କଲ୍ୟାଣସିଂହପୁର,୧୭/୦୯: ମହୁମାଛି ଆକ୍ରମଣରେ ଗର୍ଭବତୀଙ୍କ ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଚାଷ ଜମିରେ କାମ କରୁଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଦୁଲଦୁଲଗୁଡା ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ଗର୍ଭବତୀ ମହିଳା ମଞ୍ଜୁଳା ହିଆଲ ତାଙ୍କ ତିନି ବର୍ଷର ଝିଅ ସହ ଦୁଲଦୁଲିଗୁଡା ଛକ ନିକଟକୁ ଯାଉଥିଲେ । ଏହି ସମୟରେ ଉଭୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ନିକଟସ୍ଥ ଜମିରେ କାମ କରୁଥିବା କିଛି ଯୁବକ ଉଭୟଙ୍କୁ ଉଦ୍ଧାର କରି ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗ ଗାଡିରେ ନେଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ଆଶିଷ ମେହେର ସୂଚନା ଦେଇଛନ୍ତି।