ଭୁବନେଶ୍ୱର,୦୪/୦୯: ଯାତ୍ରୀ ପରିବହନ  ପାଇଁ ସହରାଞ୍ଚଳରେ ‘ଆମ ବସ’ ଚାଲୁଛି ।  ଏହି ବସ୍‌ ଗୁଡ଼ିକରେ ରାଜ୍ୟର କଳା, ସଂସ୍କୃତି  ଓ ଐତିହ୍ୟ ଛାପ ଦେଖିବାକୁ ମିଳୁଥିଲା । ରାଜ୍ୟ  ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ବସରୁ ପୁରୀ ଜଗନ୍ନାଥ ମନ୍ଦିର, ଧଉଳି ଶାନ୍ତିସ୍ତୂପ ଏବଂ  କୋଣାର୍କ ଚକ୍ର ଦେଖି ବିଭୋର ହେଉଥିଲେ ।  ହଠାତ୍‌ କିଛି ଅଧିକାରୀଙ୍କ ମୁଣ୍ଡରେ ରୋଜଗାର ବୁଦ୍ଧି ପଶିଲା । ଭାବିଲେ ଐତିହ୍ୟରୁ କ'ଣ ମିଳିବ । ବସ୍‌ ପିଛା ମାସିକ ମାତ୍ର ଦୁଇ ହଜାର ଟଙ୍କାରେ ବିଜ୍ଞାପନ କମ୍ପାନିକୁ ବିକ୍ରି କରିଦେଲେ । ଯେଉଁ ସ୍ଥାନରେ ଓଡ଼ିଶାର କୀର୍ତ୍ତିରାଜି ଫୁଟି ଉଠୁଥିଲା, ସେଠାରେ ଘରୋଇ କମ୍ପାନିର ବିକୃତ ବିଜ୍ଞାପନ ଲାଗିଲା ।

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ  (କ୍ରୁଟ) ପକ୍ଷରୁ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ସମ୍ବଲପୁରରେ ପ୍ରାୟ  ୬୭୦ ଆମ ବସ୍‌ ଚାଲୁଛି । ସେଥିମଧ୍ୟରୁ  କ୍ରୁଟ ୫୬୦ ବସ୍‌ରେ ବିଜ୍ଞାପନ ମାରିଛି ।  ଏହି ବସ୍‌ରେ ବିଭିନ୍ନ ଘରୋଇ କମ୍ପାନିର ବିଜ୍ଞାପନ ରହିଛି । ପୁରୁଣା ବସ୍‌ ସମେତ ନୂଆ  କରି କିଣା ହୋଇଥିବା ୨୦୦ ଇ-ବସ୍‌ରେ ମଧ୍ୟ  ବିଜ୍ଞାପନ ମରାଯାଇଛି । ସବୁଠୁ ବଡ଼ କଥା  ହେଲା, ଓଡ଼ିଶା କଳା ସଂସ୍କୃତିର ପ୍ରଚାର ପ୍ରସାର  କରିବା ସହ ମନ୍ଦିରମାଳିନୀ ଭୁବନେଶ୍ୱରରେ  ଥିବା ଐତିହ୍ୟକୁ ବସ୍‌ ଚଳାଚଳ କରିବାକୁ  ୧୦ଟି ହିପ୍‌ହପ୍‌ ବସ ମଧ୍ୟ ଚାଲୁଛି । ଏଥିରେ  ରାଜ୍ୟର ବିଭିନ୍ନ କଳା ସଂସ୍କୃତି ସମ୍ବଳିତ ଚିତ୍ର  ରହିଥିଲା । ହେଲେ ଏହି ବସ୍‌ରେ ବି କ୍ରୁଟ  ବିଜ୍ଞାପନ ମାରିଛି । ଜଗନ୍ନାଥ ମନ୍ଦିର ଥିବା ଫଟୋ  ଉପରେ ଏପରି ବିଜ୍ଞାପନ ମାରିବାକୁ ନେଇ  ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ରାଜ୍ୟରେ ଦୀର୍ଘଦିନ ଧରି ଏହି ବସ୍‌  ଚଳାଚଳ କରୁଛି । ସହର ମଝିରେ ଚାଲୁଥିବା  ଆମ ବସ୍‌ର ସୌନ୍ଦର୍ଯ୍ୟ ଯେପରି ବିକୃତ ନ ହୁଏ  ସେଥିଲାଗି ବସ୍‌ରେ ବିଜ୍ଞାପନ ମରାଯାଉ ନଥିଲା ।  ଏବେ ବସ୍‌ରେ ଘରୋଇ ବିଜ୍ଞାପନକୁ ନେଇ  ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌  ଥିରୁମାଲା ନାଏକ କହିଛନ୍ତି, ବସ୍‌ କ୍ଷତିରେ  ଚାଲୁଛି । ତେଣୁ ବିଜ୍ଞାପନ ମାରିବା ଦ୍ୱାରା କିଛି ରାଜସ୍ୱ ଆସିବ । ଅନ୍ୟ ସହରରେ ବସ୍‌ରେ ମରାଯାଉଥିବା ବିଜ୍ଞାପନର ଉଦାହରଣ ସେ  ଦେଇଛନ୍ତି । ଅପରପକ୍ଷରେ, ବସ୍‌ଯାତ୍ରୀଙ୍କ ମତ ହେଲା, ରାଜଧାନୀରେ ଆମ ବସ୍‌ରେ  ଜାଗା ମିଳୁନି । ଲୋକେ ଠିଆ ହୋଇ ଯାତ୍ରା କରୁଛନ୍ତି । ହେଲେ କ୍ରୁଟ କେମିତି କହୁଛି  କ୍ଷତିରେ ଚାଲୁଛି ।  

ଖାଲି ଆମ ବସ୍‌ ନୁହେଁ, ଓଡିଶା ରାଜ୍ୟ  ସଡ଼କ ପରିବହନ (ଓଏସ୍‌ଆରଟିସି) ପକ୍ଷରୁ  ମଧ୍ୟ ୪୦୦ ବସ୍‌ କିଣା ହୋଇଛି । ଏହିସବୁ  ବସ୍‌ରେ ଓଡ଼ିଶା କଳାକୃତି, ଐତିହ୍ୟ ଚିତ୍ର  ରହିଛି । ଏହି ସବୁ ବସ୍‌ ଗୁଡିକୁ ମଧ୍ୟ  ବିଜ୍ଞାପନ ସଂସ୍ଥା ହାତକୁ ଟେକି ଦେବାକୁ  ମସୁଧା ଚାଲିଛି । ବସ୍‌ରେ ବିଜ୍ଞାପନ ନ  ମାରିବାକୁ ଲୋକେ ଦାବି କରିଛନ୍ତି ।