ଭୁବନେଶ୍ୱର, ୨୭/୧୧ : ଆଉ କିଛି ସମୟର ଅପେକ୍ଷା। ଓଡ଼ିଶା ବିଧାନସଭା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ବିଧାନସଭା ଅଧିବେଶନରେ ସମ୍ବୋଧିତ କରିବେ ମହାମହିମ। ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଅପରାହ୍ନ ୨ଟାରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ରାଜଭବନ ଯାଇଥିଲେ । ରାଜଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ନବ ନିର୍ମିତ କଳିଙ୍ଗ ଅତିଥି ନିବାସର ଉଦ୍ଘାଟନ କରିଥିଲେ । ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଉପରିସ୍ଥ ଥିଲେ। ସେଠାରୁ ସେ ବିଧାନସଭାକୁ ଆସି ବିଧାୟକମାନଙ୍କୁ ସମ୍ବୋଧିତ କରିବେ। ବିଧାୟକମାନଙ୍କ ସହ ଫଟୋ ଉଠାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ୪ଟା୨୦ରୁ ସାଢ଼େ ସାଢେ ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥିତ ରହିବେ। ବିଧାନସଭା ସଦସ୍ୟଙ୍କୁ ରାଷ୍ଟ୍ରପତି ଗୁରୁମନ୍ତ୍ର ଦେବେ। ବିଧାୟକ ଭାବେ ସଦସ୍ୟଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ କଣ ହେବା ଆବଶ୍ୟକ ସେ ନେଇ କହିବେ। ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ, ପରିବହନ ବିଭାଗର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ, ସେ ସମୟର ଅଭିଜ୍ଞତା କହିବେ। ବିଶେଷ କରି ନୂଆ ବିଧାୟକଙ୍କ ପାଇଁ ଅନେକ କିଛି ଦିଗଦର୍ଶନ ଦେଇପାରନ୍ତି ରାଷ୍ଟ୍ରପତି।

ଏହି ଅବସରରେ ରାଷ୍ଟ୍ରପତି ବିଧାନସଭାର ୧୧ନଂ ରୁମ୍‌ରେ କିଛି ସମୟ କାଟିବେ। ଏଥିପାଇଁ ୧୧ନଂ ପ୍ରକୋଷ୍ଠକୁ ସଜାଯାଇଛି। ମହାମହିମଙ୍କ ପାଇଁ ସ୍ଵତନ୍ତ୍ର ଚେୟାର ପକାଯାଇଛି। ଏହି ପ୍ରକୋଷ୍ଠରେ ବସି ସେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ସହ ଆଲୋଚନା କରିବେ। ପୁରୁଣା ଦିନର ସ୍ମୃତି ସାଉଁଟିବେ। 2000 ରୁ 2004 ପରିବହନ ମନ୍ତ୍ରୀ ଥିବା ବେଳେ ଏହି ଚାମ୍ବର ତାଙ୍କ କାର୍ଯ୍ୟାଳୟ ଥିଲା ।