ମାଲକାନଗିରି, ୨୪/୬(ଆପ୍ର ) ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ଜନଜାତି ମହିଳା ଲକ୍ଷପତି ଦିଦି ପୁରସ୍କୃତ ହେବା ପରେ ପଞ୍ଚାୟତ ଓ ତାଙ୍କ ଗ୍ରାମରେ ସମ୍ବର୍ଦ୍ଧନା ଦିଆଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକସ୍ଥ କଦମଗୁଡା ଗ୍ରାମର ସମାରୀ ଝିଗିଡି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହିତ ମାଣ୍ଡିଆ, ଧାନ, ପନିପରିବା ଚାଷ କରି ବାର୍ଷିକ ସେ ଦୁଇଲକ୍ଷ ୮୦ ହଜାର ଟଙ୍କା ରୋଜଗାର କରି ଜଣେ ସଫଳ ମହିଳା ଚାଷୀ ଭାବେ ପରିଚିତ। ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାବେଶ କର୍ଯ୍ୟକ୍ରମରେ ଆଦିମ ବଣ୍ଡା ଜନଜାତି ମହିଳା ସମାରୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ଭାବେ ପୁରସ୍କୃତ ସହିତ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ସମାରୀ ପୁରସ୍କୃତ ହୋଇ ନିଜ ଗାଁ କୁ ଫେରିବା ପରେ ସମଗ୍ର ପଞ୍ଚାୟତ ରେ ଖୁସିର ଲହରି ଖେଳି ଯାଇଛି। ପାରମ୍ପରିକ ଆଦିବାସୀ ନୃତ୍ୟ ବାଦ୍ୟରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ଓ ଗ୍ରାମକୁ ନେଇ ଶତାଧିକ ମହିଳା ପୁରୁଷ ଫୁଲମାଳ ପକାଇ ସମ୍ବର୍ଦ୍ଦିତ କରିଛନ୍ତି।
ସମାରି ଝିଗିଡି ଏହି ପୁରସ୍କାର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସମ୍ମାନ ପ୍ରାପ୍ତ କରି ବେଶ ଖୁସି ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କର ଦୀର୍ଘ ଦିନର ପ୍ରୟାସର ଫଳ ଓ ଗ୍ରାମ ମହିଳାମାନଙ୍କ ପାଇଁ ଏକ ନମୁନା।ଗ୍ରାମକୁ ଫେରିବା ପରେ ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ଫୁଲମାଳା ଓ ଢୋଲ-ନାଗାରା ସହ ବଡ଼ ଆଡମ୍ବରରେ ସ୍ବାଗତ କରିଥିଲେ। ଗ୍ରାମରେ ଏହାକୁ ଉତ୍ସବ ଭାବରେ ପାଳନ କରାଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି ଯେ, ଯଦି ସମାରି ଝିଗିଡିଙ୍କୁ ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ, ସେ ଅଧିକ ଉନ୍ନତି କରିପାରିବେ ଓ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ହେବେ।