ସମସ୍ତଙ୍କ ମନ ନେଇ ଚଳୁ ଚଳୁ ନିଜ ମନ କଥା ବୁଝିବାକୁ ତର ମିଳେନା । ସ୍ୱାମୀଙ୍କ ସ୍ତ୍ରୀ, ପିଲାଙ୍କ ମା’, ଶାଶୂଘରର ବୋହୂ, ବାପଘରର ଝିଅ, ସାଙ୍ଗମାନଙ୍କ ସାଥୀ, ଏମିତି ଏମିତି କେତେ ସମ୍ପର୍କର ଜାଲରେ ମନ ଛନ୍ଦି ହୋଇଥାଏ ଯେ, ସେ ଅଡୁଆ ସୂତାରୁ ମୁକୁଳିବାକୁ ଚାହିଁଲେ ବି ବାଟ ପାଏନା । ବରଂ ଗଣ୍ଠିଟିଏ ହୋଇ ଅନେକ ସମ୍ପର୍କକୁ ଯୋଡ଼ି ରଖିବାରେ ସୁଖ ପାଏ । ହେଲେ, ବେଳେବେଳେ ମନ ବି ବିଦ୍ରୋହ କରେ, ଥକି ପଡ଼େ, ବିଶ୍ରାମ ଖୋଜେ । ମନ ଖୋଜେ ଏମିତି ମନଟିଏ, ଯାହାକୁ ଯାହା ଇଚ୍ଛା ତାହା କହିହେବ ବିନା କୌଣସି ସଙ୍କୋଚରେ । ଦୁଃଖ, ରାଗ, ଅଭିମାନ... ସବୁ । ହେଲେ ସେଇ ମନଟି ଏତେ ମନୁଆ ଯେ, ତାର ଇଚ୍ଛା ନହେଲାଯାଏଁ ସେ ଡାକିବନି ପାଖକୁ । ଆପଣ ଯଦି ଜିଦ୍ କରି ଯିବେ, ତେବେ ତା ଜିଦ୍ ଆଗରେ ଆପଣଙ୍କ ଜିଦ୍ ଫିକା ପଡ଼ିଯିବ । କିଛି ନା କିଛି କାରଣ ଦେଖାଇ ସେ ଆଉ ଦେଖାଦେବନି । ଆଉ ସେ ଯେତେବେଳେ ଡାକିବ, ସଂସାରର ଏପରି କୌଣସି ଶକ୍ତି ନାହିଁ ଯିଏ ତା’ ପାଖକୁ ଯିବାପାଇଁ ସାଜିବ ପ୍ରତିବନ୍ଧକ । ତା’ ମନ ତା’ ଇଚ୍ଛାର ମାଲିକ ସିଏ । କ’ଣ, କାହିଁକି, ଆଉ କେତେବେଳେ ସେ ଇଚ୍ଛା କରିବ, ଆଉ କେଉଁ ବାଗରେ ଡାକିନେବ, ତାହା କେବଳ ସେ ହିଁ ଜାଣେ । କେବେଠାରୁ ମନ ଉଚ୍ଚାଟ ହେଉଥିଲା ଥରେ ଯିବାପାଇଁ ମନୁଆ ନିକଟକୁ । ମାତ୍ର ମନୁଆର ମନ ହେଲେ ସିନା ।
ସେଦିନ ଗାଡ଼ି ଆସି ଦୁଆରମୁହଁରେ ଛିଡ଼ା ହେଲା । ଇଏ, ମୁଁ, ନଣନ୍ଦ, ଭଣଜା ଭାଣିଜୀ ସବୁ ବାହାରିଚୁ । ଇଏ କହିଲେ- ମୋ ପେଟ ଠିକ୍ ଲାଗୁନି । ଝିଅ କହିଲା- ମାଆ ମୁଁ ଅଛି ବାପାଙ୍କ ପାଖରେ ତମେ ଯାଅ । କିନ୍ତୁ ସେମିତି କ’ଣ ହୁଏ । ଜଣକୁ ଭଲ ନଲାଗୁଥିଲେ, ଆଉ ଜଣେ କ’ଣ ମନ ଖୁସିରେ ଘରୁ ଗୋଡ଼ କାଢ଼ିପାରେ! ଆଉ ଜବରଦସ୍ତି କରି ଯିବି ଯଦି, ଫେରିବା ପର୍ଯ୍ୟନ୍ତ ମନଟା ଖାଲି ଗୋଳେଇ ଘାଣ୍ଟି ହେବ । ଥାଉ, କାହିଁକି ମନୁଆ ଏପରି ଖେଳ ଦେଖାଇଲା, ସେ ହିଁ ଜାଣିଥିବ । ଠିକ୍ ଏଇ ସମୟରେ ପରିଚିତ ଜଣେ ଫୋନ କଲେ, ପୁଅର ବାହାଘର ପୁରୀରେ କରୁଛି, ଯେମିତି ହେଲେ ସମସ୍ତେ ଆସିବେ । ଇଏ ପଚାରିଲେ ପୁରୀ ଯିବୁ? ଗୋଡ଼ ଟେକି ତ ବସିଥିଲି, ସଙ୍ଗେ ସଙ୍ଗେ ହଁ ଭରିଲି । ପୁଣି ଭାବିଲି, ମୁଁ ହଁ ନାଇଁ କହିବାକୁ କିଏ ଯେ । ସେ ହଁ କଲେ ଯିବି, ସେ ନାଇଁ କଲେ ଯିବିନି । ହଉ, ଯାହା ତା’ର ଇଚ୍ଛା । ଆମେ ବାହାରିଲୁ । ତେବେ ଗାଡ଼ିରେ ବସିବା ପୂର୍ବରୁ ଇଏ ସର୍ତ୍ତଟିଏ ରଖିଲେ- ଶୁଣ୍, ଆମେ ଆଗ ସମୁଦ୍ରକୂଳରେ ବସିବା, ତା’ପରେ ହୋଟେଲକୁ ଯାଇ ପିନ୍ଧାପିନ୍ଧି କରି ବାହାଘରରେ ଯୋଗଦେଲା ପରେ ଯଦି ସମୟ ହୁଏ ମନ୍ଦିରକୁ ଯିବା । ଆଜିକାଲି ଯୋଉ ଭିଡ଼ ହଉଚି ଜମା ଯିବାକୁ ମନ ଡାକୁନି, ତା’ ସାଙ୍ଗକୁ ଏ ଗରମ ଗୁଳୁଗୁଳି! ସବୁ ଶୁଣିଲି, ଆଜ୍ଞାଧୀନା ପରି ହଁ ବି କହିଲି । କିନ୍ତୁ ଏପଟେ ଚାଲାକି କରି ମନରେ ମନରେ ମନୁଆକୁ ଟିକେ ଜଣେଇ ଦେଲି । ହାତ ଟେକିଦେଇ କହିଲି- ଯାଉଚି, ସବୁ କଥା ତତେ ଲାଗିଲା । ସନ୍ଧ୍ୟା ପାଞ୍ଚଟା ବେଳକୁ ଆମେ ପହଞ୍ଚି ଯାଇଥିଲୁ ସମୁଦ୍ରକୂଳରେ ।
ଭୁବନେଶ୍ୱରରେ ଯେଉଁ ଅସହ୍ୟ ଗରମ ଥିଲା, ପୁରୀରେ ପହଞ୍ଚିଲାବେଳକୁ ପାଗ ତାର ବିପରୀତ । ସମୁଦ୍ରର ଥଣ୍ଡା ପବନ ଦେହ ମନକୁ ଶୀତଳେଇ ଦେଲା । ମହାପ୍ରଭୁ ଯେମିତି, ତାଙ୍କ ମହୋଦଧି ବି ସେମିତି । ତାରି କୂଳରେ, ବାଲି ଉପରେ ଘଡ଼ିଏ ବସିଗଲେ ଏ ସଂସାରଟା ଲାଗେ ଅସାର । ମୁଣ୍ଡ ଉପରୁ ଓହ୍ଲାଇଯାଏ ସବୁ ବୋଝ । ବାରମ୍ବାର କୂଳରେ ମଥା ପିଟୁଥିବା ଲହଡ଼ି ସତେଯେମିତି କହୁଥାଏ- ଦେ ସବୁ ଦେଇଦେ, ତୋର୍ ଦୁଃଖ, ତୋର୍ ଶୋକ, ତୋର୍ କାମନା, ତୋର୍ ବାସନା... । ଖାଲି କରିଦେ ଯେତେ ଲୋଭ, ଗର୍ବ, ଅହଙ୍କାର । ଖାଲି ଆସିଚୁ, ଖାଲି ଯିବୁ, ଯେତେ ଶୀଘ୍ର ଖାଲି ହୋଇ ଯିବୁ, ସେତେ ଶୀଘ୍ର ଭରିଯିବ । ଯୋଉ ଜିନିଷଟି ଭଲ ଲାଗେ, ସେଇଟା ଏତେ ଶୀଘ୍ର ସରିଯାଏ କାହିଁକି! ସମୁଦ୍ରକୂଳରେ ଦୁଇ ଘଣ୍ଟା ଦୁଇ ମିନିଟ୍ରେ ସରିଗଲା କେମିତି! ବାଧ୍ୟହେଇ ଗୋଡ଼କୁ ଘୋଷାରି ଆସିଲି, ବିବାହ ଭୋଜିରେ ସାମିଲ ହେଲି । ତା’ପରେ ବାହାରିଲୁ ମନ୍ଦିର । ମନେପଡ଼ିଲା ବନ୍ଧୁ ପରିଜନଙ୍କ କଥା ।
ସମସ୍ତଙ୍କର ଗୋଟିଏ ଅଭିଯୋଗ, କୋଭିଡ ପରେ ଖୁବ୍ ଭିଡ଼ ହେଉଛି, ଏପରିକି ପାଦ ବି ତଳେ ଲାଗୁନି, ଭିଡ଼ ଶୂନ୍ୟେ ଶୂନ୍ୟେ ନେଇ ବାହାରେ ଛାଡ଼ି ଦେଉଛି । ସିଂହଦ୍ୱାର ନିକଟରେ ପହଞ୍ଚିଲା ବେଳକୁ ମନ୍ଦିର ଘଣ୍ଟାରେ ରାତି ସାଢ଼େ ଦଶଟା । ଓହୋ! କି ଭିଡ଼, ସତେକି ରଥଯାତ୍ରା! ଯଦି ସିଂହଦ୍ୱାରରେ ଏତିକି ତେବେ ଭିତରେ କ’ଣ ଅବସ୍ଥା ଥିବ! ସତେ କ’ଣ ଆଜି ମନୁଆକୁ ଟିକେ ମନ ପୂରେଇ ଦେଖିପାରିବି? ହଉ ଆସିଛି ଯେତେବେଳେ ବୋଲି ଭାବି ୟାଙ୍କ ପଛେ ପଛେ ଚାଲିଲି । ପତିତପାବନ ବସିଛନ୍ତି, ବସିଛନ୍ତି ବି ଫତେହ ମହାବୀର । ପ୍ରଣାମ ଜଣାଇ ଆଗକୁ ବଢ଼ିଲି । ବାଇଶି ପାହାଚରେ କିଏ ଗଡ଼ି ଯାଉଥାଏ ତ ଆଉ କେହି ବସିଥାଏ । କେଉଁଠି ପାଦ ଟିକେ ପକାଇବାକୁ ଜାଗା ନାହିଁ । ହେଲେ ସେସବୁ କଥାକୁ ଦେଖିବାକୁ ଫୁରୁସତ କାହିଁ! ଗୋଟିଏ ତ ଲକ୍ଷ୍ୟ- ଟିକେ ମହାପ୍ରଭୁଙ୍କୁ ଦେଖିବି । ହଠାତ୍ ଦେବଦୂତ ପରି ଦେଖା ହୋଇଗଲେ ହେମନ୍ତ ଭାଇ, ମହାପ୍ରଭୁଙ୍କ ସେବକ । ବାସ୍, ସେ ନେଇ ଆମକୁ ଛିଡ଼ା କରେଇଦେଲେ ଗୋଟିଏ କୋଣରେ । ଠାକୁରଙ୍କୁ ମନଭରି ଦେଖିଲି । ବଡ଼ସିଂହାର ବେଶ ହୋଇନଥାଏ, ଠାକୁରେ ପିନ୍ଧିଥାନ୍ତି ପତଳା ଧଳା ଧୋତି । ଓହୋ ମଣିଷଙ୍କୁ ତ ଏତେ ଗରମ, ମଣିମାଙ୍କ ଦେହ ତ ଏତେ ବଡ଼, ତାଙ୍କୁ କେତେ ହେଉଥିବ ସତେ! ଏଇ ଧଳା ଧୋତି ହିଁ ତାଙ୍କୁ ଆରାମ୍ ଦେଉଥିବ ।
କଳା ମୁହଁକୁ ଧଳା ଧୋତି ବେଶ୍ ମାନୁଥାଏ । ମନ ପୂରେଇ ଦେଖିଲି ମନୁଆକୁ । କେତେ କ’ଣ ଭାବି ଆସିଥିଲି, ପୁଅ ଝିଅ ପରିବାର, ବନ୍ଧୁ ପରିଜନଙ୍କ ପାଇଁ ମାଗିବି ବୋଲି, ହେଲେ କିଛି ମାଗି ପାରିଲିନାହିଁ, ଚକାନୟନ ଉପରେ ଆଖି ପଡ଼ିଲା ଯେମିତି, ଭୁଲିଗଲି ନିଜକୁ, ଭୁଲିଗଲି ଯେ ଭିକାରୁଣୀ ସାଜି ଦାତାଙ୍କ ନିକଟରେ ଛିଡ଼ା ହୋଇଛି ବୋଲି! ଆଖିରେ ଆଖିଏ ଲୁହ ନେଇ ଚାହିଁ ରହିଲି କାଳିଆକୁ, ନିଜକୁ ବିସ୍ମୃତ ହୋଇଗଲି କେଇ କ୍ଷଣ ପାଇଁ । ପ୍ରକୃତିସ୍ଥ ହୋଇ ଚାହିଁଲି, ଯିଏ କହୁଥିଲେ ସମୟ ହେଲେ ମନ୍ଦିର ଯିବା, ସେ ଛିଡ଼ା ହୋଇଥିଲେ ଉପରକୁ ହାତ ଟେକି, ଭାବ ଛଳଛଳ ମୁଦ୍ରାରେ । ଭାବର ଠାକୁର ସେ, ତା’ ପାଖକୁ ଗଲେ ଭାବ ଡୋରିଟିଏ ଲଗାଇଦିଏ ନିଜେ ଭାବଗ୍ରାହୀ । ବାହାରକୁ ଆସିଲା ବେଳକୁ ଗୋଟିଏ କଡ଼କୁ ବସି ମାଆଟିଏ ତାଙ୍କ ବାର ତେର ବର୍ଷର ପୁଅଟିକୁ ଅବଢ଼ା ଖୁଆଇ ଦେଉଥାନ୍ତି ।
କୁହାଯାଏ- ଏଠି ଅବଢ଼ା, ମାଗି କରି ଖାଇବ ଆଉ ଖାଇ ସାରି ମୁଣ୍ଡରେ ହାତ ପୋଛିବ । ସବୁ ସଙ୍କୋଚ ଛାଡ଼ି, ତାଙ୍କ ନିକଟରେ ହାତ ପତେଇ ଦେଲି । ସେ ଖୁସି ଖୁସି ଗୁଣ୍ଡାଏ ପ୍ରସାଦ ମୋ ହାତରେ ଦେଲେ । ତାଙ୍କୁ ପାଇ ଦେହ ମନରେ ଖେଳିଗଲା ଅପୂର୍ବ ଶିହରଣ । ଭୋଜିରେ ପେଟ ପୂରିଥିଲା । ଅବଢ଼ା ମୁଠିଏରେ ପୂରିଗଲା ମନ । ତୃପ୍ତ ହୋଇଗଲା ହୃଦୟ । ହେମନ୍ତ ଭାଇ ପୁଣି ନେଇଗଲେ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟକୁ । ସେଠାରୁ ବାହାରିଲା ବେଳକୁ ରାତି ବାର । ପଚାରିଲେ- ଆଉ କେଉଁ ମନ୍ଦିରକୁ ଯିବେ କି? ୟାଙ୍କ ମୁହଁକୁ ଚାହିଁଲି । ଖୁବ୍ ଅଧୈର୍ଯ୍ୟ ଦିଶୁଥିଲେ । ଭାବିଲି, ବାପା ମାଆ ଦୁହିଁଙ୍କୁ ତ ଦେଖିଲେ ବିଶ୍ୱ ପ୍ରଦକ୍ଷିଣର ପୁଣ୍ୟ ପ୍ରାପ୍ତ ହୁଏ । ଆଜି ତେଣୁ ସେତିକି ଥାଉ । ବାହାରକୁ ଆସିଲା ବେଳକୁ ଚନ୍ଦନ ଚାପରୁ ଫେରୁଛନ୍ତି ପ୍ରଭୁଙ୍କ ଚଳନ୍ତି ପ୍ରତିମାମାନେ ବିମାନରେ ବସି । ଅପୂର୍ବ ସେ ଦୃଶ୍ୟକୁ ମନଭରି ଦେଖି ଘରକୁ ଫେରିଲୁ । ମନର ଥକାପଣ ମେଣ୍ଟି ଯାଇଥିଲା । ଭରିଯାଇଥିଲା ସନ୍ତୁଷ୍ଟି, ନୂଆ ଉତ୍ସାହ, ଉଦ୍ଦୀପନା ଓ ଆଗ୍ରହ, ପୁଣି ସବୁ ଲାଗୁଥିଲା ନୂଆ ନୂଆ ।