ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ଅସ୍ଥି, ଶନିବାର ଗଙ୍ଗା ନଦୀରେ ବିସର୍ଜନ କରାଯାଇଛି। ଉତ୍ତରାଖଣ୍ଡ ହରିଦ୍ୱାରର ହର କି ପୌରିର ଭିଆଇପି ଘାଟରେ ଶନିବାର ଅସ୍ଥି ବିସର୍ଜନ ବେଳେ ଏକ ମାର୍ମିକ ଦୃଶ୍ୟ, ମାହୋଲକୁ ଶୋକରେ ବୁଡ଼ାଇ ଦେଇଥିଲା। ଦିବଙ୍ଗତ ପ୍ରତୀକ ଯାଦବଙ୍କ ସାତ ବର୍ଷିୟା ଝିଅ ପଦ୍ମଜା ତାଙ୍କ ବାପାଙ୍କ ପାଇଁ ଲକ୍ଷ୍ନୌରୁ ହାତରେ ତିଆରି ଏକ କାର୍ଡ ସାଥିରେ ଆଣି ଥିଲେ,ଯାହା ଉପରେ ବଡ଼ ବଡ଼ ଅକ୍ଷରରେ ଲେଖି ଥିଲେ – ଆଇ ଲଭ୍ ୟୁ ପାପା। ପୂରା କର୍ମକାଣ୍ଡ ବେଳେ ପଦ୍ମଜା ସେହି କାର୍ଡକୁ ଛାତିରେ ଲଗାଇ ରଖିଥିଲେ। କେତେବେଳେ ସେ ଗଙ୍ଗା ଆଡ଼କୁ ଏକ ଲୟରେ ଦେଖୁଥିଲେ , ତ କେବେ କଇଁ କଇଁ କାନ୍ଦୁ ଥିଲେ। ଶେଷରେ ନିଜର କୋମଳ ହାତରେ ସେ କାର୍ଡକୁ ମଧ୍ୟ ଗଙ୍ଗାରେ ଭସାଇ ଦେଇଥିଲେ। ଏହି ଦୃଶ୍ୟ ଦେଖି ଘାଟରେ ଥିବା ଲୋକଙ୍କ ଆଖିରେ ଲୁହ ଆସି ଥିଲା।
ମାଆ ଅପର୍ଣ୍ଣା ଯାଦବ ନିଜେ ଗଭୀର ଦୁଃଖରେ ଥିଲେ , କିନ୍ତୁ ବାରମ୍ୱାର ଝିଅକୁ ସମ୍ଭାଳିବାକୁ ପ୍ରୟାସ କରୁଥିଲେ। ବଡ଼ ଭଉଣୀ ପ୍ରଥମା ମଧ୍ୟ ନିରବରେ ଠିଆ ହୋଇ ଛୋଟ ଭଉଣୀକୁ ଦମ୍ଭ ଦେଇ ଥିବାର ନଜର ଆସି ଥିଲେ। ବୈଦିକ ମନ୍ତ୍ରୋଚ୍ଚାର ଓ ଆରତି ମଧ୍ୟରେ ପୂରା ଘାଟରେ ଶୋକ ଓ ସମ୍ୱେଦନାର ଛାୟା ଖେଳି ଯାଇଥିଲା। ଏହି ଭାବ ପ୍ରବଣର କ୍ଷଣ ସେଠାରେ ଥିବା ପ୍ରତି ବ୍ୟକ୍ତିଙ୍କ ହୃଦୟକୁ ଦୋହଲାଇ ଦେଇଥିଲା। ଜଣେ ନିରୀବ ଝିଅର ନିଜ ପିତାଙ୍କ ପ୍ରତି ନିଷ୍କପଟ ଭଲ ପାଇବା ଓ ହରାଇବାର ଯନ୍ତ୍ରଣା ଦୀର୍ଘ ସମୟ ଯାଏ ଲୋକଙ୍କ ମନରେ ରହିଥିଲା।
ଉଲ୍ଲେଖନୀୟ ଯେ, ପ୍ରତୀକ ଯାଦବଙ୍କ ଗତ ୧୩ ମେ’ ସକାଳେ ହାର୍ଟ ଓ ଫୁସଫୁସ୍ ଜନିତ ରୋଗୀଙ୍କ କାରଣରୁ ଦେହାନ୍ତ ହୋଇ ଯାଇ ଥିଲା। ଶାରୀରିକ ଫିଟନେସରେ ସଉକ ରଖିଥିବା ପ୍ରତୀକ ଖୁବ୍ ପ୍ରଭାବଶାଳୀ ରାଜନୀତିକ ପରିବାରରୁ ଆସିଥିବା ସତ୍ତ୍ୱେ ରାଜନୀତି ଠାରୁ ଦୂରରେ ରହିବାକୁ ପସନ୍ଦ କରୁ ଥିଲେ। ପ୍ରତୀକଙ୍କ ପତ୍ନୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅପର୍ଣ୍ଣା ଯାଦବ, ଏହି ସମୟରେ ଉତ୍ତର ପ୍ରଦେଶର ରାଜ୍ୟ ମହିଳା ଆୟୋଗର ଉପାଧ୍ୟକ୍ଷ ଅଛନ୍ତି। ଯେଉଁ ଦିନ ପ୍ରତୀକଙ୍କ ଦେହାନ୍ତ ହେଲା , ସେହି ଦିନ ସେ ଉତ୍ତର ପ୍ରଦେଶରେ ନଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଁ ସେ ଫେରି ଆସି ଥିଲେ।
ଆହୁରି ମଧ୍ୟ ପଢନ୍ତୁ : NEET Paper Leak: ୨୦୨୫ ରେ ପାଠରେ ଦୁର୍ବଳ ପୁଅକୁ ପ୍ରଶ୍ନ ପତ୍ର ଦେଇ ପାସ୍ କରାଇଥିଲେ ଅଭିଯୁକ୍ତ ମାଙ୍ଗିଲାଲ୍