ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକ ବର୍ତ୍ତମାନ ତିନିଦିନିଆ ଭାରତ ଗ୍ରସ୍ତରେ ଅଛନ୍ତି। ସୋମବାର ଦିନ ଅନୁରା କୁମାର ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈଜନ୍ୟମୁଳକ ସାକ୍ଷାତ କରିଥିଲେ। ଶ୍ରୀଲଙ୍କାର ମାଟି କୌଣସି ପ୍ରକାର ଭାବେ ଭାରତ ବିପକ୍ଷ କାମକୁ ପ୍ରଶୟ ଦେବ ନାହିଁ ବୋଲି ଏହି ସାକ୍ଷାତକାରରେ ସେ ଘୋଷଣା କରିଛନ୍ତି। 

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଶାନାୟକ ଦୁଇ ଦେଶକୁ ନେଇ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଉଭୟେ ଏକ ସାମ୍ବାଦିକ ସମ୍ମିଳନିରେ ଯୋଗ ଦେଇଥିଲେ। “ଆଜି ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କା ଆସିବାକୁ ନିମନ୍ତ୍ରଣ କରୁଛି। ଏହା ସହ ଆମେ ଶ୍ରୀଲଙ୍କାର ମାଟିରେ କାହାକୁ ବି ଭାରତ ବିରୋଧି କାମ କରିବାକୁ ଦେବୁନାହିଁ ବୋଲି ମୁଁ ନରେନ୍ଦ୍ର ମୋଦିଙ୍କୁ କଥା ଦେଉଛି। ଭାରତ ଆମ ସହ ସବୁବେଳେ ଠିଆ ହୋଇଛି, ଆମେ ମଧ୍ୟ ଭାରତକୁ ସଦାସର୍ବଦା ସମର୍ଥନ କରିବୁ।” ବୋଲି ଏହି ସାମ୍ବାଦିକ ସମ୍ମିଳନିରେ  ଦିଶାନାୟକ ଘୋଷଣା କରିଥିଲେ। 

ଭାରତ ମହାସାଗରରେ ଚୀନର ବଢୁଥିବା ଦାଦାଗିରିକୁ ନେଇ ଭାରତ ବର୍ତ୍ତମାନ ଚିନ୍ତାରେ ରହିଛି। ଏହି ପରିପ୍ରେକ୍ଷିରେ ଶ୍ରୀଲଙ୍କା ଭାରତ ସହ କୁଟନୈତିକ ସମ୍ବଦ୍ଧକୁ ମଜବୁତ କରିବା ଉପରେ ଧ୍ୟାନଦେଇ ଚୀନର ମିଶନ ଭାରତ ମହାସାଗରଠୁ ଦୁରରେ ରହିବ ବୋଲି ଘୋଷଣା କରିଛି। 

ଚୀନଠୁ ଆଣିଥିବା ଋଣ ପରିଶୋଧ ନକରିପାରିବାରୁ ଚାଇନା ଶ୍ରୀଲଙ୍କାର କଲମ୍ବୋ ଓ ହାମ୍ବନଟୋଟା ବନ୍ଦର ଉପରେ କବ୍ଜା କରିସାରିଛି। ଏହି ବନ୍ଦର ଗୁଡିକୁ ଚାଇନା ନିଜର ନୈବାହୀନି ଓ  ତଦାରଖ ଜାହାଜର ରହଣିସ୍ଥଳ ଭାବେ ବ୍ୟବହାର କରୁଛି। ଯାହା ଭାରତର ଦକ୍ଷିଣାଞ୍ଚଳରେ ଥିବା ସମୁଦ୍ରକୂଳବର୍ତ୍ତୀ  ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି। ଯାହା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନୁରା କୁମାର ଦିଶାନାୟକ ଦୁଇଦେଶ ମଧ୍ୟରେ ଥିବା ସୀମା ବିବାଦ ଉପରେ ଆଲୋଚନା କରିଥିଲେ। ସୀମା ବିବାଦ ସହ ପ୍ରତିରକ୍ଷା, ବାଣିଜ୍ୟ ଓ ନିବେଶ ଉପରେ ମଧ୍ୟ ଦୁଇଦେଶର ରାଷ୍ଟ୍ରମୁଖ୍ୟ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ଏକ ବିଜନେସ ଇଭେଣ୍ଟରେ ଯୋଗ ଦେବାକୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ରହିଛି। ଯେଉଁଠି ଦିଶାନାୟକ ଶ୍ରୀଲଙ୍କାରେ ନିବେଶ କରିବାକୁ ନିବେଶକ ମାନଙ୍କୁ ଉଦବୋଧନ ଦେବେ। ପରେ ସେ ବିହାର ସ୍ଥିତ ବୋଧଗୟାକୁ ଯିବାର କାର୍ଯ୍ୟକ୍ରମ ରହିଛି।