ଭୁବନେଶ୍ୱର ୦୧/୦୧: ଭୁବନେଶ୍ୱରରେ ମେଗା ସୋ । ଆସନ୍ତା ଜାନୁଆରୀ ୮ ରୁ ୧୦ ତିନିଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଜନତା ମଇଦାନଠାରେ ଏ ଦିବସ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ଯୋଗ ଦେବେ । ସେ ଚନ୍ଦକା ସ୍ଥିତ ଗୋଡ଼ିବାରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗ ଦେବେ । ଏଯାଏଁ ୨୭୪୮ ଜଣ ଅତିଥି ଅଂଶ ଗ୍ରହଣ ପାଇଁ ପଞ୍ଜିକରଣ କରିଛନ୍ତି । ୫୦ ଦେଶର ୨୫୦୦ରୁ ଅଧିକ ପଞ୍ଜିକରଣ ମିଳିଛି । ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍’ର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ଙ୍କ ଏହି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଏହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏ ଉତ୍ସବର ସଂପୂର୍ଣ୍ଣ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଦେଶର ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିବାରୁ ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ସଂପର୍କ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିର୍ମଳ କରାଯାଉଛି । ସହରକୁ ସୁସଜ୍ଜିତ ଆଲୋକମାଳାରେ ସଜ୍ଜିତ କରାଯାଉଛି । ଏ ଉତ୍ସବ ବେଳେ ସହରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୃତି ରାଜଧାନୀକ ଉତ୍ସବ ମୁଖର କରିବ । ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମାରୋହରେ ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ କରାଯିବ । ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଅନୁଷ୍ଠିତ ହେବ । ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିମାନଙ୍କୁ ପରିଭ୍ରମଣ କରିବାର ବ୍ୟବସ୍ଥା କରାଯାଉଛି । ଓଡ଼ିଶାର ଏକ ପ୍ୟାଭଲିୟନ ଜନତା ମଇଦାନରେ ରହିବ, ଯେଉଁଥିରେ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜିର ପ୍ରଦର୍ଶନ କରାଯିବ ।
ଅତିଥି ମାନଙ୍କ ଭ୍ରମଣ ତଥା ଯାତାୟାତ ପାଇଁ ୧୦ଟି ଉନ୍ନତମାନର ବସ ଏବଂ ୫ଟି ଡବଲ୍ ଡେକର ବସ୍ର ବ୍ୟବସ୍ଥା କରାଯାଉଛି । ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରିବେ । ଏହି ଦିବସରେ ସାମିଲ ହେବାକୁ ଆମେରିକାର ୮୪, ୟୁଏଇର ୧୪୧, କତାରର ୧୭୭, ମରିସସ୍ ୩୦୮, ଓମାନ୍ ୩୦୩ କାନାଡ଼ାର ୨୭ ଜଣ ପଞ୍ଜିକରଣ କରିଛନ୍ତି । ସେହିଭଳି ଦେଶ ଭିତରୁ ଓଡ଼ିଶାରୁ ୭୪, ୟୁପି ୪୪, କେରଳ ୬୪, ମହାରାଷ୍ଟ୍ରର ୪୬ ଜଣ ପଞ୍ଜିକରଣ କରିଛନ୍ତି । ଅତିଥି ମାନଙ୍କ ପାଇଁ ୨୦୦ଟି ହୋଟେଲରେ ରହଣୀ ବ୍ୟବସ୍ଥା କରାଯାଇଛି ।
ପ୍ରସ୍ତୁତି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।