ଭୁବନେଶ୍ବର, ୧୬।୧୨ : ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାନୁୟାରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ ଏହି ଦିବସ। ସାରା ବିଶ୍ବରୁ ୧୦ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବେ।
ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ। ଏହି ସମାରୋହରେ ଓଡ଼ିଆର ଉଚ୍ଚ କୋଟିର କଳା ସଂସ୍କୃତି ପ୍ରଦର୍ଶନ କରାଯିବ। ଏହି ସମୟରେ ପ୍ରବାସୀ ଭାରତୀୟଙ୍କୁ ଆମୋଦିତ କରିବାକୁ ପୁରୀ ବେଳାଭୂମିର ବିଭିନ୍ନ ସ୍ଥାନରେ ପଲିଶ୍ରୀମେଳା, ବେଳାଭୂମି ମହୋତ୍ସବ, ବୋଟିଂ ପ୍ରତିଯୋଗିତା, କାଇଟ୍ ଫେଷ୍ଟିଭାଲ୍ ପ୍ରଭୃତିର ଆୟୋଜନ କରାଯିବ । ପ୍ରବାସୀ ଭାରତୀୟମାନେ ଯେପରି ପୁରୀ ତଥା ଆମ ରାଜ୍ୟର ପର୍ଯ୍ୟଟନ ଏବଂ ଐତିହ୍ୟ ଭିତ୍ତିଭୂମିର ଉତ୍ତମ ଅନୁଭୂତି ନେଇ ଫେରିବେ ତାହା ଉପରେ ସତର୍କ ଦୃଷ୍ଟି ଦିଆଯିବ ।