ମୟୂରଭଞ୍ଜ,୦୭/୧୨: ମୟୂରଭଞ୍ଜବାସୀଙ୍କୁ ୩ ରେଳ ପ୍ରକଳ୍ପ ଭେଟି । ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରେଳ ପ୍ରକଳ୍ପର ଭିତ୍ତିପ୍ରସସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ ଓ ବାଦାମପାହାଡ-କେନ୍ଦୁଝର ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଜିର ଏହି ଦିନରେ ମୟୂରଭଞ୍ଜ ପାଇଁ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ବହୁତ ଖୁସି । ଏହି ୩ ରେଳପଥରେ ଶିଳାନ୍ୟାସ ଫଳରେ ବାଙ୍ଗିରିପୋଷି, ରାଇଙ୍ଗପୁର ସମେତ ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି । ଏହି ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ ହେବ ବୋଲି ଆଶା କରୁଛି । ଏହି ଉନ୍ନତିମୂଳକ ପ୍ରକଳ୍ପ ଫଳରେ ଯାତାୟତ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । ଭାରତୀୟ ଆଦିବାସୀଙ୍କର ଏକ ଗୌରବମୟ ଇତିହାସ ରହିଛି । ଆଦିବାସୀଙ୍କ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସ୍ବତନ୍ତ୍ରତା ରହିଛି । ଏହାର ପ୍ରସାରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।
ରାଷ୍ଟ୍ରପତି ଅଭିଭାଷଣ ରଖି ଆହୁରି କହିଛନ୍ତି, ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ମୟୂରଭଞ୍ଜବାସୀ । ଏହି ପ୍ରକଳ୍ପ ଶେଷ ହେଲେ ରାଇରଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳ ବିକାଶର ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିବ ଏବଂ ସ୍ଥାନୀୟ ଅଞ୍ଚଳ ଅର୍ଥନୀତିରେ ଉନ୍ନତୀ କରିବ । ଭାରତ ସରକାରଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡିଶାର ବିକାଶ ଗୁରୁତ୍ବପୂର୍ଣ୍ଣ ହୋଇଛି । ଜନଜାତି ଭାଇଭଉଣୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ବନଧନ ଯୋଜନା କାର୍ଯ୍ୟକାରୀ ହେଉଛି । ତୁମମାନଙ୍କ ଭଲ ପାଇବା ମୋତ ଟାଣିଆଣୁଛି । ମୁଁ ଯେଉଁଠି ଥିଲେ ମୋ ଜନ୍ମମାଟି ପାଇଁ କାମ କରିବି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି କହିଛନ୍ତି, ମୟୁରଭଞ୍ଜର କଳା ଓ ସଂସ୍କୃତି ମହାନ । ରାଜ୍ୟରେ ଯେଉଁଠି ଖଣି ଅଛି ସେଠି ଶିଳ୍ପ ପ୍ରତିଷ୍ଠା ହେବ । ମୟୂରଭଞ୍ଜରେ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ । ମୟୂରଭଞ୍ଜ ଓ କେନ୍ଦୁଝର ବିକାଶରେ ନୂଆ ସ୍ରୋତ ଆସିବ । ରେଳ ପରିବହନ ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏ ଜିଲ୍ଲାରେ ଶିଳ୍ପର ବିକାଶ ହେବା ଦରକାର । ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଡବଲ ହେଉଛି । ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି ତାହାକୁ ପୂରଣ କରିବି । ଗୋଟିଏ ବି ପ୍ରୋଜେକ୍ଟ ବନ୍ଦ ହେବ ନାହିଁ ।