ନୂଆଦିଲ୍ଲୀ,୦୨/୧୦: ଚର୍ଚ୍ଚାରେ ରହିଥାଏ ଡାକ୍ତରଙ୍କ ହାତଲେଖା । ଏପରି ପ୍ରେସକ୍ରିପସନ ଲେଖନ୍ତି, ଯାହା ରୋଗୀଙ୍କୁ ବୁଝିବା କଷ୍ଟକର ହୋଇଥାଏ। ବେଳେବେଳେ ଫାର୍ମାସିଷ୍ଟମାନେ ମଧ୍ୟ ବୁଝିପାରନ୍ତି କଷ୍ଟକର । ଏହାକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଡାକ୍ତରଙ୍କ ପ୍ରେସକ୍ରିପସନକୁ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ବଡ଼ ବଡ଼ ଅକ୍ଷରରେ ସ୍ପଷ୍ଟ ଭାବରେ ପ୍ରେସକ୍ରିପସନ ଲେଖିବାକୁନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ରୋଗୀଙ୍କ ଅଧିକାର ବୋଲି ମଧ୍ୟ କହିଛନ୍ତି ।
ହାଇକୋର୍ଟ ରାୟରେ କହିଛନ୍ତି, ଏପରି ପ୍ରେସକ୍ରିପସନ ଲେଖିବା ଦ୍ବାରା ରୋଗୀଙ୍କ ଜୀବନକୁ ବିପଦରେ ପକାଇବା ସହିତ ସମାନ। ଏହା ବ୍ୟତୀତ ପ୍ରେସକ୍ରିପସନକୁ ପଢ଼ିବା ରୋଗୀଙ୍କ ମୌଳିକ ଅଧିକାର ବୋଲି ଅଦାଲତ କହିଛନ୍ତି । ଜଷ୍ଟିସ୍ ଯସଗୁରପ୍ରୀତ ସିଂହ ପୁରୀ କହିଛନ୍ତି ଯେ, ଡାକ୍ତରଙ୍କ ହାତଲେଖା ପ୍ରାୟତଃ ଏତେ ଖରାପ ହୋଇଥାଏ । ଏହାକୁ ରୋଗୀ କିମ୍ୱା ସେମାନଙ୍କ ସମ୍ପର୍କୀୟ ପଢ଼ିବା ମୁସ୍କିଲ । ନିର୍ଦ୍ଧାରିତ ଔଷଧକୁ ମଧ୍ୟ ବୁଝିପାରନ୍ତି ନାହିଁ। ବେଳେବେଳେ ଫାର୍ମାସିଷ୍ଟମାନେ ଭୁଲ ପଢିବା ଯୋଗୁ ଗମ୍ଭୀର ପରିସ୍ଥିତି ବା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଥାଏ । ତେଣୁ ସମସ୍ତ ଡାକ୍ତର ପ୍ରେସକ୍ରିପସନ ବଡ଼ ବଡ଼ ଅକ୍ଷରରେ ସ୍ପଷ୍ଟ ଭାବରେ ଔଷଧ ଲେଖିବା ଉଚିତ୍ । ଡିଜିଟାଲ ପ୍ରେସକ୍ରିପସନ ସିଷ୍ଟମ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଏହି ନିୟମ କଡ଼ାକଡ଼ି ଲାଗୁ କରାଯିବା ଉଚିତ୍ । ଏହାଛଡ଼ା ମେଡ଼ିକାଲ କଲେଜଗୁଡ଼ିକରେ ହସ୍ତଲିଖନ ତାଲିମ ଆରମ୍ଭ କରାଯିବା ଆବଶ୍ୟକ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି ।