ଝାରସୁଗୁଡ଼ା,୩୦/୧୧: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍ଆର୍) କେବେ ବୋଝ କିମ୍ବା ବେକର ଫାଶ ନୁହେଁ । ଏହା ହେଉଛି କୌଣସି ଅଞ୍ଚଳ ପ୍ରତି ଦାୟିତ୍ୱ । ଖଣି ଓ ଶିଳ୍ପ ପାରିପାର୍ଶ୍ବିକ ଅଞ୍ଚଳରେ ବିକାଶ ପାଇଁ ଆନୁପାତିକ ବ୍ୟୟ ହେବା ଜରୁରି । ପ୍ରକଳ୍ପଗୁଡ଼ିକ ଅସ୍ଥାୟୀ ନ ହେଉ । ଲୋକଙ୍କ ଆବଶ୍ୟକତା, ଜୀବନଧାରଣମାନ ରେ ଉନ୍ନତି, ରୋଜଗାର, ପ୍ରଦୂଷଣ ହ୍ରାସ ଓ ପରିବେଶ ସୁରକ୍ଷା ପ୍ରତି ଆନ୍ତରିକତା ରହୁ । ପ୍ରକଳ୍ପ ଅନ୍ତତଃ ପକ୍ଷେ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କାମରେ ଲାଗୁ । କମ୍ପାନିଗୁଡ଼ିକ ସିଏସ୍ଆର୍ ପାଣ୍ଠିକୁ ଦୀର୍ଘ ସ୍ଥାୟୀ ଓ ନିରନ୍ତର ବିକାଶ ଦିଗରେ ବ୍ୟୟ କରନ୍ତୁ ବୋଲି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱଣ କହିଛନ୍ତି ।
‘ପ୍ରମେୟ' ଓ ନ୍ୟୁଜ୍-୭ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ହୋଟେଲ ମେ ଫେୟାରଠାରେ ଶନିବାର ଅନୁଷ୍ଠିତ ଦିନିକିଆ ସିଏସ୍ଆର୍ କନକ୍ଲେଭ-୨୦୨୫ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଚହ୍ୱଣ ଯୋଗଦେଇ କମ୍ପାନିଗୁଡ଼ିକର ସାମାଜିକ ଦାୟିତ୍ୱବୋଧ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସିଏସ୍ଆର୍ ବ୍ୟବସ୍ଥାଗତ ବାଧ୍ୟବାଧକତା ନ ହୋଇ ଆନ୍ତରିକ ହେଉ । ଏଥିରେ ଗୋଷ୍ଠୀଗୁଡ଼ିକର ସହଭାଗିତା ରହୁ । ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରଦୂଷଣ ସମ୍ପର୍କିତ ତଥ୍ୟ ବାସ୍ତବତାଠାରୁ ଭିନ୍ନ ରହୁଛି । ବିକାଶ ନାଁରେ ଲୋକଙ୍କ ସ୍ୱାସ୍ଥ୍ୟକୁ ବଳି ପକାଇବା ଆଦୌ ଗ୍ରହଣୀୟ ନୁହେଁ । ସେ ଦୃଷ୍ଟିରୁ ଲୋକଙ୍କ ଜୀବିକା ବିକାଶ ଦିଗରେ ସହାୟକ ହେବା ଭଳି କାର୍ଯ୍ୟ କରାଗଲେ ସିଏସ୍ଆର୍ର ଲକ୍ଷ୍ୟ ସାଧିତ ହେବ ବୋଲି ଜିଲ୍ଲାପାଳ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଥିଲେ ।
ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ, ସାମାଜିକ ସେବା କ୍ଷେତ୍ରରେ ପ୍ରଶଂସା ମିଳିବା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବାରମ୍ବାର ବିଫଳତା ସତ୍ତେ୍ୱ ଲକ୍ଷ୍ୟ ପଥରେ ଆଗେଇ ଯାଇ ଭଲ କାମ କରିବା ଆବଶ୍ୟକ । ଅନ୍ୟ ମୁହଁରେ ହସ ଫୁଟାଇବା ଇଚ୍ଛା ସମାଜସେବା କରିବାକୁ ଅନୁପ୍ରାଣିତ କରେ । ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ସିଏସ୍ଆର୍କୁ ଆନ୍ତରିକତାର ସହ ନିର୍ବାହ କରନ୍ତୁ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ ।
ଏନ୍ଆଇଟି ରାଉରକେଲାର ପ୍ରଫେସର ସୁବ୍ରତ କୁମାର ପଣ୍ଡା କହିଥିଲେ, ସିଏସ୍ଆର୍ କାର୍ଯ୍ୟ ଗୋଷ୍ଠୀର ସାମଗ୍ରିକ ବିକାଶ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହେବା ଜରୁରି । ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ସିଏସ୍ଆର୍ ମୁଖ୍ୟ ହର୍ମିତ ସେହରା ବେଦାନ୍ତ ପକ୍ଷରୁ ଗ୍ରହଣ କରାଯାଉଥିବା ସିଏସ୍ଆର୍ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଲୋକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ପ୍ରଶାସନ ସହ ମିଶି କାର୍ଯ୍ୟ କରାଯାଉଥିବା ସେ କହିଥିଲେ ।
ଓଡ଼ିଶା ମେଟାଲିକ୍ସର ସିନିୟର ଭାଇସ ପ୍ରେସିଡେଣ୍ଟ ଅଜିତ ସିଂ କହିଥିଲେ, ଅଞ୍ଚଳର ବିକାଶ ସହ ସିଏସ୍ଆର୍ରେ ଲୋକଙ୍କୁ ଯୋଡ଼ାଯାଉ । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସିଇଓ ସୁନୀଲ ଦାସ ଅଭିଭାଷଣରେ କହିଥିଲେ, ‘ପ୍ରମେୟ' ଓ ନ୍ୟୁଜ-୭ ସର୍ବଦା ଲୋକଙ୍କ ସ୍ୱାର୍ଥରେ ଖବର ପରିବେଷଣ କରେ । ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି । ଉଦ୍ଘାଟନୀ ସମାରୋହରେ ପ୍ୟାନେଲ ଚର୍ଚ୍ଚା ଆୟୋଜିତ ହୋଇଥିଲା ।
‘ପ୍ରମେୟ' ଓ ନ୍ୟୁଜ-୭ର ଗ୍ରୁପ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କନ୍କ୍ଲେଭର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସିଏସ୍ଆର୍ କାର୍ଯ୍ୟକ୍ରମ କିପରି ଲୋକମାନଙ୍କ ନିକଟତର ଏବଂ ଦୀର୍ଘସ୍ଥାୟୀ ହେବ ସେ ନେଇ ଗୁରୁତ୍ୱ ଦେବାକୁ ଶ୍ରୀ ହୋତା ପରାମର୍ଶ ଦେଇଥିଲେ । ଏଥିରେ ଏନ୍ଟିପିସି ଦର୍ଲିପାଲି ପ୍ରକଳ୍ପ ମୁଖ୍ୟ ଫୈଜ ତୟବ, ଆଇଆଇଏମ୍ ସମ୍ବଲପୁର ପ୍ରଫେସର ଡକ୍ଟର ସୁଜିତ କୁମାର ପୃଷେଠ, ବେଦିକ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ୍ସର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ପ୍ରମୁଖ ସିଏସ୍ଆର୍ ପାଣ୍ଠି ବିନିଯୋଗ ନେଇ ନିଜ ମତ ରଖିଥିଲେ ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ଆଜ୍କା’ ଏବଂ ‘ସେୱା’କୁ ସମ୍ମାନିତ କରାଯାଇଥିଲା । ବେଦାନ୍ତ, ଜେଏସଡବ୍ଲ୍ୟୁ ବିପିଏସଏଲ୍, ଜିନ୍ଦଲ ଷ୍ଟିଲ, ଆଦିତ୍ୟ ବିର୍ଲା, ଏନଟିପିସି ଦର୍ଲିପାଲି, ସେଲ୍, ଓଡ଼ିଶା ମେଟାଲିକ୍ସ ଲିମିଟେଡ୍, ଶ୍ୟାମ ମେଟାଲିକ୍ସ, ଟିଆର୍ଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ ଲିମିଟେଡ୍ ସମେତ ସମସ୍ତ ଅତିଥି ମଧ୍ୟ ସମ୍ମାନିତ ହୋଇଥିଲେ ।
ସମ୍ବଲପୁର ବ୍ୟୁରୋ ମୁଖ୍ୟ ଶ୍ୱେତକୁମାର ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ । ପ୍ରମେୟ ଜିଲ୍ଲା ପ୍ରତିନିଧି ମେହବୁବ ମାହତାବ ସ୍ୱାଗତ ଅଭିଭାଷଣ ଏବଂ ନ୍ୟୁଜ୍-୭ର ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ବୁରୋ ମୁଖ୍ୟ ମନୋରଞ୍ଜନ ଦାଶ, ଉପମହାପ୍ରବନ୍ଧକ (ବିଜ୍ଞାପନ) ବିଶ୍ୱରୂପ ପରିଡ଼ା, ନ୍ୟୁଜ୍-୭ ଡିଜିଏମ୍ (ସେଲ୍ସ) ସିଦ୍ଧାର୍ଥ ରାୟ, ଆଞ୍ଚଳିକ ପ୍ରବନ୍ଧକ (ବିଜ୍ଞାପନ) ଆଲୋକ ରଞ୍ଜନ ଗୁରୁ, ରାମଲୋଚନ ଚକ୍ରଧାରୀ, ନୀଳାଞ୍ଚଳ ଖଣ୍ଡୁଆ, ସନ୍ତୋଷ ଦାସ, ଯଜ୍ଞଦତ୍ତ ଜ୍ୟୋତିଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।