ଭୁବନେଶ୍ୱର, ୨୭/୧୧: ଗୁରୁବାର ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନ ଐତିହାସିକ ଓ ସ୍ମରଣୀୟ ହୋଇ ରହିବ । ପ୍ରଥମ ଥର ପାଇଁ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାରେ ଉଦ୍‌ବୋଧନ ଦେବେ । ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦବୋଧନ ଦେଇନଥିଲେ । ଏଭଳି ମୁହୂର୍ତ୍ତକୁ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଅପେକ୍ଷା କରି ବସିଛନ୍ତି । ରାଜ୍ୟବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ଓ ତାଙ୍କ ଅଭିଭାଷଣ ଶୁଣିବା ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତି ପୂର୍ବରୁ ଏହି ବିଧାନସଭାରେ ଦୁଇ ଥର ସଦସ୍ୟା ଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ବି ସଦସ୍ୟା ଥିଲେ । ତେଣୁ ସେ ଆସିବା ସହିତ କେମିତି ପୂର୍ବ ସ୍ମୃତିର ରୋମନ୍ଥନ କରିବେ, ତାହା ଉତ୍ସୁକତାର ବିଷୟ ସାଜିଛି । ଦ୍ରୌପଦୀ ମୁର୍ମୁ ୨୦୦୦-୨୦୦୪ ଓ ୨୦୦୪-୨୦୦୯ ପର୍ଯ୍ୟନ୍ତ ଦୁଇ ଥର ବିଜେପିରୁ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ, ୨୦୦୨ରୁ ୨୦୦୪ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମଧ୍ୟ ରହିଥିଲେ । ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ହାସଲ କରିଥିଲେ । ୨୦୧୫ ମେ’ ୧୮ ତାରିଖରୁ ୬ ବର୍ଷ ୫୫ ଦିନ ଧରି ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ଦ୍ରୋପଦୀ ମୁର୍ମୁ ଓଡ଼ିଶା ବିଧାନସଭାରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଉଦବୋଧନ ଦେବେ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୪ଟା ୨୫ ମିନିଟ ମଧ୍ୟରେ ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ପୂର୍ବରୁ ଅନେକ ରାଜ୍ୟ ବିଧାନସଭାରେ ଉଦବୋଧନ ଦେଇସାରିଲେଣି ରାଷ୍ଟ୍ରପତି । ବର୍ତ୍ତମାନ ନିଜ ରାଜ୍ୟକୁ ଆସିବେ ଓ ବିଧାନସଭାରେ ଉଦବୋଧନ ଦେବେ । ଗୁରୁ ବିଧାନସଭାରେ ରାଷ୍ଟ୍ରପତିଙ୍କର ଦେଢ଼ ଘଣ୍ଟା ଧରି କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତି କରାଯାଇଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

ଶ୍ରୀମତୀ ମୁର୍ମୁ ଓଡ଼ିଶାରେ ମନ୍ତ୍ରୀ ଥିବା ସମୟରେ ବିଧାନସଭାରେ ତାଙ୍କୁ ମିଳିଥିବା ୧୧ ନମ୍ବର ପ୍ରକୋଷ୍ଠ ମିଳିଥିଲା । ସେତେବେଳେ ସେ ବିଧାନସଭା ଅଧିବେଶନ ସମୟରେ ସେଇ ପ୍ରକୋଷ୍ଠରେ ନିଜ କାର୍ଯ୍ୟ ତୁଲାଇଥିଲେ । ପୁରୁଣା ଦିନର ସେଇ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବିଧାନସଭାର ସେଇ ୧୧ ନମ୍ବର ପ୍ରକୋଷ୍ଠ ସଜେଇ ହୋଇ ଅପେକ୍ଷା କରିଛି ମହାମହିମଙ୍କୁ । ସ୍ୱତନ୍ତ୍ର ଚୌକି ବ୍ୟବସ୍ଥା କରାଯାଇଛି । ପ୍ରକୋଷ୍ଠରେ କିଛି ଆସନ ମଧ୍ୟ ରଖାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ସେଇ ପ୍ରକୋଷ୍ଠରେ ଚାଏ ପେ ଚର୍ଚ୍ଚା କରି ନିଜ ପୁରୁଣା ସ୍ମୃତିକୁ ତାଜା କରିବେ । ଏଥିପାଇଁ ତାଙ୍କ ସମୟର ପୁରୁଣା ବିଧାୟକ, ପୂର୍ବତନ ମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି ବର୍ତ୍ତମାନର ସଦସ୍ୟ ଓ ପୂର୍ବତନ ସଦସ୍ୟମାନଙ୍କ ସହ କିଛି ସମୟ ଆଲୋଚନା କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଧାନସଭା ପରିସର ଓ ଚୌହଦୀ ଆଲୋକମାଳାରେ ସଜେଇ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ରାଜ୍ୟ ପୁଲିସ ପକ୍ଷରୁ କାରକେଡ୍ ରିହଲସଲ କରାଯାଇଛି । ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ୱରେ କାରକେଡ୍ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିଥିଲା । ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ରାଜଭବନ ପହଞ୍ଚିବା ପରେ ବିଧାନସଭା ଅଭିମୁଖେ ବାହାରିଥିଲା କାରକେଡ୍ । ପ୍ରଥମ ଥର ପାଇଁ ବିଧାନସଭା ଅଧିବେଶନରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତକାଲି ପୁଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।