ଜୟପୁର,୧୯/୯ : କୋରାପୁଟ ଜିଲ୍ଲା ହସ୍ପିଟାଲ୍‌ ଚକ୍ଷୁ ୱାର୍ଡରେ ଅବ୍ୟବସ୍ଥା । ଆବଶ୍ୟକ ଯନ୍ତ୍ରପାତି ଅଭାବରୁ ମୋତିଆବିନ୍ଦୁ(କ୍ୟାଟାରାକ୍ଟ) ଅସ୍ତ୍ରୋପଚାର ପ୍ରଭାବିତ ହେଉଛି । ୩ ବର୍ଷ ହେଲାଣି ଅତ୍ୟାଧୁନିକ ଫାକୋ ମେସିନ୍‌(ଫାକୋଇମଲସିଫିକେସନ୍‌) ଅଚଳ ହୋଇ ରହିଛି । ହାତରେ ହେଉଥିବା ସର୍ଜରି ପାଇଁ ବ୍ୟବହାର ହେଉଛି ୧୮ ବର୍ଷ ତଳର ମାଇକ୍ରୋସ୍କୋପ୍‌ । ମେସିନ୍‌ ଆବଶ୍ୟକ ସେବା ଯୋଗାଇ ପାରୁ ନ ଥିବାରୁ ମୋତିଆବିନ୍ଦୁ ଅପରେସନ୍‌ ଟାର୍ଗେଟ୍‌ ହାସଲ ହୋଇପାରୁନି । ୫୩ ଲକ୍ଷ ମିଳିଥିଲେ ବି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କେତେକ କର୍ମଚାରୀଙ୍କ ଅବହେଳାରୁ ନୂଆ ମେସିନ୍‌ କିଣାଯାଇ ପାରୁନି । ଅସ୍ତ୍ରୋପଚାର ନମ୍ବର କେବେ ଆସିବ ଚାହିଁ ଛଟପଟ ହେଉଛନ୍ତି ଗରିବ ରୋଗୀ ଓ ସମ୍ପର୍କୀୟ ।  

୨୦୦୭ ମସିହାରେ ତତ୍କାଳୀନ ଉପଖଣ୍ଡ ହସପିଟାଲ୍‌ ଚକ୍ଷୁ ୱାର୍ଡକୁ ଯୋଗାଇ ଦିଆଯାଇଥିଲା ସର୍ଜରି ଟେବଲ୍‌ ମାଇକ୍ରୋସ୍କୋପ । ଦେଶର ହାତଗଣତି କେତେକ ଡାକ୍ତରଙ୍କ ଭିତରୁ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ମୀରାବାଇ ବେହେରା ମହାରାଷ୍ଟ୍ରର ପୁଣେରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଫାକୋ ମେସିନ୍‌ ବ୍ୟବହାର ତାଲିମ୍‌ ପାଇଥିଲେ । ୨୦୧୧ ମସିହାରେ ସରକାର ଯୋଗାଇ ଦେଇଥିଲେ ଫାକୋ ମେସିନ୍‌ । ଏହାର ଆୟୁ ପ୍ରାୟ ୫ ବର୍ଷ । ଏହି ମେସିନ୍‌ ବ୍ୟବହାର ଦ୍ୱାରା କ୍ୟାଟାରାକ୍ଟ ସର୍ଜରି ଅତି କମ୍‌ ସମୟରେ ହେଉଥିଲା । ଦେହରେ କଟ୍‌ ନଲଗାଇ ଏକ ସୂକ୍ଷ୍ମ ଛୁଞ୍ଚି ଦ୍ୱାରା ସୁରକ୍ଷିତ ଅପରେସନ୍‌ ହେଉଥିଲା । ୨୪ ଘଣ୍ଟାରେ ରୋଗୀଙ୍କୁ ଆରାମ ମିଳୁଥିଲା। କୋଭିଡ୍‌ କଟକଣା ଯୋଗୁ ମେସିନ୍‌ ବ୍ୟବହାର ନହୋଇ ପଡ଼ି ରହିବାରୁ ଫଙ୍ଗସ୍‌ ହୋଇଯାଇଛି । ବାଧ୍ୟ ହୋଇ ହାତରେ ଅପରେସନ୍‌ କରାଯାଉଛି । ଜଣେ ରୋଗୀ ସମ୍ପୂର୍ଣ୍ଣ ଭଲ ହେବାକୁ ଲାଗୁଛି ପ୍ରାୟ ଦେଢ ମାସ ।

ଅନ୍ୟପକ୍ଷରେ ୧୮ ବର୍ଷ ତଳର ମାଇକ୍ରୋସ୍କୋପ୍‌ ଆଗଭଳି ଭିଜନ୍‌ ଦେଉନଥିବାରୁ ଅସ୍ତ୍ରୋପଚାର ବେଳେ ସମସ୍ୟା ହେଉଛି । ସପ୍ତାହକୁ(୨ ଥରରେ) ଲକ୍ଷ୍ୟ ଥିବା ୪୦ ବଦଳରେ ମାତ୍ର ୮ରୁ ୧୦ ରୋଗୀଙ୍କ ଅପରେସନ୍‌ ହୋଇପାରୁଛି । ମଝିରେ ଆସୁଥିବା ଗୁରୁତର ଏବଂ ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଅଗ୍ରାଧିକାର ଦିଆଯାଉଛି । ତାଲିକା ବଢୁଥିବାରୁ ରୋଗୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । କେତେକ ରୋଗୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ ଦିଆଯାଇଥିବା ତାରିଖରେ ଅପରେସନ୍‌ କରାନଯାଇ ଘୁଞ୍ଚାଇ ଦିଆଯାଉଛି । ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ମୀରାବାଇ ଏବଂ ଡାକ୍ତର ଦେବାଶିଷ ମହାପାତ୍ରଙ୍କୁ ଏ ବାବଦରେ ପଚାରିବାରୁ ସେମାନେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।  ଫାକୋ ମେସିନ୍‌ ଖରାପ ଏବଂ ସର୍ଜରି ଟେବଲ ମାଇକ୍ରୋସ୍କୋପ୍‌ ଭିଜନ୍‌ କ୍ୱାଲିଟି କମିବା ପରେ ନୂଆ ଯୋଗାଣ ଲାଗି ଡାକ୍ତରଖାନା ପକ୍ଷରୁ ଚିଠି କରାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ୨ ବର୍ଷ ତଳେ ନାଲ୍‌କୋ କର୍ତ୍ତୃପକ୍ଷ ଯୋଗାଇ ଦେଇଥିଲେ ୫ ଲକ୍ଷ ଟଙ୍କା । ଏଥିରେ ଗୋଟିଏ ଲେଖାଏଁ ଫାକୋ ମେସିନ୍‌(୩୫ ଲକ୍ଷ), ମାଇକ୍ରୋସ୍କୋପ୍‌(୧୫ ଲକ୍ଷ) ଏବଂ ଆଖି ଲେନ୍ସ ପାୱାର ଚିହ୍ନଟ ଲାଗି ଯନ୍ତ୍ର(୩ ଲକ୍ଷ) କିଣାଯିବା କଥା । ପରିତାପର ବିଷୟ, ଟଙ୍କା ପଡ଼ି ରହିଥିଲେ ବି କିଣିବା ଦିଗରେ କୌଣସି ଉଦ୍ୟମ କରାଯାଇନି ।

କିଛିଦିନ ତଳେ ଟେଣ୍ଡର ଡକାଯାଇଥିଲା । ଏ ସମ୍ବନ୍ଧୀୟ ଦସ୍ତାବିଜରେ ଦସ୍ତଖତ କରିବାକୁ ପ୍ୟାନେଲ୍‌ରେ ଥିବା ୮୦ ପ୍ରତିଶତ ଅଧିକାରୀଙ୍କୁ କୁଆଡ଼େ ସମୟ ହେଉନି । ଆଜିକାଲି କହି ଦିନ ଗଡ଼ାଇ ଚାଲୁଛନ୍ତି । ଅଧିକାରୀଙ୍କ ଖାମ୍‌ଖିଆଲ ନୀତିର ପରିଣାମ ଭୋଗୁଛନ୍ତି ଗରିବଗୁରୁବା । ଯାହାର ଟଙ୍କା ଅଛି, ସେମାନେ ଜିଲ୍ଲା ବାହାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଅନ୍ୟମାନେ ନମ୍ବର ଆସିବାକୁ ଅନେଇ ରହୁଛନ୍ତି । ଏ ସମ୍ପର୍କରେ ଡିଏମ୍‌ଓ ଡାକ୍ତର ଦିଲ୍ଲୀପ କୁମାର ବିଶ୍ୱାଳ କହିଛନ୍ତି, ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ତୁରନ୍ତ ସମସ୍ୟା ଦିଗରେ ପଦକ୍ଷେପ ନିଆଯିବ ।