ନୂଆଦିଲ୍ଲୀ,୨୭/୦୯: ଏସିଆ କପ୍ ୨୦୨୫ ରେ ପୂର୍ବରୁ ବିଜୟ ଧାରା ବଜାୟ ରଖିଥିବା ଟିମ୍ ଇଣ୍ଡିଆ ଏବେ ପାକିସ୍ତାନ ବିପକ୍ଷରେ ଆଉ ଏକ ବିଜୟ ହାସଲ କରିବାକୁ ଅଣ୍ଟା ଭିଡ଼ିଛି। ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଦୁଇଥର ପରାସ୍ତ କରିଛି। ଏବେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ବିଜୟର ହ୍ୟାଟ୍ରିକ୍ ହାସଲ କରିବାକୁ ପ୍ରସ୍ତୁତ ହେଉଛି। ଯଦି ପାକିସ୍ତାନ ଫାଇନାଲ୍ ମ୍ୟାଚ୍ ହାରିଯାଏ, ତେବେ ଏହା ପାଖାପାଖି ୧.୩୦ କୋଟି ଟଙ୍କା କ୍ଷତି ସହିପାରେ। ଏହି ସମୟରେ, ଟିମ୍ ଇଣ୍ଡିଆର ଓପନର୍ ଅଭିଷେକ ଶର୍ମାଙ୍କ ପାଖରେ ୭୫ ଲକ୍ଷ ଟଙ୍କା କମାଇବାର ଏକ ବଡ଼ ସୁଯୋଗ ରହିଛି।
କେତେ ମିଳିବ ପୁରଷ୍କାର ରାଶି ?
୨୦୨୫ ଏସିଆ କପ୍ ଜିତିଥିବା ଦଳ ମୋଟା ଅଙ୍କର ଟଙ୍କା ନେଇ ଘରକୁ ଫେରିବେ। ରିପୋର୍ଟଗୁଡ଼ିକରୁ ଜଣାପଡ଼ୁଛି ଯେ, ପୁରସ୍କାର ରାଶି ୨୦୨୩ ଏସିଆ କପ୍ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ବିଜେତା ଦଳ ପ୍ରାୟ ୨.୬୦ କୋଟଇ ଟଙ୍କା ପାଇବାକୁ ଥିବା ବେଳେ ପରାଜିତ ଦଳକୁ ୧.୩ କୋଟି ଟଙ୍କା ପାଇବେ। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଯିଏ ପୁରସ୍କାର ଗ୍ରହଣ କରିବା, ତାଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ। ଏହା ବ୍ୟତୀତ, ଫାଇନାଲରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଙ୍କୁ ୨୦ ଲକ୍ଷ ମିଳିବ। ଶ୍ରେଷ୍ଠ ବୋଲର ଏବଂ ଶ୍ରେଷ୍ଠ ବ୍ୟାଟରଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ତଥାପି, ଏସୀୟ କ୍ରିକେଟ ପରିଷଦ ଏହି ଅର୍ଥରାଶିକୁ ଏକ ପର୍ଯ୍ୟନ୍ତ ଘୋଷଣା କରିନାହିଁ। ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଆଗରେ ଅଛନ୍ତି।
କେତେ ଟଙ୍କା ପାଇବେ ଅଭିଷକ ଶର୍ମା:
ଏସିଆ କପ୍ ୨୦୨୫ରେ ରନ୍ ସ୍କୋରରଙ୍କ ଆଗରେ ଥିବା ଅଭିଷେକ ଶର୍ମାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପାଇଁ ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି। ସେ ଏପର୍ଯ୍ୟନ୍ତ ଛଅଟି ମ୍ୟାଚ୍ ଖେଳିଛନ୍ତି, ୫୧.୫୦ ହାରରେ ୩୦୯ ରନ୍ କରିଛନ୍ତି, ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ମଧ୍ୟ ରହିଛି। ଶ୍ରୀଲଙ୍କାର ଓପନର ପଥୁମ୍ ନିସାଙ୍କା ଦ୍ୱିତୀୟ ସ୍ଥାନରେ ଅଛନ୍ତି, ସେ ଛଅଟି ମ୍ୟାଚ୍ରେ ୪୩.୫୦ ହାରରେ ୨୬୧ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ରହିଛି। ଅଭିଷେକ ଶର୍ମାଙ୍କୁ ଶ୍ରେଷ୍ଠ ବ୍ୟାଟର ପୁରସ୍କାର ନିଶ୍ଚିତ କରାଯାଇଛି। ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ମଧ୍ୟ କୁହାଯାଇପାରେ। ଫଳରେ ତାଙ୍କୁ ଶେଷ ମ୍ୟାଚ୍ରେ ପ୍ରାୟ ୭୫ ଲକ୍ଷ ଟଙ୍କା ମିଳିପାରେ। ତଥାପି, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କୁଲଦୀପ ଯାଦବ ଅଭିଷେକଙ୍କୁ କଡ଼ା ମୁକାବିଲା ଦେଉଛନ୍ତି। କୁଲଦୀପ ଯାଦବ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଛନ୍ତି।
ଟିମ୍ ଇଣ୍ଡିଆର ସ୍ପିନର କୁଲଦୀପ ଯାଦବ ଶ୍ରେଷ୍ଠ ବୋଲର ଭାବେ ପୁରସ୍କାର ଜିତିପାରନ୍ତି, ସେ ଏପର୍ଯ୍ୟନ୍ତ ଛଅଟି ମ୍ୟାଚ୍ରେ ୧୩ ୱିକେଟ୍ ନେଇଛନ୍ତି। ୟୁଏଇର ଜୁନୈଦ ସିଦ୍ଦିକି ନଅ ୱିକେଟ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଛଅଟି ମ୍ୟାଚ୍ରେ ନଅ ୱିକେଟ୍ ନେଇ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ତାଙ୍କର ଦ୍ୱିତୀୟ ସ୍ଥାନ ପାଇବାର ସମ୍ଭାବନା ଅଧିକ ରହିଛି। ତେବେ ତମାମ ଆକଳନ ଭିତରେ ଫାଇନାଲରେ ହିଁ ଜଣାପଡ଼ିବ କିଏ ବିଜୟ ଆଉ କିଏ ପରାଜୟ ହେବ ଏବଂ କେଉଁ ଖେଳାଳିଙ୍କୁ କେତେ ଟଙ୍କା ମିଳିବ।