ଭଦ୍ରକ,୨୮/୫ : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରୟାସ କାନ୍ତି ସାମଲ ଓରଫ ଲୁଲୁ ସାମଲ । ପୂର୍ବତନ ମନ୍ତ୍ରୀ ତଥା ବିଜୁ ଶ୍ରମିକ ସମ୍ମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି ।
ଏ ନେଇ ବୁଧବାର ଲୁଲୁ ନିଜ ଭଦ୍ରକ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଆଶୀର୍ବାଦରୁ ଦଳରେ ରହି ଅନେକ ସେବା କରି ଆସିଛି । ବିଜୁ ଜନତା ଦଳ ମୋତେ ଆଶୀର୍ବାଦ ଦେଇଛି । ମୋ ପରିବାର ଏବେ ସବୁ ସେହି ଦଳରେ ଅଛନ୍ତି । ରାଜନୀତିରେ ରହିବି, ଲୋକଙ୍କ ସେବା କରିବି, ଲୋକଙ୍କ ସହ ରହି କାମ କରିବି, କିନ୍ତୁ ବିଜୁ ଜନତା ଦଳ ସହ ନୁହଁ, ଆଜି ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋତେ ରାଜନୀତିରେ ରହି ସବୁ ବର୍ଗର ଲୋକଙ୍କ ସେବା କରିବା ସହଜ ହେଉ ନ ଥିଲା । ଏଣୁ ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି । ଏହି ପତ୍ର ନବୀନ ବାବୁଙ୍କୁ ଦେଇଛି । ୨୦୦୨ରୁ ବିଜେଡିରେ ସାମିଲ ଥିଲି । ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ହୋଇଛି । ରାଜ୍ୟ ସମ୍ପାଦକ ବି ଥିଲି ।
ଯଦି ଦେଖିବା ତେବେ ଉଭୟ ଭଦ୍ରକ ଓ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଲୁଲୁଙ୍କ ସଂଗଠନ ଏବେ ବି ସକ୍ରିୟ ରହିଛି । ଏଭଳି ସ୍ଥଳେ ସେ ଦଳ ଛାଡ଼ିବା ଆଉ ଲୋକଙ୍କ ସହ ରହିବା କଥା କହିବା ଘଟଣା ରହସ୍ୟ ବୃତ୍ତ ରହିଛି । ପୁଣି ଲୁଲୁ କହିଛନ୍ତି, ଏବେ ବରପଦା ଇଂଜିନିୟରି କଲେଜ ସରକାରୀ କରଣ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଆଗକୁ ନେବି । ବରପଦା କଲେଜ ଆମର ଗୌରବ ବୋଲି କହିବା ସହ ଆଜି ବିଜେଡିରୁ ଇସ୍ତଫା ଦେବା ମୋ ପାଇଁ କଷ୍ଟକର ବୋଲି ପ୍ରକାଶ କରିଛନ୍ତି ।