ନୂଆଦିଲ୍ଲୀ, ୨୧।୫: ଭାରତର ବୈଦେଶିକ ନୀତି ଏବଂ କୂଟନୀତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୫ ଦେଶର ଐତିହାସିକ ତଥା ସଫଳ ଗସ୍ତ ଶେଷ କରି ଗୁରୁବାର ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ୫ ଦିନ ମଧ୍ୟରେ ପିଏମ ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡ, ସ୍ଵିଡେନ, ନରୱେ ଏବଂ ଇଟାଲୀ ଭଳି ପ୍ରଭାବଶାଳୀ ଦେଶଗୁଡ଼ିକର ଯାତ୍ରା କରିଛନ୍ତି । ଭାରତର ଅର୍ଥନୀତି, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଏହି ଗସ୍ତ ଏକ ‘ଗେମଚେଞ୍ଜର’ ବୋଲି କୁହାଯାଉଛି । ଏହି ମେଗା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶକ୍ତି ସୁରକ୍ଷା, ବୈଷୟିକ ସହଯୋଗ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରତିରକ୍ଷା ଭାଗିଦାରୀକୁ ମଜବୁତ କରିବା । ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରୁ ଭାରତକୁ କେଉଁ କେଉଁ ବଡ଼ ସଫଳତା ମିଳିଛି:
୧. ୟୁଏଇ (UAE) ଗସ୍ତ: ପ୍ରତିରକ୍ଷା ଚୁକ୍ତି ଓ ୫ ବିଲିୟନ ଡଲାରର ନିବେଶ
୧୫ ମେ'ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପାଞ୍ଚ ଦେଶର ଗସ୍ତ ୟୁଏଇରୁ ଆରମ୍ଭ ହୋଇଥିଲା । ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନ ପିଏମ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ପ୍ରତିରକ୍ଷା ଚୁକ୍ତି: ଦୁଇ ଦେଶ ମଧ୍ୟରେ 'ଷ୍ଟ୍ରାଟେଜିକ୍ ଡିଫେନ୍ସ ପାର୍ଟନରସିପ୍ ଫ୍ରେମୱର୍କ' ସ୍ୱାକ୍ଷରିତ ହୋଇଛି, ଯାହା ସାମରିକ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ।
ତୈଳ ସଙ୍କଟରୁ ମୁକ୍ତି: ପଶ୍ଚିମ ଏସିଆରେ ଦେଖାଦେଇଥିବା ଶକ୍ତି ସଙ୍କଟ ମଧ୍ୟରେ ୟୁଏଇ ଭାରତର 'ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ' ପାଇଁ ୩ କୋଟି ବ୍ୟାରେଲ ଅଶୋଧିତ ତୈଳ ଏବଂ ଏଲପିଜି ଯୋଗାଣ ପାଇଁ ଚୁକ୍ତି କରିଛି ।
ବଡ଼ ପୁଞ୍ଜିନିବେଶ: ଭାରତୀୟ ବଜାରରେ ୟୁଏଇ ୫ ବିଲିୟନ ଡଲାର ଯାହା ପ୍ରାୟ ୪୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପ୍ୟାକେଜ୍ ଘୋଷଣା କରିଛି । ଏହା ସହିତ ହୋର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଜଳପଥ ପରିବହନ ଉପରେ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି ।
୨. ନେଦରଲ୍ୟାଣ୍ଡ ଗସ୍ତ: ସେମିକଣ୍ଡକ୍ଟର ମିଶନ ଓ ସାଂସ୍କୃତିକ ଗୌରବ
ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଭାରତକୁ କୂଟନୀତି ସହ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ମିଳିଛି ।
୧୧ଶ ଶତାବ୍ଦୀର ସଂପତ୍ତି ଫେରିଲା: ଡଚ୍ ସରକାର ଭାରତର ଚୋଳ ସାମ୍ରାଜ୍ୟ ସମୟର ଏକ ଐତିହାସିକ କପର୍ ପ୍ଲେଟ୍ସ ଭାରତକୁ ଫେରାଇ ଦେଇଛନ୍ତି ।
ସେମିକଣ୍ଡକ୍ଟର ଡିଲ୍: ଭାରତକୁ ଟେକ୍ନୋଲୋଜି ହବ୍ କରିବା ଦିଗରେ ନେଦରଲ୍ୟାଣ୍ଡର ବିଶ୍ୱପ୍ରସିଦ୍ଧ କମ୍ପାନୀ ASML ଏବଂ ଭାରତର 'ଟାଟା ଇଲେକ୍ଟ୍ରୋନିକ୍ସ' ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି । ଏଣିକି ଭାରତରେ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।
୩. ସ୍ଵିଡେନ ଗସ୍ତ: ଏଆଇ କରିଡର ଓ ବ୍ୟାପାର ଦ୍ଵିଗୁଣିତ କରିବା ଲକ୍ଷ୍ୟ
ସ୍ୱିଡେନରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ସହ ବୈଠକ ବେଶ୍ ସକରାତ୍ମକ ରହିଥିଲା ।
AI ଏବଂ ଟେକ୍ନୋଲୋଜି କରିଡର: ଭାରତ ଏବଂ ସ୍ୱିଡେନ ମଧ୍ୟରେ 'ଇନୋଭେସନ ପାର୍ଟନରସିପ୍'ର ଦ୍ୱିତୀୟ ପର୍ଯ୍ୟାୟ ଏବଂ 'ଭାରତ-ସ୍ୱିଡେନ ପ୍ରଯୁକ୍ତିବିଦ୍ୟା ଓ AI କରିଡର' ଆରମ୍ଭ କରାଯାଇଛି ।
ବ୍ୟାପାର ବୃଦ୍ଧି: ଆଗାମୀ ୫ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ହେଉଥିବା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୪. ନରୱେ ଗସ୍ତ: ଗ୍ରୀନ ଏନର୍ଜି ଓ ଇସ୍ରୋ ସହ ମହାକାଶ ଚୁକ୍ତି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନରୱେ ଗସ୍ତ ଆର୍ଥିକ ଏବଂ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗସ୍ତରେ ମୋଟ୍ ୧୨ଟି ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ଗ୍ରୀନ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍: ଭାରତ ଓ ନରୱେ ମଧ୍ୟରେ ସମ୍ପର୍କକୁ ଅପଗ୍ରେଡ୍ କରାଯାଇ 'ଗ୍ରୀନ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍' ଘୋଷଣା କରାଯାଇଛି । ଏହାଦ୍ୱାରା ଗ୍ରୀନ ହାଇଡ୍ରୋଜେନ, ୱିଣ୍ଡ ଏନର୍ଜି ଏବଂ କାର୍ବନ କ୍ୟାପଚର ବେଜ୍ ଟେକ୍ନୋଲୋଜିରେ ସହଯୋଗ ବୃଦ୍ଧି ପାଇବ ।
ବ୍ଲୁ ଇକୋନୋମି ଓ ସାମୁଦ୍ରିକ ବିକାଶ: ଭାରତର ୭,୦୦୦ କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ, ଗ୍ରୀନ ସିପିଂ ଏବଂ ପୋର୍ଟ ଇନଫ୍ରାଷ୍ଟ୍ରକଚର ପାଇଁ ଉଭୟ ଦେଶ ମିଳିତ ଭାବେ କାମ କରିବେ ।
ଇସ୍ରୋ ସହ ଚୁକ୍ତି: ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଏବଂ ଗବେଷଣା ପାଇଁ ଭାରତର ଇସ୍ରୋ ଏବଂ ନରୱେ ମଧ୍ୟରେ ଏକ ବିଶେଷ ଚୁକ୍ତି ହୋଇଛି ।
୫. ଇଟାଲୀ ଗସ୍ତ: ଜର୍ଜିଆ ମେଲୋନୀଙ୍କ ସହ ବୈଠକ ଏବଂ ୫ ବର୍ଷର ମାଷ୍ଟର ପ୍ଲାନ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତର ଶେଷ ପଦକ୍ଷେପ ଥିଲା ଇଟାଲୀ । ରୋମର ପ୍ରସିଦ୍ଧ 'ଭିଲା ଡୋରିଆ ପାମ୍ଫିଲି'ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ପିଏମ ମୋଦୀଙ୍କୁ 'ଗାର୍ଡ ଅଫ୍ ଅନର୍' ଦେଇ ସ୍ୱାଗତ କରିଥିଲେ ।
ରଣନୈତିକ ଯୋଜନା (୨୦୨୫-୨୯): ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ଯୁକ୍ତ ରଣନୀତିକ କାର୍ଯ୍ୟ ଯୋଜନା (୨୦୨୫-୨୯) ର ଅଗ୍ରଗତି ସମୀକ୍ଷା କରାଯାଇଥିଲା ।
ବହୁମୁଖୀ ସହଯୋଗ: ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା, ବ୍ଲୁ ଇକୋନୋମି, କନେକ୍ଟିଭିଟି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ସମୃଦ୍ଧ କରିବାକୁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନର ଗ୍ଲୋବାଲ ଜିଓପଲିଟିକ୍ସ ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଗଭୀର ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ୫ ଦିନିଆ ଗସ୍ତ କେବଳ ଭାରତର କୂଟନୈତିକ ସଫଳତା ନୁହେଁ, ବରଂ ଆଗାମୀ ଦିନରେ ଦେଶର ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଓ ରୋଜଗାର କ୍ଷେତ୍ରକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।