ନୂଆଦିଲ୍ଲୀ ୦୮/୦୮: ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଶେଷ ଥର ପାଇଁ ପ୍ରିୟଙ୍କା ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ରେ ନଜର ଆସିଥିଲେ। ଏବେ ସେ ଦୀର୍ଘ ୬ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି। ପ୍ରିୟଙ୍କା ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।  ସଞ୍ଜୟଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ ରେ ସେ ନଜର ଆସିବେ। କିନ୍ତୁ ଏଯାବତ୍‌ ଏନେଇ ପ୍ରିୟଙ୍କା କି ସଞ୍ଜୟ ବିଧିବଦ୍ଧ ଭାବେ କିଛି କହିନାହାଁନ୍ତି। ଏଥିରେ ପ୍ରିୟଙ୍କାଙ୍କର ଏକ ଡାନ୍ସ ନମ୍ବର ରହିବ ବୋଲି କୁହାଯାଉଛି। ଏହି ଫିଲ୍ମରେ ଫିଲ୍ମରେ ଲିଡ୍‌ ରୋଲ୍‌ରେ ରଣବୀର କପୁର, ଆଲିଆ ଭଟ୍ଟ   ଓ ଭିକି କୌଶଲ ନଜର ଆସିବେ।

ଏହା ପୂର୍ବରୁ ପ୍ରିୟଙ୍କା ସଞ୍ଜୟଙ୍କ ଫିଲ୍ମ ‘ରାମ ଲୀଲା’ ର ‘ରାମ ଚାହେ ଲୀଲା ଗୀତ’ରେ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ। ଏହି ଗୀତଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ତେବେ ୨୦୧୫ ମସିହାରେ ପ୍ରିୟଙ୍କା ଆମେରିକା ଚାଲି ଯାଇଥିଲେ। ଏହାପରେ ସେ ମାତ୍ର ଦୁଇଟି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ସେ ଶେଷ ଥର ପାଇଁ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୦୧୯ ରେ ରିଲିଜ୍‌ କରିଥିଲା।