ଗୁଡଭେଲା୩୦/୫ : ଗୁଡଭେଲା ବ୍ଲକରେ ପ୍ରାକ୍ ମୌସୁମୀ ବର୍ଷା ଚାଷୀଙ୍କ ପାଇଁ ବିପଦ ସାଜିଛି । ଗୁଡଭେଲା ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୨ ହଜାର ଏକର ଧାନ ଚାଷ ପୁରା ନଷ୍ଟ ହୋଇଯାଇଛି। ଚଳିତବର୍ଷ ମେ ମାସ ସାରା ପ୍ରାୟ ପ୍ରତିଦିନ ଉଣା ଅଧିକେ ବର୍ଷା ହେଉଥିବା ବେଳେ ବର୍ତ୍ତମାନ ପ୍ରାକ ମୌସୁମୀ ଓ ମୌସୁମୀ ଜନିତ ବର୍ଷା ଯୋଗୁ ଅମଳକ୍ଷମ ଧାନ ବର୍ଷାରେ ଭିଜିବା ସହ ବିଲ ଗୁଡିକରେ ପାଣି ଜମି ଧାନ ଗଜା ହେବା ସହ ନଷ୍ଟ ହୋଇଯାଇଛି। ଗୁଡଭେଲା ବ୍ଲକର ୧୩ ଗୋଟି ପଂଚାୟତ ଓ ତୁଷରା ଏନ୍ ଏସି ମଧ୍ଯରୁ ଜାମୁଟ, ଦେଉଲଗୁଡି, ସମରା ଓ ବଡଙ୍ଗୋମୁଣ୍ଡା ପଂଚାୟତକୁ ଛାଡିଦେଲେ ବାକି ସମସ୍ତ ପଂଚାୟତରେ ଜଳସେଚନ କିମ୍ବା ନଳକୂପର ସୁବିଧା ରହିଛି। ତେଣୁ ଚଳିତ ବର୍ଷ ୧୫ ସହ ହେକ୍ଟରରେ ଡାଳୁଅ ଧାନ ଚାଷ ହୋଇଥିଲା। ଏଥି ମଧ୍ୟରୁ କେବଳ ୩୫ରୁ ୪୦ ପ୍ରତିଶତ ଧାନ ଅମଳ ହୋଇଥିବା ବେଳେ ଅନ୍ୟ ସବୁ ଧାନ ବିଲରେ ହିଁ ରହିଛି। ବର୍ତ୍ତମାନର ୪,୫ ଦିନର ପ୍ରବଳ ବର୍ଷା ଯୋଗୁଁ ବିଲ ଗୁଡିକରେ ଧାନ ଗଛ ପଡିଯାଇ ପାଣି ଜମି ନଷ୍ଟ ହେବା ସହ ବହୁ ଜମିରେ ଧାନ ଗଜା ମଧ୍ଯ ହୋଇ ଯାଇଛି। ଚାଷ ନଷ୍ଟ ଯୋଗୁଁ ଚାଷୀ ମାନେ ଚିନ୍ତାରେ ଥିବାବେଳେ ଅନେକ ସ୍ଥାନରେ ଆଉ ଧାନ ଅମଳ ଯୋଗ୍ୟ ନଥିବାରୁ ନଷ୍ଟ ଧାନକୁ କ୍ଷେତରେ ହିଁ ଗାଇ ଖାଇବା ପାଇଁ ଛାଡି ଦେଇଥିବା ଚାଷୀ ମାନେ କହିଛନ୍ତି।