ଭୁବନେଶ୍ୱର,୦୫/୧୨: ନୌସେନା ଦିବସରେ ଯୋଗଦେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭୁବନେଶ୍ୱର ଫେରିବେ । ଏଠାରେ ବିଶ୍ୱସ୍ତରୀୟ ଜୁଡିସିଆଲ କମ୍ପେ୍ଲକ୍ସର ଉଦ୍‌ଘାଟନ କରିବେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ । 

କାର୍ଯ୍ୟସୂଚୀ ମୁତାବକ, ରାଷ୍ଟ୍ରପତି ଗୁରୁବାର ୧୦ଟା ୫ ମିନିଟ୍‌ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରୁ  ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ଅଭିମୁଖେ  ବାହାରିବେ । ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ  ଅନ୍ତଜାର୍ତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ  ସେ ସିଧା ଓୟୁଏଟି କ୍ୟାମ୍ପସକୁ ଯିବେ । ଓୟୁଏଟିର  ୪୦ତମ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେବେ । ରାଷ୍ଟ୍ରପତି ସେଠାରେ ଦେଢ଼ ଘଣ୍ଟା ବିତାଇବେ । ମଧ୍ୟାହ୍ନ ୧୨ଟାରେ ରାଜଭବନକୁ ଯିବେ ।  ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ ।  ସନ୍ଧ୍ୟା ୫ଟା ୧୦ ମିନିଟ୍‌ରେ ରାଷ୍ଟ୍ରପତିଙ୍କ କାରକେଡ୍‌ କଳ୍ପନା ଛକ ନିକଟସ୍ଥ ଜୁଡିସିଆଲ୍‌ କମ୍ପେ୍ଲକ୍ସ ଆଡ଼କୁ ମୁହାଁଇବ । ସେଠାରେ କମ୍ପେ୍ଲକ୍ସର ଉଦ୍‌ଘାଟନ କରିବେ । ଉଦ୍‌ଘାଟନୀ ସମାରୋହରେ ରାଜ୍ୟପାଳ ରଘୁବର  ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଇକୋର୍ଟ  ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଓ  ହାଇକୋର୍ଟ (ଆଡମିନିଷ୍ଟ୍ରେଟିଭ୍‌) ଜଷ୍ଟିସ୍‌ ସଙ୍ଗମ ସାହୁ  ଅତିଥି ଭାବେ ଯୋଗଦେବେ । ଏହାପରେ ବିଜେବି  କଲେଜ ଖେଳପଡି଼ଆରେ ଆୟୋଜିତ ହେବାକୁ ଥିବା  ଉଦ୍‌ଘାଟନୀ ସଭାରେ ଉଦ୍‌ବୋଧନ ଦେବେ ।  

ସନ୍ଧ୍ୟା ସାଢ଼େ ୬ଟା ବେଳେ ସେଠାରୁ  ରାଜଭବନକୁ ଫେରିବେ । ସେଠାରେ ରାତ୍ରିଯାପନ  କରିବେ । ଶୁକ୍ରବାର ସକାଳୁ ରାଜଭବନରେ ଜଳଖିଆ ଖାଇବା ପରେ ରାଷ୍ଟ୍ରପତି ଏଜି ଛକସ୍ଥିତ  ବି. ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରିବେ । ସେଠାରୁ ସେ ବିମାନ ବନ୍ଦର ଯାଇ ୯ଟା  ୩୫ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ  ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରପୋର୍ଟ ଯିବେ ।  ସେଠାରୁ ବାୟୁସେନାର ହେଲିକପ୍ଟରରେ ବସି  ମୟୂରଭଞ୍ଜର ରଙ୍ଗମାଟିଆ ହେଲିପ୍ୟାଡ୍‌ରେ ଓହ୍ଲାଇ  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।