ବିଭିନ୍ନ ରାଜ୍ୟରେ ବିଜେପିର ସଫଳତାରୁ ପ୍ରସଙ୍ଗଭିତ୍ତିକ ରାଜନୀତି ସହ ମାଗଣା ବଣ୍ଟନ ରାଜନୀତିର ଚର୍ଚ୍ଚା ଜୋର ଧରିଛି । ପରିଣାମ ଇଙ୍ଗିତ କରୁଛି, ଯଦିଓ ଫ୍ରିବିଜ୍‌ ସଂସ୍କୃତି ରାଜକୋଷକୁ କ୍ରମେ ଶୁଖାଇଦେବ, ତଥାପି ଏହାକୁ ଏଡ଼ାଇ ଦେଇହେବ ନାହିଁ ।

ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଲୋଭିତ କରି ଭୋଟ ଟାଣିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଛନ୍ତି ମାଗଣା ଉପହାର। ନିର୍ବାଚନକାଳୀନ ଏହି ମାଗଣା ପ୍ରଲୋଭନକୁ ଘୋର ତିରସ୍କାର କରିଛନ୍ତି ମାନନୀୟ ସର୍ବୋଚ୍ଚ ଅଦାଲତ । ମାଗଣାଦିଆ ସଂସ୍କୃତି ଗତ ଦଶନ୍ଧି ତଳେ କାୟାବିସ୍ତାର କରିଥିଲା । ଏହାର ଉଦ୍ୟୋକ୍ତା ଥିଲା ଆମ ଆଦ୍‌ମୀ ପାର୍ଟି (ଆପ୍‌) । ଗତ ଫେବ୍ରୁଆରୀ ଦିଲ୍ଲୀ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି । ଆପ୍‌ର ମାଗଣା ପ୍ରଦାନ ପ୍ରଲୋଭନକୁ ଦିଲ୍ଲୀ ମତଦାତା ଏଥର ପ୍ରଶ୍ରୟ ଦେଇନାହାନ୍ତି । ଏହି ଦୁଇଟି ଯାକ ଘଟଣାକ୍ରମରୁ କ୍ଷୀଣ ଆଶା ଉଦ୍ରେକ ହୋଇଛି ଯେ, ଆଗାମୀ ଦିନରେ ଭୋଟରଙ୍କୁ ଏପରି ଲାଞ୍ଚଦେବା ଆତଙ୍କର ପରିସମାପ୍ତି ଘଟାଇବେ ସ୍ୱୟଂ ଜନତାଜନାର୍ଦ୍ଦନ କିମ୍ବା ମାନନୀୟ ଅଦାଲତ । ନୋହିଲେ ଦିନେ ନା ଦିନେ ଏହି ପ୍ରକ୍ରିୟା ଦେଶର ଅର୍ଥନୀତିକୁ ଭୁଶୁଡ଼ାଇଦେବ । ଦିଲ୍ଲୀ ନିର୍ବାଚନ ସମୟରେ ଆପ୍‌ ପୂର୍ବପରି ଭୋଟରଙ୍କ ପାଇଁ ମାଗଣା ଉପହାର ଯୋଜନାମାନ ଘୋଷଣା କରିଥିଲା । ଏହା ସତ୍ତେ୍ୱ ଆପ୍‌ ପ୍ରତ୍ୟାଖ୍ୟାତ ହେଲା । 

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ବି.ଆର୍‌. ଗାଭାଇ ରାଜନୈତିକ ଦଳଗୁଡ଼ିକ ଉପରେ ପ୍ରବଳ ବର୍ଷିଛନ୍ତି । ରାଜନୈତିକ ଦଳଗୁଡ଼ିକଙ୍କ ଆର୍ଥିକ ଦୁର୍ଗତି ସୃଷ୍ଟିକାରୀ ମାଗଣା ବଣ୍ଟନ ପ୍ରୋତ୍ସାହନ ଯୋଗୁଁ ଦେଶରେ ‘ପରଜୀବୀ ଶ୍ରେଣୀ ସୃଷ୍ଟି କରୁଛି’ ବୋଲି ଜଷ୍ଟିସ ଗାଭାଇ କଡ଼ା ଟିପ୍ପଣୀ ଦେଇଛନ୍ତି । ନିଜର ବ୍ୟକ୍ତିଗତ ଅନୁଭୂତିକୁ ଆଧାର କରି ସେ କହିଛନ୍ତି, ଫ୍ରିବିଜ୍‌ ବା ମାଗଣା ବଣ୍ଟନ ଲୋକଙ୍କୁ କର୍ମକୁଣ୍ଠ କରିଦେଉଛି । ଖାସ୍‌ ଏଥିଲାଗି ମହାରାଷ୍ଟ୍ରରେ କାମ କରିବାକୁ କେହି ମିଳୁନାହାନ୍ତି । ‘ଲାଡ୍‌ଲୀ ବେହନ୍‌’ ତଥା ସେହିପରି ଅନ୍ୟାନ୍ୟ ଯୋଜନାର ପ୍ରଭାବ ସମ୍ପର୍କରେ ମାନନୀୟ ବିଚାରପତି କହିଛନ୍ତି, ସମ୍ପୃକ୍ତ ରାଜ୍ୟରେ ଲୋକେ ମଗଣାରେ ଖାଦ୍ୟସାମଗ୍ରୀ ପାଉଛନ୍ତି, ତା’ସହିତ କିଛି ନଗଦ ଟଙ୍କା ବି । ଯେଉଁଥିପାଇଁ କାମ କରିବାକୁ ଆଉ କେହି ମନ ବଳାଉନାହାନ୍ତି । ଗତ ଜାନୁଆରୀ ମାସରେ ମଧ୍ୟ ଜଷ୍ଟିସ ଗାଭାଇ ଅନ୍ୟ ଏକ ମାମଲାର ଶୁଣାଣିବେଳେ ସମାନପ୍ରକାର ବିଚାର ବ୍ୟକ୍ତ କରିଥିଲେ । ସେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରି କହିଥିଲେ, ରାଜ୍ୟ ସରକାରମାନଙ୍କ ପାଖରେ କାମ କରୁନଥିବା ଲୋକଙ୍କୁ ମଗଣା ଦେବାକୁ ପର୍ଯ୍ୟାପ୍ତ ଅର୍ଥ ଅଛି, ଅଥଚ ବିଚାରବିଭାଗୀୟ ଅଧିକାରୀମାନଙ୍କ ଦରମା ତଥା ପେନସନ୍‌ ଦେବାକୁ ପାଣ୍ଠିର ଅଭାବ ପଡ଼ୁଛି । 

ଦୁଇ ଦଶନ୍ଧି ତଳେ ଫ୍ରିବିଜ୍‌ ସଂସ୍କୃତିର ଅୟମାରମ୍ଭ ହୁଏ ତାମିଲନାଡ଼ୁରେ । ତାମିଲନାଡ଼ୁର ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ମାଗଣାଦେବାର ସୀମା ସରହଦ ଟପିଯାଇଥିଲେ । ଭୋଟରଙ୍କୁ ସେମାନେ ମାଗଣାରେ ଟିଭି ସେଟ୍‌, ମିକ୍ସରଗ୍ରାଇଣ୍ଡର, କମ୍ପ୍ୟୁଟର, ଲାପଟପ୍‌, ଘରକରଣା ସାମଗ୍ରୀ ଇତ୍ୟାଦି ବାଣ୍ଟିଥିଲେ । ତେବେ ଏହି ‘ମାଗଣା’ ରୋଗ ଦୀର୍ଘଦିନ ବ୍ୟାପି ତାମିଲନାଡ଼ୁର ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକ, କେରଳ କିମ୍ବା ଦେଶର ଅନ୍ୟ କୌଣସି ରାଜ୍ୟକୁ ବ୍ୟାପିନଥିଲା । ଅଥଚ ରାଜନୈତିକ ଦୃଶ୍ୟପଟ୍ଟକୁ ଯେବେ ଅରବିନ୍ଦ କେଜ୍ରିୱାଲ ପ୍ରବେଶ କଲେ ସବୁକିଛି ବଦଳିଗଲା । ୨୦୧୪ରେ କେଜ୍ରିୱାଲ୍‌ଙ୍କ ଆମ ଆଦ୍‌ମୀ ପାର୍ଟି ୨୦୦ ୟୁନିଟ୍‌ ଯାଏଁ ମାଗଣା ବିଦ୍ୟୁତ୍‌, ମହିଳାଙ୍କ ପାଇଁ ମାଗଣାରେ ବସ୍‌ ଯାତ୍ରା, ମହିଳାଙ୍କୁ ମାସିକ ଅଗ୍ରିମ ଅର୍ଥ ପ୍ରଦାନ ଇତ୍ୟାଦିର ସୁବିଧା ଯୋଗାଇଦେବ କହି ଭୋଟରଙ୍କୁ ପ୍ରଲୁବ୍ଧ କଲା । ଆପ୍‌ର ଏହି ପ୍ୟାକେଜ୍‌ ଏତେବେଶୀ ଲୋଭନୀୟ ହୋଇପାରିଥିଲା ଯେ, ଦଳ ଦିଲ୍ଲୀ ବିଧାନସଭାର ମୋଟ୍‌ ୭୦ଟି ଆସନରୁ ୬୭ ଆସନ ପୋଛିନେଲା । ଖାଲି ଏତିକି ନୁହେଁ, ଦଳ ସେହି ନିର୍ବାଚନରେ ବିଜେପି ଠାରୁ ୨୨ପ୍ରତିଶତ ଅଧିକ ଭୋଟ ହାତେଇ ନିର୍ବାଚନୀ ଇତିହାସ ସୃଷ୍ଟି କରିଦେଲା । 

୨୦୧୪ ଦିଲ୍ଲୀ ନିର୍ବାଚନରେ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ପୂରା ସଫା ହୋଇଯାଇଥିଲା । ୨୦୧୯ ନିର୍ବାଚନ ବେଳେ ବି ଆପ୍‌ ତା’ର ଏପରି ମନମୋହକ କାର୍ଯ୍ୟକ୍ରମ ଜାରି ରଖିଲା ଏବଂ ପରିଣାମରେ ୭୦ ଆସନରୁ ୬୨ଟି ଆସନ ହାତେଇ ନେବାକୁ ସକ୍ଷମ ହେଲା । ବିଜେପି ନିଜର ଆସନ ସଂଖ୍ୟା ୩ରୁ ୮କୁ ବଢ଼ାଇପାରିଥିଲା ସତ, ମାତ୍ର ଆପ୍‌ ଠାରୁ କାହିଁ କେତେ ପଛରେ ପଡ଼ିଗଲା । ଦୀର୍ଘ ୧୦ବର୍ଷ ଧରି ଦିଲ୍ଲୀରେ ବିଜେପି ଏବଂ କଂଗ୍ରେସର ଯେପରି ଦୁର୍ଦ୍ଦଶା ହୋଇଥିଲା, ଏହା ଇଙ୍ଗିତ କରୁଥିଲା କି ଦୁଇ ବୃହତ ଦଳ ଯଦି ଆପ୍‌କୁ ଟକ୍କର ଦେବାଭଳି ‘ପ୍ରଲୋଭନର ଝୁଡ଼ି’ ଭୋଟରଙ୍କ ସାମନାରେ ନରଖନ୍ତି ତେବେ କ୍ଷମତାକୁ ଫେରିବା ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯିବ । କଂଗ୍ରେସ ଦିଲ୍ଲୀରେ ନିଜ ଅବସ୍ଥା ସୁଧାରି ପାରିନଥିଲେ ହେଁ ୨୦୨୩ ମେ’ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନୂଆ କରି ନିଜସ୍ୱ ଯୋଜନା ପ୍ରସ୍ତୁତ କରିଥିଲା । କର୍ଣ୍ଣାଟକ ଭୋଟରଙ୍କ ପାଇଁ ଆଣିଥିଲା ଫ୍ରିବିଜ୍‌ ମାଷ୍ଟର ପ୍ଲାନ୍‌ । କଂଗ୍ରେସର ତା’ର ନୂଆ ଯୋଜନା ବଳରେ ବିଜେପି ସରକାରକୁ ରାଜ୍ୟ ଶାସନରୁ ହଟାଇ ଦେଇଥିଲା । କଂଗ୍ରେସର ସ୍ୱତନ୍ତ୍ର ମାଗଣା ବଣ୍ଟନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା- ମହିଳାଙ୍କୁ ମାସିକ ୨ହଜାର ଟଙ୍କାର ବୃତ୍ତି ପ୍ରଦାନ ସହିତ ସରକାରୀ ବସ୍‌ରେ ମାଗଣା ଯାତ୍ରାର ସୁବିଧା, ଘର ପିଛା ୨୦୦ ୟୁନିଟ୍‌ ଲେଖାଁଏ ମାଗଣା ବିଦ୍ୟୁତ୍‌ ଯୋଗାଣ ଇତ୍ୟାଦି ଇତ୍ୟାଦି । ଦିଲ୍ଲୀ, କର୍ଣ୍ଣାଟକରେ ଯଥାକ୍ରମେ ଆପ୍‌ ଏବଂ କଂଗ୍ରେସ ନିକଟରେ ହାମୁଡ଼େଇବା ପରେ ବିଜେପି ସେହି କାଦୁଅରେ ଗୋଡ଼ ପୂରାଇବାକୁ ବିଚାର କରିବାକୁ ବାଧ୍ୟ ହେଲା । 

ପରିଣାମ ସ୍ୱରୂପ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ତେଲେଙ୍ଗାନାର ୨୦୨୩ ନଭେମ୍ବର ବିଧାନସଭା ନିର୍ବାଚନ ପାଇଁ ପ୍ରୋତ୍ସାହନମୂଳକ ଯୋଜନାର ଏକ ଥାକ ଭୋଟରଙ୍କ ସମ୍ମୁଖରେ ରଖିଦେଲା । ଥାକରେ ରଖିଥିଲା - ଲାଡ୍‌ଲୀ ଲକ୍ଷ୍ମୀ (ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୨୫୦ଟଙ୍କା ଭତ୍ତା), କଲେଜ ପଢୁଆ ଝିଅଙ୍କୁ ସ୍କୁଟି, ଛାତ୍ରୀଙ୍କୁ ଗାଡ଼ି ଭଡ଼ା ବାବଦ ଭତ୍ତା ପ୍ରଦାନ ଇତ୍ୟାଦି । ପ୍ରକାଶଥାଉ କି, ଆମ ସମ୍ବିଧାନ ଭାଗ-୪ର ଡାଇରେକ୍ଟିଭ ପ୍ରିନିସିପଲ୍‌ସ ଅଫ୍‌ ଷ୍ଟେଟ୍‌ ପଲିସିରେ ଦେଶର ଗରିବ ନାଗରିକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ପଦକ୍ଷେପ ନେଇପାରିବେ ବୋଲି ପ୍ରାବଧାନ ରହିଛି । ସେହି ଅନୁସାରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲିଛି ମଧ୍ୟ । ତେବେ ଆପ୍‌ ଏହାକୁ ଆଳ କରି ଯେଉଁ ବୃହଦାକାର ମାଗଣା ଯୋଜନା ଆରମ୍ଭ କଲା ତାହାର ପଦାନୁସରଣ କରିଥିଲା କଂଗ୍ରେସ । ପରବର୍ତ୍ତୀ ସମୟରେ ଉତ୍ତର ଭାରତ ଏବଂ ମଧ୍ୟ-ଭାରତର ବିଭିନ୍ନ ରାଜ୍ୟରେ ନିର୍ବାଚନ ସମୟରେ ବିଜେପି ଏବଂ ଅନ୍ୟାନ୍ୟ ଦଳଗୁଡ଼ିକ ଆପଣେଇ ନେଲେ ସମାନ କୌଶଳ । ଏଇ ଗଲା ଅକ୍ଟୋବର-ନଭେମ୍ବର ମାସରେ ମହାରାଷ୍ଟ୍ର, ହରିଆଣା ନିର୍ବାଚନରେ ମଧ୍ୟ ସମାନ ଅଭିଯାନ ଚଳାଇ ବିଜେପି ସଫଳତା ହାସଲ କରିଥିଲା । 

ଦିଲ୍ଲୀରେ ଦୀର୍ଘ ୧୦ବର୍ଷ ଧରି ଆପ୍‌ମୁହାଁ ହୋଇପଡ଼ିଥିବା ଭୋଟରଙ୍କ ମନ ବଦଳାଇବା ବିଜେପି ପାଇଁ ଥିଲା କାଠିକର ପାଠ । ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଦଳକୁ କ୍ଷମତାଚ୍ୟୁତ କରିବା ପାଇଁ ଆବଶ୍ୟକ ପଡ଼ିଥିଲା ବିଶେଷ ଧରଣର ‘ଚାଣକ୍ୟ ନୀତି’, ଯାହାକୁ ବହୁଦିନ ପୂର୍ବରୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲା ଦଳ । ଆପ୍‌ର ମଦ ଦୁର୍ନୀତିର ପର୍ଦ୍ଦାଫାସ ଏହାର ଥିଲା ଅଂଶବିଶେଷ । କେଜ୍ରିୱାଲ ନିଜ ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ସରକାରୀ ବାସଭବନର ନବୀକରଣ କରାଇଥିଲେ ଏହାକୁ ‘ସୀସମହଲ’ ନାମ ଦେଇ ବିଜେପି ଜୋରସୋର ଢଙ୍ଗରେ ପ୍ରସଙ୍ଗକୁ ଲୋକଙ୍କ ସାମନାକୁ ଆଣିଥିଲା, ଯାହା ଜରିଆରେ ବିଜେପି କେଜ୍ରିୱାଲଙ୍କ ଅସଲି ରୂପକୁ ପଦାରେ ପକାଇ ଦେଇଥିଲା । ଅରବିନ୍ଦ କେଜ୍ରିୱାଲ ନିଜକୁ ସାଧାରଣ ମଣିଷଙ୍କ ମଧ୍ୟରେ ଜଣେ ବୋଲି ପରିଚିତ କରାଇବାର ଯେଉଁ ଛଳନା କରିଆସୁଥିଲେ ‘ସୀସମହଲ’ ପ୍ରସଙ୍ଗ ହିଁ ସେହି ଛଳନାରେ ପୂର୍ଣ୍ଣଚ୍ଛେଦ ଟାଣିଦେଲା । ତେବେ ବିଜେପି ହୃଦୟଙ୍ଗମ କରିଥିଲା ଯେ, କେଜ୍ରିୱାଲଙ୍କୁ ହଟାଇବାକୁ ହେଲେ ପ୍ରସଙ୍ଗଭିତ୍ତିକ ଲଢ଼େଇ ଯଥେଷ୍ଟ ନୁହେଁ । ସାଙ୍ଗରେ ‘ମାଗଣା’ ପ୍ରଦାନ କୌଶଳକୁ ବି ଯୋଡ଼ିବାକୁ ପଡ଼ିବ । ଏଣୁ ଦିଲ୍ଳୀ ଭୋଟରଙ୍କୁ ଦେବାଲାଗି ଅନେକ ମାଗଣା ଉପହାରକୁ ଏକାଠି କଲା । ଆପ୍‌ ମହିଳାଙ୍କୁ ୨୧ଶହ ଟଙ୍କା ଲେଖାଏଁ ପ୍ରଦାନ ଘୋଷଣା ବିପକ୍ଷରେ ବିଜେପିର ପ୍ରତିଶ୍ରୁତି ଥିଲାମହିଳା ସମୃଦ୍ଧି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୫୦୦ଟଙ୍କା ଦେବ । ଏଥିସହିତ ଦିବ୍ୟାଙ୍ଗ, ବିଧବା ଏବଂ ବରିଷ୍ଠ ନାଗରିକମାନଙ୍କୁ ପୂର୍ବାପେକ୍ଷା ଅଧିକ ଭତ୍ତା ଦେବ । ବସ୍ତିବାସିନ୍ଦାଙ୍କୁ ମନ ଜିଣିବା ଲାଗି ଘୋଷଣା କଲା ‘ଅଟଳ କ୍ୟାଣ୍ଟିନ’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ମାତ୍ର ୫ଟଙ୍କା ଦରରେ ବସ୍ତବାସିନ୍ଦାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । 

ବିଭିନ୍ନ ରାଜ୍ୟରେ ବିଜେପିର ସଫଳତାରୁ ପ୍ରସଙ୍ଗଭିତ୍ତିକ ରାଜନୀତି ସହ ମାଗଣା ବଣ୍ଟନ ରାଜନୀତିର ଚର୍ଚ୍ଚା ଜୋର ଧରିଛି । ପରିଣାମ ଇଙ୍ଗିତ କରୁଛି, ଯଦିଓ ଫ୍ରିବିଜ୍‌ ସଂସ୍କୃତି ରାଜକୋଷକୁ କ୍ରମେ ଶୁଖାଇଦେବ, ତଥାପି ଏହାକୁ ଏଡ଼ାଇ ଦେଇହେବ ନାହିଁ । ଏ ପରିସ୍ଥିତିରେ ନୂଆବର୍ଷ ୨୦୨୫ ପ୍ରାରମ୍ଭର ଦୁଇଟି ଘଟଣାକ୍ରମ କିଛି ଭଲ ହେବାର ଆଶାକୁ ଉଜ୍ଜୀବିତ ରଖୁଛି । ତାହା ହେଉଛି, ଯଦିଓ ଭୋଟର ପ୍ରଲୋଭନକୁ ସମ୍ପୂର୍ଣ୍ଣ ଏଡ଼ାଇ ହେବନାହିଁ, କାଣ୍ଟଛାଣ୍ଟ କରିହେବ । ‘ମାଗଣା ବଣ୍ଟନ’ ରୋଗକୁ ସଂକ୍ରାମକ କରାଇବାରେ ଯିଏ ସର୍ବାଧିକ ଦାୟୀ ସେହି ରାଜନୈତିକ ଦଳ ‘ଆମ ଆଦ୍‌ମୀ ପାର୍ଟି’ ଦିଲ୍ଳୀରେ ହାରିଯିବା, ଆଶାର ପ୍ରଥମ କିରଣ ଅଟେ । ଦ୍ୱିତୀୟତଃ ଲଗାମହୀନ ମାଗଣା ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ ଜିଷ୍ଟସ୍‌ ଗାଭାଇଙ୍କ କଡ଼ା ଆଭିମୁଖ୍ୟ । ଏହି ମାଗଣା ବଣ୍ଟନକୁ ନେଇ ଏକ ମାମଲା ଏବେ ସୁପ୍ରିମକୋର୍ଟଙ୍କ ଏକ ଅଲଗା ଖଣ୍ଡପୀଠଙ୍କ ନିକଟରେ ଅଛି । ଏହା ଉପରେ ବିଚାର ବେଳେ ନିଶ୍ଚୟ ଭୋଟରଙ୍କୁ ମାଗଣା ପ୍ରଦାନ ପ୍ରଲୋଭନର ସପକ୍ଷବାଦୀ ତଥା ବିପକ୍ଷବାଦୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ଥୟ । ନାଗରିକମାନଙ୍କ ଜୀବନଧାରଣ ମାନର ଉନ୍ନତି ତଥା ଦାରିଦ୍ର‌୍ୟ ଦୂରୀକରଣ ଲାଗି ସମ୍ବିଧାନ ଦ୍ୱାରା ସରକାରଙ୍କୁ ଯେଉଁ ପରାମର୍ଶ ଦିଆଯାଇଛି, ତାହାକୁ ସର୍ବୋଚ୍ଚ ଅଦାଲତ କେଉଁ ଭାବରେ ଗ୍ରହଣ କରୁଛନ୍ତି ଏବଂ ତାହା ଉପରେ ବିଚାରର ଦିଗ ମୁଖ୍ୟତଃ ପର୍ଯ୍ୟବସିତ ହେବ ବୋଲି ଅନୁମାନ କରାଯାଇପାରେ ।