ପାଟନା: ଜନ ସୁରାଜ ପାର୍ଟି ଗୁରୁବାର (ଅକ୍ଟୋବର ୯, ୨୦୨୫) ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ୫୧ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଏହି ତାଲିକାରେ ନିର୍ବାଚନ ରଣନୀତିକାର ଏବଂ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ନାମ  ନାହିଁ। ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ ସ୍ପଷ୍ଟ ହୋଇପାରି ନାହିଁ । 

ଦ୍ୱିତୀୟ ତାଲିକା ପ୍ରକାଶ ପାଇବା ପରେ ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇପାରେ । ପ୍ରଶାନ୍ତ କିଶୋର କରଗହର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପ୍ରଥମ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦଳ କରଗହର ଆସନରୁ ଭୋଜପୁରୀ ଗାୟକ ରିତେଶ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ଏଭଳି ସ୍ଥିତିରେ ରାଘୋପୁର ବିଧାନସଭା ଆସନ ପ୍ରଶାନ୍ତ କିଶୋରଙ୍କ ପାଇଁ ଏକମାତ୍ର ବିକଳ୍ପ ହୋଇ ରହିଛି ।  ପ୍ରଶାନ୍ତ କିଶୋର ପ୍ରାୟ ଗୋଟିଏ ମାସ ପୂର୍ବରୁ କହିଥିଲେ, ‘ମୁଁ ଦୁଇଟି ସ୍ଥାନରୁ ଲଢ଼ିବା ଉଚିତ । ପ୍ରଥମଟି ମୋର ଜନ୍ମସ୍ଥାନ ଏବଂ ଦ୍ୱିତୀୟଟି ମୋର କାର୍ଯ୍ୟସ୍ଥାନ ।  ମୋର ଜନ୍ମସ୍ଥାନ କରଗହର ଏବଂ ମୋର କାର୍ଯ୍ୟସ୍ଥଳ ରାଘୋପୁରରୁ ନିର୍ବାଚନ ଲଢ଼ିବା ଉଚିତ। ଅନ୍ୟ କୌଣସି ସ୍ଥାନରୁ ନିର୍ବାଚନ ଲଢ଼ିବାର କୌଣସି ଅର୍ଥ ନାହିଁ।’

ପ୍ରଶାନ୍ତ କିଶୋରଙ୍କ ମନ୍ତବ୍ୟ ଅନୁସାରେ, ରାଘୋପୁର ହିଁ ତାଙ୍କ ଲାଗି ଏକମାତ୍ର ବିକଳ୍ପ ବାକି ରହିଛି । ପ୍ରଶାନ୍ତ କିଶୋର ରାଘୋପୁରରୁ ଯଦି ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ତାଙ୍କ ବିପକ୍ଷରେ ତେଜସ୍ୱୀ ଯାଦବ ଏହି ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ସୂତ୍ର ଅନୁସାରେ, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଗୋଟିଏ ରାଘୋପୁର ଏବଂ ଅନ୍ୟଟି ମଧୁବନୀର ଫୁଲପରାସ ହୋଇପାରେ। କିନ୍ତୁ ତେଜସ୍ବୀ କଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିବ । ସୂଚନା ଅନୁସାରେ, ରୋହତାସ ଜିଲ୍ଲାର କରଗହର ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ (୧୧ ନଭେମ୍ବରରେ) ଭୋଟିଂ ହେବ ।  ରାଘୋପୁର ଆସନରେ ପ୍ରଥମ ପର୍ଯ୍ୟାୟରେ (୬ ନଭେମ୍ବରରେ) ନିର୍ବାଚନ ଅନୁଷ୍ଠିତ ହେବ।