ନୂଆଦିଲ୍ଲୀ: ବିହାରର ବାଙ୍କିପୁର ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ନିଜର ପ୍ରତିକ୍ରିୟା ରଖିଛନ୍ତି ଜନସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ଆସନରେ ବିଧାୟକ ଥିଲେ । ସେ ଏହି ଆସନ ଛାଡ଼ି ରାଜ୍ୟସଭାକୁ ଯାଇଥିବାବେଳେ ଏହି ଆସନରେ ହେବ ଉପନିର୍ବାଚନ । ତେବେ ଏହି ଆସନରେ ବିଜେପି ଦୀର୍ଘବର୍ଷ ଧରି ଜିତି ଆସୁଛି । ତଥାପି ଏହି ଉପନିର୍ବାଚନରେ ଜନସୂର ପାର୍ଟି ଏହି ଆସନ ଲାଗି ପ୍ରାର୍ଥୀ ଦେବ ବୋଲି କହିଛନ୍ତି ପି.କେ ।
ସେ କହିଛନ୍ତି କି, ଆମ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ସଦସ୍ୟ କହିଛନ୍ତି କି, ଏହି ଆସନରେ ପ୍ରାର୍ଥୀ ଦେବା ପାଇଁ । ଆମେ ଘରକୁ ଘର ଯିବୁ ଜନସମ୍ପର୍କ ପଦଯାତ୍ରା କରିବୁ । ଲୋକଙ୍କ ମତାମତ ନେବୁ ଏବଂ ବିଜେପିକୁ ପରାସ୍ତ କରିବା ପାଇଁ ଯୋଜନା କରିବୁ । ଗତ ନିର୍ବାଚନରେ ଆମେ ସମସ୍ତ ୨୪୩ ଆସନରେ ପ୍ରାର୍ଥୀ ଦେଇଥିଲୁ । କିନ୍ତୁ ବିଜେପି ଆମ ପ୍ରାର୍ଥୀଙ୍କୁ ହଇରାଣ କରାଇଥିଲା । ଏହାସହ ଟଙ୍କା ଲୋଭ ଦେଖାଇ କିଣିଥିଲା । ଆମେ ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଦଳ ଗଢ଼ିଥିଲୁ । ତଥାପି ଲଢ଼େଇ କରିଥିଲୁ ।
ସେପଟେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ତୁମେ ଯଦି ଭୁଲ୍ ସହ ରହିବ ତାହେଲେ ଭୁଲ୍ ଘଟିବ । ନୀତିଶ କୁମାରଙ୍କ ସହ ଯାହା ଘଟିଲା ସେ ନିଜେ କିଛି ପରିମାଣରେ ଦାୟୀ । ସେ ଯେଉଁ ଲୋକଙ୍କ ସହ ରହୁଥିଲେ ସେମାନେ ତାଙ୍କୁ ହଇରାଣ କରିଛନ୍ତି । ଯେତେବେଳେ ନୀତିଶ ଦୁର୍ବଳ ହୋଇଗଲେ ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ବିକ୍ରି ହୋଇଗଲେ । ସେ କାହିଁକି ରାଜ୍ୟସଭା ଗଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
ଏହାସହ ପଢ଼ନ୍ତୁ : ହାଇଦ୍ରାବାଦ ଆଗରେ ୨୪୪ ରନର ବିଶାଳ ଲକ୍ଷ୍ୟ ରଖିଲା ରାଜସ୍ଥାନ