ଭୁବନେଶ୍ୱର ୧୨/୦୩:  ଦୁଇ ଦନିଆ ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୪ରେ ଶ୍ରୀକ୍ଷେତ୍ରର ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ମହାପ୍ରଭୁ  ଶ୍ରୀନୀଳମାଧବଙ୍କୁ ଦର୍ଶନ କରିବେ। ୨୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩  ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

୨୪ ତାରିଖରେ  ରାଷ୍ଟ୍ରପତି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଶ୍ରୀକ୍ଷେତ୍ରର ଆଦିପୀଠ ନୟାଗଡ଼  ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କଣ୍ଟିଲୋସ୍ଥିତ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ  କରିବେ ବୋଲି ପ୍ରାକ୍‌ ସୂଚନା ମିଳିଛି । ସେହିପରି ୨୫ରେ ରେଭେନ୍ସା ସମାବର୍ତ୍ତନ  ଉତ୍ସବ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶେଷ ଆୟୋଜନ କରାଯାଉଛି । ରାଷ୍ଟ୍ରପତିଙ୍କ  ସହିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ସୂଚନାଯୋଗ୍ୟ ପୂର୍ବରୁ ଫେବ୍ରୁଆରୀ  ୧୪ ତାରିଖରେ ସମାବର୍ତ୍ତନ ଉତ୍ସବ ଆୟୋଜିତ ହେବାକୁ ସ୍ଥିର ହୋଇଥିଲେ  ମଧ୍ୟ କୌଣସି କାରଣରୁ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଥିଲେ ।