ରାଉରକେଲା, ୧୨/୪: ରାଷ୍ଟ୍ରପତିଙ୍କ ରାଉରକେଲା ଆସିବା ଚୂଡ଼ାନ୍ତ । ଆସନ୍ତ ଏପ୍ରିଲ୍ ୨୧ ତାରିଖରେ ଦିନିକିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ସାର୍ବଜନନୀ ଭିତ୍ତିଭୂମି ଏବଂ ପ୍ରକଳ୍ପର କରିବେ ଉଦଘାଟନ । ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ ।
ସୂଚନା ଅନୁଯାୟୀ, ଏପ୍ରିଲ ୨୧ ତାରିଖ ଅର୍ଥାତ୍ ମଙ୍ଗଳବାର ପୂର୍ବାହ୍ଣ ୧୧.୧୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପଞ୍ଚିବେ ରାଷ୍ଟ୍ରପତି । ଏହା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC), ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ, କୋଏଲ ନଗର ମନୋରଞ୍ଜନ ପାର୍କ, ଆଦିବାସୀ ସଂଗ୍ରହାଳୟ (ରାଉରକେଲା-ୱାନ୍) ଉଦଘାଟନ କରିବେ। ସେହି ଦିନ ଅପରାହ୍ନ ୪.୦୫ ମିନିଟ୍ ସମୟରେ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତ ଅବସରରେ ଜିଲ୍ଲାର ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ବାରା ୩୦ଟି ଷ୍ଟଲ୍ ପ୍ରଦର୍ଶିତ ହେବ।