ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଉପରେ ନିଜର ମତାମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତ ସର୍ବଦା ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ପୁନଃସ୍ଥାପନ ସପକ୍ଷରେ ରହିଛି। ସେ ଏହି ଦିଗରେ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବା ପାଇଁ ଭାରତର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି। ଦୁଇ ନେତା ଭାରତ-ୟୁକ୍ରେନ ମଧ୍ୟରେ ହେଉଥିବା ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହା ସହ ପାରସ୍ପରିକ ହିତ ନେଇ ସହଯୋଗ ବୃଦ୍ଧି କରିବା ପାଇଁ ଆଲୋଚନା କରିଛନ୍ତି। ସେମାନେ ଭବିଷ୍ୟତରେ ମଧ୍ୟ ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଛନ୍ତି।
ଜେଲେନ୍ସକିଙ୍କ ସହ ଫୋନ୍ ମାଧ୍ୟମରେ କଥା ହେବାପରେ ପିଏମ୍ ମୋଦି ଟ୍ୱିଟ୍ କରିଛନ୍ତି। ମୋଦି କହିଛନ୍ତି, ‘ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କଥା ହେବା ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ ତାଙ୍କ ମତାମତ ଶୁଣିବା ଏକ ଆନନ୍ଦଦାୟକ ଅନୁଭବ। ମୁଁ ତାଙ୍କୁ ଭାରତର ଦୃଢ଼ ମନୋଭାବ ଜଣାଇଲି ଯେ ଏହି ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଜରୁରୀ। ଭାରତ ଏହି ଦିଗରେ କେବଳ ସମସ୍ତ ପ୍ରକାରର ଯୋଗଦାନ ଦେବ। ଏହା ସହ ୟୁକ୍ରେନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ ପ୍ରତିଶୃତିବଦ୍ଧ।’
ସେପଟେ ଜେଲେନସ୍କି ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ‘ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋର ଏକ ଦୀର୍ଘ ଆଲୋଚନା ହୋଇଛି। ଆମେ ଆମର ଦ୍ୱିପାକ୍ଷିକ ସହଯୋଗ ଏବଂ ବର୍ତ୍ତମାନର କୂଟନୈତିକ ସ୍ଥିତି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଆମ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ। ଆମେ ସେପ୍ଟେମ୍ବରରେ ମିଳିତ ଜାତିସଂଘ ସାଧାରଣ ପରିଷଦ ସମୟରେ ମୁହାଁମୁହିଁ ସାକ୍ଷାତ କରିବାକୁ ଏବଂ ଗସ୍ତ ଆଦାନପ୍ରଦାନ ଉପରେ କାର୍ଯ୍ୟ କରିବାକୁ ରାଜି ହୋଇଛୁ।’