ନୂଆଦିଲ୍ଲୀ,୨୬/୧୧: ୭୫ ବର୍ଷ ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତୀ ନେଇ 'ଆମ ସମ୍ବିଧାନ ଆମ ସ୍ବାଭିମାନ' କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନ ଆମ ଦେଶର ସବୁଠୁ ବଡ ପବିତ୍ର ଗ୍ରନ୍ଥ । ଆଜି ଆମେ ଏହି ଐତିହାସିକ ଅବସରର ସାକ୍ଷୀ ହୋଇଛୁ । ୭୫ ବର୍ଷ ପୂର୍ବେ ଆଜିର ଦିନରେ ଏହି ସେଣ୍ଟ୍ରାଲ ହଲରେ ସମ୍ବିଧାନ ନିର୍ମାଣର ବଡ କାର୍ଯ୍ୟ ହୋଇଥିଲା । ଆମ ସମ୍ବିଧାନ ଆମ ଲୋକତନ୍ତ୍ରର ସୃଦୁଢ ଆଧାରଶୀଳ । ଏହା ଆମ ବ୍ୟକ୍ତିଗତ ଓ ସାମୂହିକ ସ୍ବାଭିମାନକୁ ସୁନିଶ୍ଚିନ୍ତ କରିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସମ୍ବିଧାନ ଦିବସ ଅବସରରେ ସଂସଦର ମିଳିତ ବୈଠକକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ବାବା ସାହେବ ଆମ୍ବେଦକର ପ୍ରଗୀତିଶୀଳ ଓ ସମାବେଶୀ ଚିନ୍ତାଧାରାର ଚିତ୍ର ଆମ ସମ୍ବିଧାନରେ ଅଙ୍କିତ କରିଛନ୍ତି । ବାବା ସାହେବ ସମ୍ବିଧାନର ଜନକ । ସ୍ବାଧୀନତାର ୭୫ ବର୍ଷ ପୂ୍ର୍ତ୍ତୀ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହୋଇଥିଲା । ଏହି ପରି ସମାରୋହ ଭବିଷ୍ୟତ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅବସର ଦେଇଥାଏ । ସମ୍ବିଧାନ ସଭାରେ ଦେଶ ବିଷୟରେ ଜାଣିବାର ସୌଭାଗ୍ୟ ମିଳିଛି । କିଛି ମହାନ ବ୍ୟକ୍ତିଙ୍କ ୩ ବର୍ଷର ବିଚାର ବିମର୍ଶର ପରିଣାମରେ ସମ୍ବିଧାନ ନିର୍ମାଣ ହୋଇଛି । ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସମ୍ବିଧାନ ନିର୍ମାଣ କାର୍ଯ୍ୟ ସୂଚାରୁ ରୂପେ ସମ୍ପର୍ଣ୍ଣ ହୋଇଥିଲା । ଅନ୍ୟ ଦେଶ ପାଇଁ ଆମ ସମ୍ବିଧାନ ଆଦର୍ଶ ପ୍ରମାଣିତ ହୋଇଛି ।

ସମ୍ବୋଧନରେ ରାଷ୍ଟ୍ରପତି ଆହୁରି କହିଛନ୍ତି, ଆମ ସମ୍ବିଧାନ ଏକ ଜୀବନ୍ତ ଓ ପ୍ରଗତିଶୀଳ ଦସ୍ତାବିଜ୍ । ଏହା ଦ୍ବାରା ଆମେ ସାମାଜିକ ନ୍ୟାୟ ଏବଂ ଅନ୍ତର୍ଭୁକ୍ତ ବିକାଶର ଲକ୍ଷ୍ୟ ହାସଲ କରୁଛୁ । କିଛି ବର୍ଷ ହେବ ସରକାର ସମାଜର ବିକାଶ ଓ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଚି ସାମ୍ବିଧାନିକ ଆଦର୍ଶକୁ ଗ୍ରହଣ କରନ୍ତୁ । ମୌଳିକ କର୍ତ୍ତବ୍ୟ କରନ୍ତୁ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରନ୍ତୁ । ସମ୍ବିଧାନ ନିୟମ ଅନୁସାରେ କାର୍ଯ୍ୟପାଳିକା,ନ୍ୟାୟପାଳିକାର ଦାୟିତ୍ବ ସେ ମିଳିତ ଭାବେ କାମ କରି ସାଧାରଣ ଲୋକଙ୍କ ଜୀବନକୁ ସୁଗମ କରନ୍ତୁ । ମହିଳା ସଶକ୍ତୀକରଣରେ ନୂଆ ଯୁଗ ଆରମ୍ଭ ହୋଇଛି । ସକ୍ରିୟ ଭାଗିଦାରୀ ପାଇଁ ଆମ ସମ୍ବିଧାନ ମଜବୁତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସମ୍ବିଧାନ ଦିବସ ଅବସରରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେହା ସହିତ ୭୫ ଟଙ୍କିଆ ମୁଦ୍ରା,ଡାକ ଟିକଟ ଓ ପୁସ୍ତକ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।