ପାକିସ୍ତାନର ପରୋକ୍ଷ ସହଯୋଗରେ ଏଭଳି ଆତଙ୍କୀ ଗୋଷ୍ଠୀ ଏବେ ଭାରତରେ ସେମାନଙ୍କ ଆତଙ୍କ ଜାଲ ବିସ୍ତାର କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ଏହା ଭାରତ ପାଇଁ ଏକ ସଂକେତ । ତେଣୁ ଏପରି ଜଡ଼କୁ କେବଳ ଖୋଳି ବାହାର କରିବା ନୁହେଁ, ଏହାକୁ ସମୂଳେ ଧ୍ୱଂସ କରିବା ମଧ୍ୟ ପରମ ଦାୟିତ୍ୱରେ ପରିଣତ ହୋଇଛି ।
ଦିଲ୍ଲୀର ଲାଲକିଲ୍ଳା ମେଟ୍ରୋ ଷ୍ଟେସନ ବିସ୍ଫୋରଣ ଘଟଣାର ତଦନ୍ତ ଯେତିକି ଗଭୀର ହେଉଛି, ଏହା ପଛରେ ଥିବା ଗଭୀର ଷଡ଼ଯନ୍ତ୍ରର ପର୍ଦ୍ଦା ସେତିକି ଉନ୍ମୋଚିତ ହୋଇଚାଲିଛି । ଏହା ଯେ ଦେଶରେ ବ୍ୟାପକ ବିସ୍ଫୋରଣ ଘଟାଇବାର ଏକ ସୁଚିନ୍ତିତ ଓ ବିଧିବଦ୍ଧ ଯୋଜନା ତାହା ସ୍ପଷ୍ଟ ହୋଇଛି । ଏନଆଇଏ ଠାରୁ ଆରମ୍ଭକରି ସିବିଆଇ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦିଗରୁ ଏହି ଷଡ଼ଯନ୍ତ୍ରର ଖୋଳତାଡ଼ କରୁଛନ୍ତି । ମଙ୍ଗଳବାର ଦିନ ଆତ୍ମଘାତୀ ଆତଙ୍କବାଦୀ ଡକ୍ଟର ଉମର ଉନ୍ ନବୀରର ଏକ ଭିଡିଓ ପର୍ଦ୍ଦାକୁ ଆସିଛି, ଯେଉଁଥିରେ ସେ ଶିକ୍ଷିତ ଯୁବକମାନଙ୍କୁ ଉଗ୍ରବାଦୀ ହେବାକୁ ବିଭିନ୍ନ ପ୍ରକାର ଯୁକ୍ତି ଦର୍ଶାଉଛନ୍ତି । ସେହିଭଳି ଏହି ଗୋଷ୍ଠୀର ଅନ୍ୟତମ ପ୍ରମୁଖ ମହିଳା ସଦସ୍ୟ ଡକ୍ଟର ସାହିନ ସହୀଦକୁ ଗିରଫ କରାଯିବା ପରେ ତାର ଚେର ସାଉଦି ଆରବ ଠାରୁ ମାଳଦୀପ ଓ ତୁର୍କୀ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ପୂର୍ବରୁ ଏହି ଆତଙ୍କବାଦୀ ଗୋଷ୍ଠୀଙ୍କ ପାକିସ୍ତାନୀ ଏବଂ ଦୁବାଇ ସମ୍ପର୍କ ନେଇ ଅନେକ ତଥ୍ୟ ଉନ୍ମୋଚିତ ହୋଇଥିଲା । ଅତଏବ, ଏହି ଗୋଷ୍ଠୀ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକ ସମନ୍ୱିତ ବିସ୍ଫୋରଣ ଘଟାଇ ଦେଶକୁ ଦୋହଲାଇ ଦେବାର ପ୍ରୟାସରେ ଥିଲେ ବୋଲି ଅନୁମାନ କରାଯାଏ । ସୌଭାଗ୍ୟର କଥା, ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଜବତ ହେବା ପରେ ଭୟରେ ଏବଂ ତରବରିଆ ଭାବେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଘଟିଥିବା ବିସ୍ଫୋରଣ ସମସ୍ତଙ୍କ ଆଖି ଖୋଲି ଦେଇଛି । ସଭିଏଁ ସତର୍କ ହୋଇଛନ୍ତି ।
ଏଭଳି ଫିଦାଏଁ ଶୈଳୀରେ ଆକ୍ରମଣ ସକାଶେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ହିଁ ଅଦୃଶ୍ୟ ଚକ୍ରବ୍ୟୂହ ରଚନା କରିଚାଲିଥିବା ସୂଚନା ମିଳେ । ବାବ୍ରୀ ମସଜିଦ ଭଙ୍ଗ ଘଟଣାର ପ୍ରତିଶୋଧ ନେବାକୁ ଏହି ମଡ୍ୟୁଲ ପ୍ରସ୍ତୁତ କରାଯାଇଥିଲା । ତେଣୁ ଆସନ୍ତା ଡିସେମ୍ବର ୬ ତାରିଖ ଦିନ ହିଁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ସକାଶେ ଏହି ଗୋଷ୍ଠୀ ମସୁଧା କରୁଥିବା ଅନୁମାନ କରାଯାଏ । କାରଣ ଯେଉଁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି, ତାହାକୁ ବୋମାରେ ପରିଣତ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲା । ଯୋଜନାକାରୀ ଡାକ୍ତର ଦଳ ବିଭିନ୍ନ ସ୍ଥାନରୁ ଓ ଉତ୍ସରୁ ସମ୍ଭବତଃ ଗାଡ଼ି ଓ ଫିଦାଏଁ ଉଗ୍ରବାଦୀ ଜୁଟାଇବାରେ ବ୍ୟସ୍ତ ରହିଥିଲେ । କିନ୍ତୁ ଏହାକୁ ଚୂଡ଼ାନ୍ତ ରୂପ ଦେବା ଆଗରୁ ସେମାନଙ୍କର ସବୁ ଯୋଜନା ପଣ୍ଡ ହୋଇଯାଇଥିଲା ।
ପ୍ରଶ୍ନ ଉଠେ, ପାକିସ୍ତାନ ଏବେ ଭାରତ ପ୍ରତି କେତେ ମାତ୍ରାରେ ବିପଦ ସୃଷ୍ଟି କରିବାରେ ବ୍ୟସ୍ତ । ଏହା ବାରମ୍ବାର ପ୍ରମାଣସିଦ୍ଧ ହୋଇସାରିଛି ଯେ, ପାରମ୍ପରିକ ଯୁଦ୍ଧରେ ଭାରତକୁ କଦାପି ହରାଇ ହେବନାହିଁ । ଆଣବିକ ବ୍ଲାକମେଲ୍ ଫର୍ମୁଲା ମଧ୍ୟ ଏକ ଧୂଆଁବାଣ ବୋଲି ଫସର ଫାଟି ସାରିଛି । ତେଣୁ ଆତଙ୍କବାଦୀମାନଙ୍କୁ ପାଳିପୋଷି, ତାଲିମ ଦେଇ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ପାକିସ୍ତାନୀ ସେନା ଓ ଗୁପ୍ତଚର ସଂସ୍ଥା (ଆଇ.ଏସ.ଆଇ.) ସେମାନଙ୍କୁ ଭାରତ ପଠାଉଥିଲା । ସୀମା ଡେଇଁ ଏବେ ସେମାନଙ୍କ ଅନୁପ୍ରବେଶ ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି । ଅତଏବ ଦେଶ ଭିତରୁ ସେମାନେ ଆଧୁନିକ ପ୍ରଯୁକ୍ତି ଓ ଯୋଗାଯୋଗ ବ୍ୟବସ୍ଥାକୁ ଉପଯୋଗ କରି ଏପରି ଆତଙ୍କବାଦୀ ସୃଷ୍ଟି କରିବାର ସୁଦୀର୍ଘ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ କେବଳ ପାକିସ୍ତାନ ନୁହେଁ, ମଧ୍ୟପ୍ରାଚ୍ୟ, ତୁର୍କୀ ଏବଂ ଅନ୍ୟାନ୍ୟ ରାଷ୍ଟ୍ର ମାଧ୍ୟମରେ ସେମାନେ ବିପଥଗାମୀ ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିବାର ଚେଷ୍ଟା ଚଳାଇଛନ୍ତି । ସୂଚନା ଅନୁସାରେ, ଜୈସ ମୁଖ୍ୟ ମାସୁଦ୍ ଆଝାର ଏବେ ତାର ଡେରା ତୁର୍କୀକୁ ଉଠାଇ ନେଇଛି ଏବଂ ତାର ଭଉଣୀମାନେ ମହିଳା ବ୍ରିଗେଡ ଗଠନ କରିବାରେ ନିୟୋଜିତ ଅଛନ୍ତି । ଗିରଫ ମହିଳା ଡାକ୍ତର ସାହିନ ସହୀଦ ଠାରୁ ଏଭଳି ସୂଚନା ମିଳିଥିବା ବିଶ୍ୱାସ କରାଯାଏ ।
ପାକିସ୍ତାନର ପରୋକ୍ଷ ସହଯୋଗରେ ଏଭଳି ଆତଙ୍କୀ ଗୋଷ୍ଠୀ ଏବେ ଭାରତରେ ସେମାନଙ୍କ ଆତଙ୍କ ଜାଲ ବିସ୍ତାର କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ଏହା ଭାରତ ପାଇଁ ଏକ ସଂକେତ । ତେଣୁ ଏପରି ଜଡ଼କୁ କେବଳ ଖୋଳି ବାହାର କରିବା ନୁହେଁ, ଏହାକୁ ସମୂଳେ ଧ୍ୱଂସ କରିବା ମଧ୍ୟ ପରମ ଦାୟିତ୍ୱରେ ପରିଣତ ହୋଇଛି । ଆତଙ୍କବାଦର ଇତିହାସ ଯାହା ସୂଚାଏ, ପାକିସ୍ତାନ କେବଳ ଭାରତକୁ ଅସ୍ତବ୍ୟସ୍ତ କରିବା ସକାଶେ ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛି । ଭାରତର ଏହି ଅଭିଯୋଗକୁ ପାକିସ୍ତାନ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛି । ଏପରିକି ସବୁ ଜାଣି ସୁଦ୍ଧା, ଅନ୍ୟ ରାଷ୍ଟ୍ରମାନେ ନିରବତା ଅବଲମ୍ବନ କରିଆସିଛନ୍ତି । ତେଣୁ ଭାରତକୁ ସ୍ମରଣ ରଖିବାକୁ ହେବ ଯେ, ନିଜ ସୁରକ୍ଷା ଦାୟିତ୍ୱ ନିଜର । ଏଥିରେ କେହି ସାହାଯ୍ୟ କିମ୍ବା ସମର୍ଥନ କରିବେ ନାହିଁ । ପାକିସ୍ତାନକୁ ଏହାର ଠିକଣା ଜବାବ ଦେବା ସକାଶେ ଭାରତ ନିଜର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବା ହିଁ ସମୟର ଆହ୍ୱାନ । ଏହାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇନପାରେ ।