ନୂଆଦିଲ୍ଲୀ: ବଲିଉଡର ବାଦଶାହା ଶାହାରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ କାର କମ୍ପାନୀର ପ୍ରଚାର କରି ସମସ୍ୟାରେ ପଡ଼ିଛନ୍ତି । ରାଜସ୍ଥାନର ଭରତପୁରର ବାସିନ୍ଦା କୀର୍ତ୍ତି ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଶାହରୁଖ ଏବଂ ଦୀପିକାଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। କୀର୍ତ୍ତି ସିଂହ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଏକ ତ୍ରୁଟିପୂର୍ଣ୍ଣ ହୁଣ୍ଡାଇ ଆଲକାଜାର କାର ବିକ୍ରି କରାଯାଇଥିଲା । ଆଉ ଏହି କାର ତାଙ୍କ ପରିବାରର ଜୀବନକୁ ବିପଦରେ ପକାଇଥିଲା । ଏହି ମାମଲାରେ କୀର୍ତ୍ତି ସିଂହ କୋର୍ଟରେ ଅଭିଯୋଗ କରିଛନ୍ତି ।
ଏହା ପରେ ଏସିଜେଏମ କୋର୍ଟଙ୍କ ନିର୍ଦ୍ଦେଶରେ ମଥୁରା ଗେଟ୍ ଥାନା ମାମଲା ରୁଜୁ କରିଛି । କୀର୍ତ୍ତି ଅଭିଯୋଗ କରିଛନ୍ତି ଯେ, ସେ ୨୦୨୨ ମସିହାରେ ହୁଣ୍ଡାଇ ଆଲକାଜାର କିଣିଥିଲେ । ସେ ଏହି କାରଟି ଋଣରେ ନେଇଥିଲେ । କିନ୍ତୁ କିଛି ଦିନ ମଧ୍ୟରେ କାରରେ ତ୍ରୁଟି ଦେଖା ଦେଇଥିଲା । କାରର ଗତି ବଢ଼ାଇବା ବେଳେ ଏହ ଥରିବାକୁ ଲାଗେ, କିନ୍ତୁ କାରର ଗତି ବଢ଼େ ନାହିଁ । ଏହା ତାଙ୍କର ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ । ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ, କୀର୍ତ୍ତି ସିଂହ କମ୍ପାନୀ ସହିତ ଜଡିତ ଲୋକଙ୍କ ବିରୁଦ୍ଧରେ ମଧ୍ୟ ଏକ ମାମଲା ଦାୟର କରିଛନ୍ତି ।
ଏଥିରେ କିମ୍ ଆନସୋ (ସିଇଓ, ହୁଣ୍ଡାଇ ମୋଟର ଇଣ୍ଡିଆ), ତରୁଣ ଗର୍ଗ (ହୋଲ ଟାଇମ୍ ନିର୍ଦ୍ଦେଶକ ଏବଂ ସିଇଓ), ନୀତିନ ଶର୍ମା (ଏମଡି, ମାଲୱା ଅଟୋ ସେଲ୍ସ କୁଣ୍ଡଲି), ପ୍ରିୟଙ୍କା ଶର୍ମା (ନିର୍ଦ୍ଦେଶକ, ମାଲୱା ଅଟୋ ସେଲ୍ସ କୁଣ୍ଡଲି) ଏବଂ ଅନ୍ୟ ଜଣେ ଅଛନ୍ତି । କୀର୍ତ୍ତି କହିଛନ୍ତି ଯେ, ସେ ପ୍ରଥମେ ଏହି କାର ବୁକ୍ କରିବା ପାଇଁ ୫୧୦୦୦ ଟଙ୍କା ଦେଇଥିଲେ । ପରେ ସେ ୧୦ ଲକ୍ଷ ୩ ହଜାର ୬୯୯ ଟଙ୍କା ଋଣ ନେଇଥିଲେ ଏବଂ ବାକି ଟଙ୍କା ନଗଦ ଆକାରରେ ଦେଇଥିଲେ । ସେ ଏହି କାରକୁ ୨୩ ଲକ୍ଷ ୮୭ ହଜାର ୩୫୩ ଟଙ୍କାରେ କିଣିଥିଲେ । କାର କିଣିବା ସମୟରେ ଡିଲର କହିଥିଲେ, ଏଥିରେ କୌଣସି ସମସ୍ୟା ହେବ ନାହିଁ ଏବଂ ଯଦି କୌଣସି ସମସ୍ୟା ହୁଏ ତେବେ ସେମାନେ ଦାୟୀ ରହିବେ । ହେଲେ କାରରେ ସମସ୍ୟା ଦେଖା ଦେବାରୁ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ କୀର୍ତ୍ତି ସିଂହ ।
କୀର୍ତ୍ତି ସିଂହ ଅଭିଯୋଗ କରିଛନ୍ତି ଯେ, ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଏହି କାର କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର । ସେମାନେ କମ୍ପାନୀର ଖରାପ କାରଗୁଡ଼ିକର ମାର୍କେଟିଂ ଏବଂ ବ୍ରାଣ୍ଡିଂ କରିଥିଲେ । ତେଣୁ ଉଭୟ ଏହି ମାମଲାରେ ଅଭିଯୁକ୍ତ । ସେ କହିଛନ୍ତି ଯେ, ଏହି ଅପରାଧିକ କାର୍ଯ୍ୟରେ ଉଭୟ ଅଭିନେତା ସମାନ ଅଂଶୀଦାର । ପୁଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୪୦୬, ୪୨୦ଏବଂ ୧୨୦-ବି ଅନୁଯାୟୀ ଏକ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ଶାହରୁଖ ୧୯୯୮ରୁ ହୁଣ୍ଡାଇର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି । ଦୀପିକା ୨୦୨୩ ମସିହାରେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ । ସେପଟେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।