ଫିରିଙ୍ଗିଆ,୧୫/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ୨୪ଟି ପଞ୍ଚାୟତ ଭରସା କରୁଥିଲେ ପ୍ରଶାସନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସବ ଜାନ ଉପରେ । ଏହି ପ୍ରକଳ୍ପ ଚଳିତ ମାସ ୧ ତାରିଖଠାରୁ ବନ୍ଦ କରି ଦିଆଯାଇଛି । ଯାହା ଫଳରେ ଦୁରଦୂରାନ୍ତର ଗର୍ଭବତୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହାର ଏକ ନଜର ଦେଖିବାକୁ ମିଳିଛି ଆଜି ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଂଚଳ ଜାଜେସପାଙ୍ଗା ପଂଚାୟତ ଇର୍ପିପାଙ୍ଗା ଗ୍ରାମରେ ।
ସୂଚନା ଅନୁସାରେ ରିତେସ କୁମାର ଦିଗାଲଙ୍କ ସ୍ତ୍ରୀ ଅରୁପାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ପ୍ରସବ ଜାନ ମୋବାଇଲକୁ କଲ୍ କରିଥିଲେ । କିନ୍ତୁ ସେଠାରୁ କୌଣସି ଉତ୍ତର ନ ପାଇ ୧୦୮କୁ କଲ୍ କରିଥିଲେ । କିନ୍ତୁ ତାହା ଉପଲବ୍ଧ ନ ହେବାରୁ ନିଜ ବାଇକରେ ଆଶା ଦିଦିଙ୍କ ସହ ବସାଇ ବହୁ କଷ୍ଟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ନିମନ୍ତେ ଆଣିଥିଲେ । ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବକୁ ସୁରକ୍ଷିତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବାବେଳେ କନ୍ଧମାଳ ଜିଲ୍ଲାରେ ଏମିତି ବହୁତ ଅଂଚଳ ଅଛି ଯାହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ବହୁତ ଦୂର ଏବଂ ଆନୁଷ୍ଠାନିକ ପ୍ରସବ ନିମନ୍ତେ ବହୁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡ଼େ ।
କିନ୍ତୁ ପ୍ରସବ ଜାନ ଚାଲିଥିବା ସମୟରେ ଏହାର ସୁଫଳ ଦେଖିବାକୁ ମିଳୁଥିଲା । ଯାହାକି ଫିରିଙ୍ଗିଆ ବ୍ଲକରେ ୨୦୦୦ରୁ ଅଧିକ ଗର୍ଭବତୀଙ୍କୁ ସୁରକ୍ଷିତ ମାତୃତ୍ୱ ଦେଇପାରିଥିଲା । ବନ୍ଦ ହେବାର ଦିନ କେତଟା ମଧ୍ୟରେ ସ୍ଥିତି ଅସମ୍ଭାଳ ହେଲାଣି । ଏହିପରି ଯଦି ଆଗକୁ ଜାରି ରହେ ତେବେ ପୁଣି ଥରେ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଦେଖିବାକୁ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ପୁନର୍ବାର ଏହି ସୁବିଧା ଜିଲ୍ଲାରେ ପ୍ରଚଳନ ପାଇଁ ସାଧାରଣରେ ଦାବି ହେଉଛି ।