋରଖା ରାଜ୍ୟର ରକ୍ଷକ ଓ ଅବିଭାବକ ଭାବରେ ତାଙ୍କର କୀର୍ତ୍ତି କାଳ କାଳ ଧରି ରହିଆସିଛି । ଗୋରଖାମାନେ ତାଙ୍କୁ ଦେବ ବିଗ୍ରହ ଭଳି ପୂଜା କରନ୍ତି । ତାଙ୍କର ନାମାଙ୍କିତ ମୁଦ୍ରା ନେପାଳର ବହୁ ରାଜାଙ୍କ ସମୟରୁ ବହୁ ବର୍ଷ ହେଲା ଚଳି ଆସିଛି । ସାଧନା ପଥରେ ଅଗ୍ରସର ହୋଇ ଯିଏ ସିଦ୍ଧି ପାଇପାରିଲା, ସେ ହିଁ ଅବଧୂତ ଓ ନାଥ ହେବାର ଯୋଗ୍ୟ । ଗୋରଖପୁର ଠାରେ ତାଙ୍କର ଏକ ଭବ୍ୟ ମନ୍ଦିର ରହିଛି ।
ଉଡ୍ଡିଆନର ଲଙ୍କାପୁରୀ ବା ସୁବର୍ଣ୍ଣପୁର ହେଉଛି ଏକ ତନ୍ତ୍ର ପୀଠ । ଯେଉଁଠାରେ ଇନ୍ଦ୍ରଭୂତି, ଲକ୍ଷ୍ମୀକରା, ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବ ନିଜର ସାଧନା ଓ ସିଦ୍ଧି ବଳରେ ବିଶ୍ୱପ୍ରସିଦ୍ଧି ଲାଭ କରି ପାରିଛନ୍ତି । ଇନ୍ଦ୍ରଭୂତିଙ୍କର ବଜ୍ରଯାନ ତନ୍ତ୍ର, ସୁବର୍ଣ୍ଣପୁର ରାଜବଧୂ ଲକ୍ଷ୍ମୀକରାଙ୍କର ସହଜଯାନ ତନ୍ତ୍ର ଆଜି ମଧ୍ୟ ମହାନଦୀର ଲଙ୍କାବର୍ତ୍ତକର ଗଭୀର ଜଳରୁ ପ୍ରତିଧ୍ୱନିତ ହେଉଛି । ଲଙ୍କାପୁରୀ ବା ଅଧୁନା ସୁବର୍ଣ୍ଣପୁର ଠାରେ ମତ୍ସ୍ୟେନ୍ଦ୍ରନାଥଙ୍କ ଆଶ୍ରମ ଥିଲା, ଯାହା ଏବେ ମଧ୍ୟ ମେନ୍ଦ୍ରନାଥ ଘାଟ ବୋଲି ପରିଚିତ । ଲଙ୍କାବର୍ତ୍ତକର ଉପରି ଭାଗରେ ପଶ୍ଚିମ ଦିଗରେ ଅନ୍ୟତମ ସିଦ୍ଧ ନାଥ ଯୋଗୀ ଦାରିକପାଦ ସାଧନା ଓ ସିଦ୍ଧିସ୍ଥଳ ଦାରି ପଥର ଏବେ ମଧ୍ୟ ମହାନଦୀ ଗର୍ଭରେ ଅତୀତର ମୂକସାକ୍ଷୀ ଭାବରେ ଦଣ୍ଡାୟମାନ ହୋଇଛି । ଏହି ସବୁ ତଥ୍ୟରୁ ଜଣାପଡେ ଯେ ସୁବର୍ଣ୍ଣପୁର ଏକଦା ନାଥଧର୍ମୀ ସାଧକ ଓ ସିଦ୍ଧମାନଙ୍କ ଲୀଳାଖଳା ଭୂମି ଥିଲା ।