ଭୁବନେଶ୍ୱର,୦୧/୦୯: ୭ରୁ ୮% ହାରରେ ବଢ଼ୁଛି ଦେଶର ଜିଡିପି । ଶିଳ୍ପ ଅର୍ଥନୀତିର ହୃତ୍ପିଣ୍ଡ ହେଲେ, ଏହାକୁ ଚଳଚଞ୍ଚଳ କରିବାରେ ରିଟେଲ୍ କ୍ଷେତ୍ର ଶିରା ଓ ଧମନୀର ଭୂମିକା ଗ୍ରହଣ କରିଥାଏ । ଏହା ଅର୍ଥନୀତିର ମେରୁଦଣ୍ଡ ସଦୃଶ । ରିଟେଲ୍ ଚ୍ୟାନେଲ୍ ବିନା କୌଣସି ଶିଳ୍ପ ତିଷ୍ଠିବା କଷ୍ଟକର । ଏହା କହିଛନ୍ତି ଭୁବନେଶ୍ୱର ଜିଏସ୍ଟି ଜୋନର ଯୁଗ୍ମ କମିଶନର ସୁଶାନ୍ତ କୁମାର ମିଶ୍ର ।
ରବିବାର ପୂର୍ବାହ୍ନରେ ପ୍ରମେୟ ଓ ନ୍ୟୁଜ୍ ୭ ପକ୍ଷରୁ ସ୍ଥାନୀୟ କ୍ରିଷ୍ଟାଲ କ୍ରାଉନ୍ ହୋଟେଲରେ ଆୟୋଜିତ ହୋଇଥିଲା ତୃତୀୟ ସଂସ୍କରଣ ରିଟେଲ୍ ଆଇକନ ଆୱାର୍ଡ କାର୍ଯ୍ୟକ୍ରମ। ଏ ଅବସରରେ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ୧୭ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୁଗ୍ମ କମିଶନର ସୁଶାନ୍ତ କୁମାର ମିଶ୍ର, ମୁଖ୍ୟବକ୍ତା ମ୍ୟାନେଜ୍ମେଣ୍ଟ କନ୍ସଲ୍ଟାଣ୍ଟ ତଥା ଷ୍ଟ୍ରାଟେଜିକ ଆଡ୍ଭାଇଜର ସୁନୀଲ ବଂଶଲ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ଉପସଭାପତି ତଥା ସୁମା ରିୟଲ୍ ମିଡିଆର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ, ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ ସିଇଓ ସୁନୀଲ ଦାସ, ଗ୍ରୁପ ଡାଇରେକ୍ଟର (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ପ୍ରମୁଖ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର କହିଲେ, କୋଭିଡ୍ ପରେ ଗ୍ରାହକଙ୍କ ମନୋଭାବ ଢ଼େର ପରିବର୍ତ୍ତନ ହୋଇଛି । ଏହାକୁ ନଜରରେ ରଖି ବିଜ୍ନେସଗୁଡ଼ିକ ଓମ୍ନିପ୍ରେଜେଣ୍ଟ କୌଶଳ ଆପଣାନ୍ତୁ । ଗ୍ଲୋବାଲ୍ ଭାଲ୍ୟୁ ଚେନ୍ରେ ଯୋଡ଼ି ହୋଇ ଆହୁରି ଦକ୍ଷ ହେବାକୁ ପଡ଼ିବ । ଭାରତ ଉପରେ ଟାରିଫ୍ ପ୍ରଭାବ ଏତେଟା ପଡ଼ିବନି। ଦେଶର ୮୦ କୋଟି ମଧ୍ୟବିତ୍ତ ବର୍ଗ ଚାହିଦାକୁ ତ୍ୱରାନ୍ୱିତ କରିବେ । ରିଟେଲ୍ ବିଜ୍ନେସ୍ ଅଭିନବ ପେମେଣ୍ଟ ସିଷ୍ଟମ ସହ ଯୁବ ଗ୍ରାହକଙ୍କୁ ଯୋଡ଼ନ୍ତୁ ।

ଚାହିଦା ସହ ସାମଗ୍ରୀର ତ୍ୱରିତ ଉପଲବ୍ଧତା, ହପ୍ ଅନ୍ ହପ୍ ଅପ୍ ମଡେଲ, ପରିବେଶ ଉପଯୋଗୀ ପଦକ୍ଷେପ, ଜେନେରେଟିଭ ଏଆଇ ଟେକ୍ନୋଲୋଜି, ସ୍ୱତନ୍ତ୍ର କ୍ରୟ ଅଭିଜ୍ଞତା ମଡେଲ ସହ ଅଭିନବ କୌଶଳ ଆପଣାଇବାକୁ ପଡ଼ିବ । ଜିଏସ୍ଟି ସଂସ୍କାର ଦ୍ୱାରା ଇଜ୍ ଅଫ୍ ଡୁଇଁ ବିଜ୍ନେସରେ ଉନ୍ନତି ଏବଂ ଟିକସ ଚୋରି ରୋକିବାରେ କାର୍ଯ୍ୟକ୍ରମ ଗ୍ରହଣ କରଯାଉଛି ।

ମୁଖ୍ୟବକ୍ତା ଶ୍ରୀ ବଂଶଲ୍ କହିଲେ, ଅନ୍ଲାଇନ ପ୍ଲାଟଫର୍ମ ଦ୍ରୁତ ଭାବେ ବୃଦ୍ଧି ହେଉଛି । ଏହା ସତ୍ତେ୍ୱ ମଧ୍ୟ ଦେଶର ରିଟେଲ୍ କ୍ଷେତ୍ର ପ୍ରାସଙ୍ଗିକତା ବଜାୟ ରଖିବ । ଅନ୍ଲାଇନ ଓ ଅଫ୍ଲାଇନ ରିଟେଲ୍ ନିଜ ନିଜ ଢ଼ଙ୍ଗରେ ବଢ଼ିବେ । ଏବେ ଇ-କମର୍ସର ଅଂଶ ୭% ରହିଛି, ଯାହା ୨୦୩୦ ବେଳକୁ ୧୫% ଛୁଇଁବ । ଏଭଳି ଆହ୍ୱାନକୁ ସାମ୍ନା କରିବାକୁ ହେଲେ ରିଟେଲ ବିଜ୍ନେସ ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ କୌଶଳ ଆପଣାନ୍ତୁ ।
ପ୍ରଡକ୍ଟର ଟଚ୍ ଆଣ୍ଡ୍ ଫିଲ୍ ଗୁରୁତ୍ୱପୂର୍ଣ୍ଣ । ଏବେ ଗ୍ରାହକଙ୍କ ଧୈର୍ଯ୍ୟ କମିଛି । ସଚେତନତା ବଢ଼ିଛି । ଏଭଳି ସ୍ଥିତିରେ ଗ୍ରାହକଙ୍କ ଭରସାକୁ ବଜାୟ ରଖିବାକୁ ହେବ । ମର୍ଚ୍ଚାଣ୍ଡାଇଜ ପ୍ଲାନିଂ, ଇନ୍ଭେଣ୍ଟୋରୀ ପରିଚାଳନା, କର୍ମଚାରୀଙ୍କୁ ଉତ୍ପାଦ ତାଲିମ, ଡିଜିଟାଲ ପ୍ଲାଟଫର୍ମରେ ବିଜ୍ଞାପନ ପ୍ଲାନିଂ, ଅଧିକ ସଂଖ୍ୟାରେ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି ସହ କୁଶଳୀ ଶ୍ରମ ଶକ୍ତିକୁ ବାନ୍ଧି ରଖିବାକୁ ହେବ । ଟେକ୍ନୋଲୋଜି ଭିତ୍ତିକ ଦୃଢ଼ ଅନୁପାଳନ ଏବଂ ଗ୍ରାହକଙ୍କ ଡାଟାର ସୁରକ୍ଷା ମଧ୍ୟ ଜରୁରୀ । ଜିଏସ୍ଟି ୨.୦ ଅନୁପାଳନ ସହଜ କରିବା ସହ ଚାହିଦା ବୃଦ୍ଧିରେ ସହାୟକ ହେବ । ରିଟେଲ୍ ବ୍ୟବସାୟୀମାନେ ଅଭିନବ କୌଶଳ ଏବଂ ନୂଆ ଲକ୍ଷ୍ୟ ନେଇ କାମ କରନ୍ତୁ ।
ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଶ୍ରୀମତି ଦାସ ସ୍ୱାଗତ ଭାଷଣରେ କହିଲେ, ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିରେ ରିଟେଲ୍ କ୍ଷେତ୍ରର ଯୋଗଦାନ ଅତ୍ୟନ୍ତ ବଳିଷ୍ଠ ଏବଂ ପ୍ରଶଂସନୀୟ । ସୋଆ ପରିବାର ପ୍ରତିଭାଙ୍କୁ ସମ୍ମାନ ଦେବା ଓ ଗିଭିଂ ବ୍ୟାକ୍ଟୁ ସୋସାଇଟି ଆଦର୍ଶରେ ବିଶ୍ୱାସ କରେ । ଏହି ଆଦର୍ଶକୁ ପାଥେୟ କରି ଆମେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଭାଙ୍କୁ ଚୟନ କରିବା ସହ ସେମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କ କାର୍ଯ୍ୟକୁ ସମ୍ମାନିତ କରି ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ସବୁବେଳେ ଚେଷ୍ଟିତ । ଆମର ଏହି ଛୋଟ ପ୍ରୟାସ ରିଟେଲ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଉତ୍ସାହିତ ଏବଂ ଯୁବବର୍ଗଙ୍କୁ ବ୍ୟବସାୟ ପ୍ରତି ଆକର୍ଷିତ କରିବ ବୋଲି ଆଶାବାଦୀ ।

ଗ୍ରୁପ ସିଇଓ ଶ୍ରୀ ଦାସ କହିଲେ, ଦେଶର ବିକାଶରେ ରିଟେଲ୍ ବ୍ୟବସାୟ କ୍ଷେତ୍ର ଉଲ୍ଲେଖନୀୟ ଯୋଗଦାନ ଜାରି ରଖିଛି । ରିଟେଲ୍ ବ୍ୟବସାୟୀଙ୍କ ମନୋବଳ ବଢ଼ାଇବା ଦିଗରେ ୩ୟ ସଂସ୍କରଣ ରିଟେଲ୍ ଆଇନ ଆୱାର୍ଡ ଆୟୋଜନ କରାଯାଇଛି । ଏହା ଯୁବବର୍ଗଙ୍କୁ ନିଯୁକ୍ତି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାରେ ପ୍ରେରଣା ଦେବ ।

ଗ୍ରୁପ ଡାଇରେକ୍ଟର (ସେଲ୍ସ ଆଣ୍ଡ୍ ମାର୍କେଟିଂ) ଶ୍ରୀ ହୋତା କହିଲେ, ରିଟେଲ୍ କ୍ଷେତ୍ର ଜିଡିପିକୁ ୧୦% ଯୋଗଦାନ ଦେଉଛି । ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଗିଭିଂ ବ୍ୟାକ୍ ଟୁ ସୋସାଇଟି ମୂଳ ଲକ୍ଷ୍ୟ ଆଧାରରେ ଏକ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ଭାବେ ରିଟେଲ୍ ବ୍ୟବସାୟୀଙ୍କୁ ସାମ୍ନାକୁ ଆଣିବା, ସମ୍ମାନ କରିବା ଏବଂ ସେମାନଙ୍କ ପ୍ରେରଣାଦାୟୀ କାହାଣୀକୁ ଘରେ ଘରେ ପହଞ୍ଚାଇବା ରିଟେଲ୍ ଆଇକନ ଆୱାର୍ଡର ଲକ୍ଷ୍ୟ । ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ, ସଫଳ ମହିଳା ଓ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନ ଏବଂ ଛାତ୍ରଛାତ୍ରୀଙ୍କୁ ଏହି କ୍ରମରେ ଉତ୍ସାହିତ କରାଯାଉଛି । ପୂଜ୍ୟପୂଜାର ଏହି ଯାତ୍ରା ନିଶ୍ଚିତ ପକ୍ଷେ ଆଗକୁ ଜାରି ରହିବ ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ପ୍ରମେୟ ଡିଜିଏମ୍ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ଏସ୍ଏଫ୍ ଅଲ୍ଲୀ, ନ୍ୟୁଜ ୭ ଡିଜିଏମ୍ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ସିଦ୍ଧାର୍ଥ ରାଏ, ଡିଜିଏମ୍ ଜ୍ୟୋତିର୍ମୟ ପାଣିଗ୍ରାହୀ, ଏଜିଏମ୍ ବିଶ୍ୱରୂପ ପରିଡାଙ୍କ ସମେତ ପ୍ରମେୟ ଓ ନ୍ୟୁଜ ୭ ଟିମ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମୁନ୍ମୁନ୍ ସିଂ । ପ୍ରାୟୋଜକ ଭାବେ ଜେଏସ୍ଏଲ୍, ଟାଟାଷ୍ଟିଲ, ଓଆଇଏଫ୍ଇଏସ୍ଏମ୍, ପ୍ରୀତି ଏଣ୍ଟରପ୍ରାଇଜେସ, ଡିସିବି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ, ଇମ୍ଫା, ପଣ୍ଡା ଟ୍ରାଭେଲ ମାର୍ଟ ଏବଂ ସ୍ପର୍ଶ ହେଲ୍ଥ କେୟାର ରହିଥିଲା।

- ରାଜେଶ ଗୁପ୍ତା, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ,
- ଜୁଗଳ କିଶୋର ଅଗ୍ରୱାଲ,
- ଆଲିସାନ,ନିରୁ ଦୁବେ,
- ରୋହନ ଅଟୋରାଇଡର୍ସ,
- ବଦ୍ରି ନାରାୟଣ ସାମନ୍ତରାୟ, ତୃପ୍ତି ଗ୍ରୁପ
- ସଞ୍ଜୟ କୁମାର ଗୁପ୍ତା, ସ୍କାଏ ଅଟୋମୋବାଇଲ୍
- ଇସିକା ନାଥ, ଏସ୍ଜିବିଏଲ୍ ଗ୍ରୁପ
- ଦୀପକ କୁମାର ଅଗ୍ରୱାଲ, ଏସ୍ଏମ୍ ଟ୍ରେଡିଂ କୋ
- ଅବିନାଶ ଛାପୋଲିଆ, ଜିଆର୍ସି ଗ୍ରୁପ
- ଦିଭିତ୍ ଅଗ୍ରୱାଲ, ଧନୱାତ କିରନ୍ ଷ୍ଟୋର
- ଅର୍ଣ୍ଣବ ପ୍ରଧାନ, ଏଏମ୍ପି ଗ୍ରୁପ
- ଏସ୍କେ ରାହିଲ, ରାଜଧାନୀ ଫୁଟ୍ୱେର
- ବୈଦ୍ୟନାଥ ଦାସ, ଓମ୍ ନେତ୍ର ମନ୍ଦିର
- ମହମ୍ମଦ ନିଜାମୁଦ୍ଦିନ, ଦମାନି ଫୁଟ୍ୱେର୍
- ମନୋଜ ଧନୁକା, ଜଗନ୍ନାଥ ଡିଷ୍ଟ୍ରିବ୍ୟୁଟର୍ସ
- ଗୌରବ କେଡିଆ, ବିଜୟ ଫାର୍ମା
- ପ୍ରଦୀପ ଅଗ୍ରୱାଲ, ଜେଏମ୍ଜି ହିରୋ
- କୈଳାଶ ପାତ୍ର, ପାତ୍ର ଇଲେକଟ୍ରୋନିକ୍ସ
