ଭୁବନଶ୍ବେର: ରୋଗୀଙ୍କ ପାଇଁ ବିଶ୍ୱାସ ସୃଷ୍ଟି ଓ ତାକୁ ବଜାୟ ରଖିବା ଆଜି ଡାକ୍ତରମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଅତୀତରେ ଡାକ୍ତରଙ୍କ ଉପରେ ରୋଗୀ ପ୍ରବଳ ବିଶ୍ୱାସ ରଖୁଥିଲେ । ସମୟର ତାଳରେ ବିଭିନ୍ନ କାରଣରୁ ଏହି ବିଶ୍ୱାସ କମିବାରେ ଲାଗିଛି । ଏଣୁ ରୋଗୀଙ୍କ ସେହି ବିଶ୍ୱାସକୁ ବଜାୟ ରଖିବା ପାଇଁ ଡାକ୍ତରମାନେ ପ୍ରୟାସ କରିବ ଉଚିତ ବୋଲି ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର କହିଛନ୍ତି ।

ପ୍ରମେୟ, ନ୍ୟୁଜ୍-୭ ପକ୍ଷରୁ ଆଜି ମେ’ଫେୟାର ଓା୍ୱଲଡ୍ର୍ କପ୍ ଭେି ଲଜ୍ ଠାରେ ହେଲ୍ଥ କନ୍କ୍ଲେଭ୍ ଏବଂ ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଡାକ୍ତରଙ୍କ ପାଖରୁ ଲୋକଙ୍କ ଆଶା ବହୁତ । ଆଜିକାଲି ସମସ୍ତଙ୍କ ଧୈର୍ଯ୍ୟ କମିଛି । ଡାକ୍ତର ମାନଙ୍କର ମଧ୍ୟ ଧୈର୍ଯ୍ୟ ଶକ୍ତି କମିଛି । କାରଣ ପ୍ରାୟ ସମସ୍ତ ଡାକ୍ତର କାର୍ଯ୍ୟଚାପରେ ରହୁଛନ୍ତି । ଜିଲ୍ଲାପାଳ ଡାକ୍ତରଙ୍କୁ ପରାମର୍ଶ ଦେଇ କହିଲେ, ବର୍ତ୍ତମାନ ନୈତିକତା ଓ ଆୟ ମଧ୍ୟରେ ସନ୍ତୁଳନ ରଖିବାକୁ ପଡିବ । ଡାକ୍ତରଙ୍କୁ ଏକଜୁଟ୍ ହୋଇ ନୈତିକତା ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ରୋଗୀ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କ ଠାରୁ ଧନ୍ୟବାଦ ଖୋଜନ୍ତି । ହେଲେ, ଆଜିର ଯୁଗରେ ସୁସ୍ଥ ହେବା ପରେ ଲୋକେ ଡାକ୍ତରଙ୍କ କଥା ଭୁଲି ଯାଆନ୍ତି । ଏଣୁ ନିଜେ କାମରେ ସନ୍ତୁଷ୍ଟ ଥିଲେ ନିଜଠାରୁ ଧନ୍ୟବାଦ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଉରକେଲା ପାଇଁ ଶୁଭ ଖବରର ସୂଚନା ଦେଇ ସେ କହିଲେ, ପ୍ରାୟ ୬ଶହ କୋଟି ଟଙ୍କାବ୍ୟୟରେ ସରକାରୀ ହସ୍ପିଟାଲ ନିର୍ମାଣ କରିବାକୁ ୩୮ଏକର ଜାଗା ଚିହ୍ନଟ ହୋଇସାରିଛି । ସମ୍ମାନିତ ଅତିଥି ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ଆରଏମ୍ସି କମିଶନର ଦୀନା ଦସ୍ତଗୀର ମାନିବକତାକୁ ଭଲ ପାଇବାକୁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ନ୍ୟୁଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ କହିଲେ, ଡାକ୍ତର ରୋଗୀଙ୍କୁ ସବୁ ସମୟରେ ସେବା ଓ ସହଯୋଗର ହାତ ବଢ଼ାଉଥିଲେ ମଧ୍ୟ ଡାକ୍ତରଙ୍କ ଅବସ୍ଥା କେମିତି, ସେ କେଉଁ ସ୍ଥିତିରେ ସେବା କରି ଚାଲିଛନ୍ତି³ ତାହା ଅଧିକାଂଶ ଲୋକ ଧ୍ୟାନ ଦିଅନ୍ତିନାହିଁ । ନିଜ କଥା, ପରିବାରକୁ ଉପଯୁକ୍ତ ଧ୍ୟନ ଦେଇନପାରି ମଧ୍ୟ କର୍ତ୍ତବ୍ୟକୁ ଡାକ୍ତର ଗୁରୁତ୍ୱ ଦିଅନ୍ତି । ଡାକ୍ତରମାନେ ତାଙ୍କ ମନର ବ୍ୟଥା ପ୍ରକାଶ ମଧ୍ୟ କରି ପାରନ୍ତି ନାହିଁ । ଏଣୁ ଡାକ୍ତରଙ୍କ ସମସ୍ୟାକୁ ମଧ୍ୟ ସମାଜ ଗ୍ରହଣ କରିବା ଉଚିତ । ପ୍ରମେୟ ଏବଂ ନ୍ୟୁଜ୍-୭ର ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଥିଲେ ଯେ, ଡାକ୍ତରମାନେ ଆମ ପାଇଁ ଭଗବାନ । ଏହି ଧାରଣା ଲୋକଙ୍କର ରହିଛି । ତେଣୁ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମ କରିବାର ବିଭିନ୍ନ ଯଥାର୍ଥତା ‘ପ୍ରମେୟ’ ଏବଂ ନ୍ୟୁଜ୍-୭ ଅନୁଭବ କରିଛି ।

ଏହା ପଛରେ ପ୍ରତିଷ୍ଠାତା ପ୍ରଫେସର ଡାକ୍ତର ମନୋଜ ରଞ୍ଜନ ନାୟକଙ୍କର ପ୍ରେରଣା ରହିଛି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମେଡିକାଲ କଲେଜ, ସମ୍ ହସପିଟାଲ ସମେତ ୪ଟି ହସ୍ପିଟାଲ ଏବଂ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ଆଜି ରାଜ୍ୟକୁ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପ୍ରଦାନର ବଳିଷ୍ଠ ମାଧ୍ୟମ ସାଜି ପାରିଛି । ‘ପ୍ରମେୟ’ ଏବଂ ନ୍ୟୁଜ୍-୭ ପକ୍ଷରୁ କୃଷକ, ଗୃହିଣୀ, ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବହୁ କାର୍ଯ୍ୟକ୍ରମ କରାଯାଇଥାଏ । ଏହି କ୍ରମରେ ଆଜିର କାର୍ଯ୍ୟକ୍ରମ । ଡାକ୍ତରଙ୍କ ସମସ୍ୟାକୁ ଗଣମାଧ୍ୟମ ଜରିଆରେ ଲୋକଙ୍କ ନଜରକୁ ଆଣିଲେ, ହୁଏତ ଲୋକଙ୍କ ଚିନ୍ତାଧାରା ବଦଳିବ ବୋଲି ସେ କହିଥିଲେ । ପ୍ରମେୟ ରାଉରକେଲା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ ସମାଜ ପ୍ରତି ଡାକ୍ତରଙ୍କ ଅବଦାନ ନେଇ ଆଲୋକପାତ କରିଥିଲେ । ଏହି ଅବସରରେ ‘ପ୍ରମେୟ ହେଲ୍ଥ ପ୍ଲସ୍’ ପୁସ୍ତକକୁ ଅତିଥିମାନେ ବିମୋଚନ କରିଥିଲେ । ଏହାପରେ ଡାକ୍ତରଙ୍କ କାର୍ଯ୍ୟ ଚର୍ଚ୍ଚା ‘ଦି ଡକ୍ଟର୍ସ ଜର୍ଣ୍ଣି , ଆନ୍ ଇଭିନିଙ୍ଗ ଅଫ୍ ଆପ୍ରିସିଏସନ୍’ ନେଇ ବିଶେଷଜ୍ଞ ମଣ୍ଡଳୀଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା ।

ଏହି ଆଲୋଚନାରେ ଆରଜିଏଚ୍ ଡେପୁଟି ସୁପରିଟେଣ୍ଡେଣ୍ଟ ଡା. ପଣ୍ଡିତ ସାହୁ, ଚକ୍ଷୁ ବିଶେଷଜ୍ଞ ଡା. ସମୀର ପାତ୍ର, ସ୍ନାୟୁ ବିଶେଷଜ୍ଞ ଡା. ଦିପ୍ତୀରଞ୍ଜନ ତ୍ରିପାଠୀ, ହାଇଟେକ୍ ମେଡିକାଲ କଲେଜର ଭାଇସ୍ ପ୍ରିନ୍ସିପାଲ ଡା. ବ୍ରିଜେଶ ମୁଖାର୍ଜୀ, ଆପୋଲୋ ହସ୍ପିଟାଲ ରାଉରକେଲାର ସିଇଓ ଡ.ଅଖିଳ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଭିନ୍ନ ବିଭାଗର ୪୩ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ପାଞ୍ଚ ଜଣ ଡାକ୍ତର ଅର୍ଥାତ ଡା. ମୋନୁ ପଟ୍ଟନାୟକ, ଡା. ପ୍ରଦୀପ କୁମାର ମହାପାତ୍ର, ଡା.ଉତ୍ତମ ଚରଣ ଜେନା, ଡା. ଆର.ଏନ୍.ମହାପାତ୍ର, ଡା.ଦିଲୀପ ସାହୁଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିବା ପୃଷ୍ଠପୋଷକ ପାଇଁ ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ରାକେଶ ପାଣିଗ୍ରାହୀ, ମାକ୍ ପାନାରୋମା ହସ୍ପିଟାଲର ଚେୟାରମ୍ୟାନ୍ ତାପସ ଆଚାର୍ଯ୍ୟ, ଜେପି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା. ଚନ୍ଦନ ବଂଶଲ, ଓମ୍ ସାଇ ମେଡିଟେକ୍ର ଦୂତୀକୃଷ୍ଣ ମହାପାତ୍ର, ଭରତ ମେଡିସିନ୍ ଷ୍ଟୋରର ଚିରଞ୍ଜୀବ ଅବିନାଶ, ଡାମିଟ୍ସର ସୁଶାନ୍ତ ତ୍ରିପାଠୀ, କ୍ରିଷ୍ଣାକୃପା ପଲି କ୍ଲିନିକ୍ ଆଣ୍ଡ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ମୁଖ୍ୟ ଦିଲୀପ କୁମାର ବାରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଦିଆ ଯାଇଥିଲା । ଶେଷରେ ନ୍ୟୁଜ୍-୭ ରାଉରକେଲା ବ୍ୟୁରୋ ମୁଖ୍ୟ ଅଶୋକ ଦାସ ଧନ୍ୟବାଦ ଦେଇଥିଲେ ।

ଏହାସହ ପଢ଼ନ୍ତୁ : Extramarital Love Turns Deadly: ପରକୀୟା ପ୍ରୀତି ପାଇଁ ଜୀବନ ହାରିଛନ୍ତି ୪୯ ଜଣ