ଝାରସୁଗୁଡା,୦୯/୦୮: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । 

ସୂଚନା ମୁତାବକ, ସକାଳ ପ୍ରାୟ ସାଢେ ୯ ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ରାକ୍ଷୀ ପୂର୍ଣ୍ଣିମାରେ ଛୁଟି ଥିବାରୁ ବସ୍‌ ଚାଳକ ବସ୍‌କୁ ନେଇ ଗ୍ୟାରେଜକୁ ଆସୁଥିଲେ । ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା କ୍ଷଣି ଚାଳକ ବସ୍‌ରୁ ଡେଇଁ ନିଜକୁ ରକ୍ଷା କରିଥିଲେ । ବ୍ୟାଟେରୀରୁ ସଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ବସ୍‌ଟି କାରଖାନା ଶ୍ରମିକଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥାଏ । ମାତ୍ର ଆଜି ଛୁଟି ଥିବାରୁ ବସ୍‌ଟି କୁଆଡେ ଯାଇ ନଥିବା ଜଣାପଡିଛି ।