ନୂଆଦିଲ୍ଲୀ,୨୦।୬: ଯାତ୍ରୀଙ୍କ ସଫଳ ଏବଂ ସୁଖଦ ଯାତ୍ରା କାମନା କରୁଥିବା ଇଣ୍ଡିଆନ୍ ରେଲଓ୍ବେର ସୁରକ୍ଷାକୁ ନେଇ ଉଠିଛି ବଡ଼ ଧରଣର ପ୍ରଶ୍ନ। ରାଜଧାନୀ ଦିଲ୍ଲୀର ଏକ ରେଳ ଷ୍ଟେସନରୁ ଆସିଛି ଛାତିଥରା ଦୃଶ୍ୟ। ସିଟ୍ ପାଇଁ ଜଣେ ଯାତ୍ରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ରେଲଓ୍ବେ ଷ୍ଟେସନ୍ ପ୍ଳାଟଫର୍ମରେ ସୁରକ୍ଷା ବ୍ୟବସ୍ଥାରେମୁତୟନ ଥିବା ଜିଆରପି କିମ୍ବା ଆରପିଏଫ୍ର ଜବାନ ମଧ୍ୟ ଯାତ୍ରୀଙ୍କୁ ରକ୍ଷା କରିପାରିନଥିଲେ। ମାରପିଟ୍ରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏହି ଘଟଣାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏହି ଘଟଣା ଟ୍ରେନ୍ର ଜେନେରାଲ ବଗିରେ ଘଟିଛି। କୁହାଯାଉଛି ଯେ, ଏହି ମାମଲାରେ ଏକ କେସ୍ ରୁଜୁ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଶାହଦରା ରେଲଓ୍ବେ ଷ୍ଟେସନରେ ହୋଇଥିବା ହିଂସ୍ର ମାରପିଟ୍ରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ପରିଚୟ ଉତ୍ତର ପ୍ରଦେଶର ବାଗପତ ନିବାସୀ ପଙ୍କଜ ଢାମା ରୂପରେ ହୋଇଛି। ରେଲଓ୍ବେ ପୋଲିସର କହିବା ଅନୁସାରେ, ଘଟଣା ଷ୍ଟେସନ୍ର ପ୍ଳାଟଫର୍ମ ନମ୍ବର-୩ ରେ ସେତେବେଳେ ଘଟିଥିଲା ଯେତେବେଳେ ପଙ୍କଜ ଢାମା ଯୋଗା ଏକ୍ସପ୍ରେସ୍ରେ ଟ୍ରେନ୍ ଚଢିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କିଛି ସହଯାତ୍ରୀଙ୍କ ସହ ତାଙ୍କର ବିବାଦ ହୋଇଯାଇଥିଲା। ଯାହାକି ସଂଘର୍ଷର ରୂପ ନେଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ଟ୍ରେନ୍ର ଜେନେରାଲ ବଗିରେ ସିଟ୍କୁ ନେଇ ବିବାଦ ସଂଘର୍ଷର ରୂପ ନୋଇଥିଲ।
ପୋଲିସର କହିବା ଅନୁସାରେ, ସୂଚନା ମିଳିବା ମାତ୍ରେ ପୁରୁଣା ଦିଲ୍ଲୀ ରେଲଓ୍ବେ ଷ୍ଟେସନ୍ ଥାନା ପୋଲିସ ଓ ଯାଞ୍ଚ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡିଥିଲା ଯେ, ପଙ୍କଜ ଢାମାଙ୍କୁ କିଛି ସହଯାତ୍ରୀ ଅତି ନିର୍ମମ ଭାବରେ ମାଡ଼ ମାରିଥିଲେ। ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ। ଆରପିଏଫ୍ର ଜଣେ କନଷ୍ଟେବଳ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ପଙ୍କଜଙ୍କ ସ୍ଥିତି ଗୁରୁତର ହୋଇସାରିଥିଲା। ଆହତ ପଙ୍କଜଙ୍କୁ ତୁରନ୍ତ ଗୁରୁ ତେଗ ବାହାଦୁର (GTB) ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଳବାଇ ପୋଲିସର ସୂଚନା ଅନୁଯାୟୀ, ହସ୍ପିଟାଲରେ ଏକ ମେଡିକୋ-ଲିଗାଲ୍ ମାମଲା (MLC) ପଞ୍ଜୀକୃତ ହୋଇଛି। ଏହି ଘଟଣା ପରେ ଷ୍ଟେସନ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଡିସିପି ରେଲଓ୍ବେ ପକ୍ଷରୁ ଜାରି ସୂଚନା ଅନୁସାରେ, ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୦୫ ଓ ୩(୫) ଅନୁସାରେ, ମାମଲା ରୁଜୁ କରିବାର ପକ୍ରିୟା ଆରମ୍ଭ ହୋଇଛି। ପୋଲିସ ଏବେ ଏହି ମାମଲାରେ ସାମିଲ ଅଭିଯୁକ୍ତଙ୍କ ଚିହ୍ନଟ କରିବା ଓ ତାଙ୍କ ଗିରଫଦାରୀ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଷ୍ଟେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ମଧ୍ୟ ଖୋଜା ଯାଉଛି, ଯାହାଫଳରେ ପୁରା ଘଟଣା ସମ୍ପର୍କିତ ସୂଚନା ଏକାଠି କରିହେବ ଓ ମାରପିଟ୍ରେ ସାମିଲ ଲୋକଙ୍କ ଭୂମିକା ସ୍ପଷ୍ଟ ହୋଇପାରିବ। ପୋଲିସର କହିବା ଅନୁସାରେ, ପ୍ରାରମ୍ଭିକ ଭାବରେ ମାମଲାଟି ଟ୍ରେନ୍ରେ ଚଢିବା ବେଳେ ଘଟିଥିଲା। କିନ୍ତୁ ଝଗଡାର ପ୍ରକୃତ କାରଣ ଓ କେତେ ଲୋକ ସାମିଲ ଥିଲେ, ତାହା ଯାଞ୍ଚ ପରେ ସ୍ପଷ୍ଟ ହୋଇପାରିବ। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଓ ମୃତକଙ୍କ ପରିଜନକୁ ଘଟଣାର ସୂଚନା ଦିଆଯାଇଛି। ରେଲଓ୍ବେ ପୋଲିସ କହିଛି ମାମଲାର ଗମ୍ଭୀରତାକୁ ଦେଖି ସବୁକିଛି ଯାଞ୍ଚ କରାଯାଉଛି। ଅଧିକାରୀଙ୍କ କହିବା ଅନୁସାରେ, ଯାଞ୍ଚ ପୁରା ହେବାପରେ ଘଟଣାର କାରଣ ଓ ଅଭିଯୁକ୍ତଙ୍କ ଭୂମିକା ସମ୍ପର୍କରେ ସବୁକିଛି ଜଣାପଡିବ।
ଆହୁରି ପଢନ୍ତୁ :ଇନଷ୍ଟାରୁ ଆରମ୍ଭ ଗର୍ଭପାତରେ ଶେଷ, ନାବାଳିକା କହିଲେ ଦୁଃଖ କାହାଣୀ