ପାଟନା: ବିହାରର ଜନ ସୁରାଜ ଯାତ୍ରା ପାଇଁ ଆରାରେ ପହଞ୍ଚିଥିବା ପ୍ରଶାନ୍ତ କିଶୋରଙ୍କୁ ଏକ ଅପ୍ରତ୍ୟାଶିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ପ୍ରାୟ ୨ କିଲୋମିଟର ଦୀର୍ଘ ପଦଯାତ୍ରା ଏବଂ ରୋଡ୍ ଶୋ ପରେ ସଭାସ୍ଥଳ ଆଡକୁ ଯାଉଥିବା ବେଳେ, ଭିଡ଼ରେ ଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଛାତିରେ କାରର ଡୋର୍‌ ମାଡ଼ ହୋଇଥିଲା । ଏହି ଆଘାତ ସତ୍ତ୍ୱେ ପ୍ରଶାନ୍ତ କିଶୋର ସାହସ ଦେଖାଇ ମଞ୍ଚ ଉପରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।  ମଞ୍ଚ ଉପରେ ପହଞ୍ଚିବା ପରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ଏବଂ ଆଘାତ ସ୍ଥାନରେ ଥଣ୍ଡା ପାଣି ବୋତଲ ଲଗାଉଥିବା ଦେଖିବାକୁ ମିଳିଥିଲା । 

ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଶହ ଶହ ଲୋକଙ୍କୁ ଚିନ୍ତିତ କରିଥିଲା। ଜନ ସୁରାଜ ପାର୍ଟିର ବରିଷ୍ଠ ନେତା ଉଦୟ ନାରାୟଣ ସିଂହ ମଞ୍ଚରୁ ଘୋଷଣା କରିଥିଲେ ଯେ, ପ୍ରଶାନ୍ତ କିଶୋର ଆହତ ହୋଇଛନ୍ତି, କିନ୍ତୁ ସେ ଏବେ ବି ଦୁଇ ମିନିଟ୍ ପାଇଁ ଜନସାଧାରଣଙ୍କୁ ଭେଟିବା ପାଇଁ ମଞ୍ଚ ଉପରକୁ ଆସୁଛନ୍ତି । ଏହି ସମୟରେ ପ୍ରଶାନ୍ତ କିଶୋର ଜନସାଧାରଣଙ୍କୁ ଅଭିବାଦନ କରିଥିଲେ ଏବଂ ତା’ପରେ ତୁରନ୍ତ ମଞ୍ଚରୁ ଓହ୍ଲାଇ ଆରାର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । 

ହସ୍ପିଟାଲରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଜୟ ଗୁପ୍ତା କହିଛନ୍ତି ଯେ, ତାଙ୍କର ଛାତିରେ ଆଘାତ ଲାଗିଛି, କିନ୍ତୁ ଏହା ଗୁରୁତର ନୁହେଁ । ପ୍ରାଥମିକ ଚିକିତ୍ସା ଭାବରେ ତାଙ୍କୁ ପେନ୍‌ କିଲର ଏବଂ ଆଣ୍ଟିବାୟୋଟିକ୍ ଦିଆଯାଇଛି। ଡାକ୍ତର କହିଛନ୍ତି ଯେ, ଚିନ୍ତା କରିବାର କିଛି ନାହିଁ । ସେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ।