ଭୁବନେଶ୍ୱର,୦୬/୦୪: ରାମନବମୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର  ରାମେଶ୍ୱରମସ୍ଥିତ ନୂଆ ପମ୍ବନ ପୋଲର ଆଜି ଶୁଭାରମ୍ଭ  କରିବେ । ଏ ଅବସରରେ ତାମିଲନାଡୁର ବିଭିନ୍ନ  ଭିତ୍ତିଭୂମି ପ୍ରକଳ୍ପକୁ ସେ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ  ରହିଛି । ୨.୨ କିମି ବିଶିଷ୍ଟ ଏହି ଭର୍ଟିକାଲ ପୋଲ  ୧୦୦ ବର୍ଷରୁ ଊଦ୍ଧ୍ୱର୍ ପୁରୁଣା ରେଲିଂ ଲିଫ୍ଟ ପୋଲକୁ ବାଦ ଦେବ । ଏହା ଦ୍ୱାରା ରାମେଶ୍ୱରମରୁ ସ୍ଥଳଭାଗକୁ ଟ୍ରେନ୍‌ ଯାତ୍ରା ତ୍ୱରିତ, ନିରାପଦ ଏବଂ ଦକ୍ଷ ହୋଇପାରିବ  ବୋଲି ରେଲ୍‌ୱେ ପକ୍ଷରୁ ସୂଚନା ମିଳିଛି । 




ନୂଆ ପମ୍ବନ ରେଳ ପୋଲରେ ଅନେକ  ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ ‘ଏକ୍ସ’ ପୋଷ୍ଟରେ ସୂଚନା ଦେଇଛନ୍ତି ।ଶ୍ରୀ  ବୈଷ୍ଣବ କହିଲେ, ଏହା ଦେଶର ଇଞ୍ଜିନିୟରିଂ ଦକ୍ଷତା  ଏବଂ ଭବିଷ୍ୟପନ୍ଥୀ ରେଳ ଭିତ୍ତିଭୂମିକୁ ଦର୍ଶାଉଛି ।  ପୋଲଟି ନବସୃଜନ ଏବଂ ପରମ୍ପରାର ପ୍ରତୀକ ।  ଏହା ସାଂସ୍କୃତିକ ଏବଂ ଇତିହାସକୁ ବାନ୍ଧି ରଖିଛି । ନୂଆ  ପଦକ୍ଷେପ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା  ସହ ଅଞ୍ଚଳର ବିକାଶରେ ବିଶେଷ ଯୋଗଦାନ ଦେବ । 

ଏହା ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ  ଯାତ୍ରାକୁ ସୁଗମ କରିବ । ଲୋକଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶରେ ମଧ୍ୟ  ଏହା ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।  ୫୫୩ କୋଟି ବିନିଯୋଗରେ ପୋଲଟିକୁ ନିର୍ମାଣ କରାଯାଇଛି । ସମସ୍ତ ଇଞ୍ଜିନିୟରିଂ କାମ ରେଳ ବିକାଶ  ନିଗମ ଲିମିଟେଡ ଦ୍ୱାରା ସମ୍ପନ୍ନ ହୋଇଛି । ୧୯୧୪ରେ  ମୂଳ ପୋଲଟି ସ୍ଥାପନ ହୋଇଥିଲା । ପ୍ରବଳ କଳଙ୍କିଜନିତ  ସମସ୍ୟା ଯୋଗୁ ପୁରୁଣା ପୋଲକୁ ୨୦୨୨ରେ ବନ୍ଦ  କରାଯାଇଥିଲା । ଶ୍ରୀ ମୋଦି ଏହି ଅବସରରେ ରାମନାଥ  ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ  ରହିଛି । ସେହିଭଳି ସେ ୮୩୦୦ କୋଟିର ବିଭିନ୍ନ  ରେଳ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ଦେବେ  ବୋଲି ରେଲ୍‌ୱେ ପକ୍ଷରୁ ସୂଚନା ମିଳିଛି ।